ଭୁବନେଶ୍ବର: ଜଣେ ଭଲ ପଡ଼ୋଶୀ ଭାବେ ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା। ଉଭୟେ ଉଭୟଙ୍କ ଘରକୁ ଅବାଧରେ ଯା’ଆସ କରୁଥିଲେ। କିନ୍ତୁ ଜଣକ ଭିତରେ ଛପିଥିଲା ବିଶ୍ବାସଘାତକତା। ମଉକା ପାଇବା ମାତ୍ରେ ଘରେ କଳାକନା ବୁଲାଇଦେଲା। ୨ ଦିନ ପାଇଁ ପଡ଼ୋଶୀ ଘରେ ନଥିବା ସୁଯୋଗରେ ବିଶ୍ବାସଘାତକ ୩ ଲକ୍ଷ ଟଙ୍କା, ୨ ହାର, ୪ ହଳ ମୁଦି, ୪ ହଳ କାନଫୁଲ ଚୋରାଇନେଲା। କିନ୍ତୁ ବନ୍ଧୁଦ୍ରୋହ ଛପିଲା ନାହିଁ। ପୁଲିସ ତଦନ୍ତରୁ ଧରାପଡ଼ିଗଲା। ଏମିତି ଏକ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ମୁନ୍ତେଜିର୍‌ ଅହମ୍ମଦ (୨୮)କୁ ଗିରଫ କରିଛି। ପୁଲିସ ତା’ଠାରୁ ପଡ଼ୋଶୀ ସେକ୍ ମୁର୍ସିଦ୍‌ ଅଲ୍ଲୀଙ୍କ ଘରୁ ଚୋରି କରିଥିବା ସୁନା ଗହଣା ମଧ୍ୟରୁ ଗୋଟିଏ ହାର, ୪ ସୁନା ମୁଦି, ୪ କାନଫୁଲ ଓ ନଗଦ ୮୪,୦୦୦ ଟଙ୍କା ଜବତ କରିଛି।

Advertisment

ପୁଲିସ ସୂଚନାନୁସାରେ ନୂଆପଲ୍ଲୀ ବ୍ରିଟ୍‌ କଲୋନି ଏଲ୍ଆଇଜିରେ ରହୁଥିବା ମୁର୍ସିଦ୍‌ ଗତ ୧୯ ତାରିଖରେ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ୧୭ ତାରିଖ ଦିନ ସେ ସପରିବାର ଭୁବନେଶ୍ବର ବାହାରକୁ ଯାଇଥିଲେ। ଘରେ ତାଲା ପକାଇ ସେ ଯାଇଥିଲେ। ୧୯ ତାରିଖ ସକାଳୁ ସେ ଘରକୁ ଫେରିବା ପରେ ଚୋରି ହୋଇଥିବା ଦେଖିଥିଲେ। କବାଟ ତାଲା ଓ ଭିତରେ ଆଲ୍‌ମିରା ତାଲା ଭଙ୍ଗା ଯାଇଥିଲା। ତୁରନ୍ତ ସେ ନୂଆପଲ୍ଲୀ ଥାନାକୁ ଜଣାଇଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ଛାନ୍‌ଭିନ ଆରମ୍ଭ କରିଥିଲା। ସେହିଭଳି ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। କବାଟ, ଝରକାର ଗ୍ରିଲ୍‌ ସବୁ ଠିକ୍ ଥିଲା। କେବଳ ମୁଖ୍ୟ କବାଟର ତାଲା ଓ ଆଲ୍‌ମିରା ଭଙ୍ଗା ହୋଇଥିଲା। ପେସାଦାର ସିନ୍ଧିଚୋରଙ୍କ ତରିକାଠାରୁ ଏହି ଚୋରି ଥିଲା ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର। ତେଣୁ କେହି ପରିଚିତ ଲୋକର କାଣ୍ଡ ବୋଲି ସନ୍ଦେହ କରି ପୁଲିସ ମୁର୍ସିଦ୍‌ଙ୍କୁ ଅଧିକ ପଚରାଉଚରା କରିଥିଲେ। ମୁର୍ସିଦ୍‌ ତାଙ୍କ ପଡ଼ୋଶୀ ମୁନ୍ତେଜିର୍‌ ବାବଦରେ ସବୁ ସୂଚନା ଦେଇଥିଲେ। ସିସିଟିଭି ଫୁଟେଜ୍‌ର ଅସ୍ପଷ୍ଟ ଚେହେରା ସହ ମୁନ୍ତେଜିର୍‌ର ଚାଲିଚଳଣ ମିଶିଯାଇଥିଲା। ତେଣୁ ପୁଲିସ ଅତର୍କିତ ଭାବେ ମୁନ୍ତେଜିର୍‌କୁ ଉଠାଇ ପଚରାଉଚରା କରିଥିଲା। ମୁନ୍ତେଜିର୍‌ ସବୁ ସତ ଉଗାରି ପକାଇଥିଲା।