କାର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, କନ୍ଧମାଳରୁ କଟକ ଭାୟା ଭୁବନେଶ୍ବର

ଖଣ୍ଡଗିରି: କନ୍ଧମାଳରୁ ଭୁବନେଶ୍ବର ଦେଇ କଟକ ଚାଲାଣ କରୁଥିବା ଏକ ଗଞ୍ଜେଇ ଚାଲାଣକାରୀ ରୢାକେଟ୍‌କୁ ଗିରଫ କରିଛି କମିସନରେଟ୍‌ ପୁଲିସ। ଗୁରୁବାର ଅପରାହ୍ଣ ୪ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍‌ ଉପରୁ କୁଇକ୍ ଆକ୍ସନ ଟିମ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତଭାବେ ଚଢ଼ଉ କରି ଏହି ୩ ଜଣିଆ ଗ୍ୟାଙ୍ଗ୍‌କୁ ଧରିଛି। କିନ୍ତୁ ଏହି ରୢାକେଟ୍‌ର ମାଷ୍ଟର ମାଇଣ୍ଡ ଧରାପଡ଼ି ନଥିବା ଜଣାପଡ଼ିଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କରିମ୍‌ ଉଲ୍ଲା(୩୪), ଖାରବେଳନଗର ଥାନା ଅଞ୍ଚଳର ସେକ୍ ମୁଜିବୁର୍(୩୫) ଓ କ୍ୟାପିଟାଲ ଥାନା ୟୁନିଟ୍-୬ ଅଞ୍ଚଳର ସଂଗ୍ରାମ କେଶରୀ ବେହେରା(୨୭)। ପୁଲିସ ସେମାନଙ୍କଠାରୁ ୨୭.୫ କେଜି ମାଲ୍ ସହ ୧୦ ହଜାର ଟଙ୍କା ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ଦର ଲ‌େକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ କନ୍ଧମାଳରୁ ମାଲ୍ ନେଇ କଟକ ଯାଉଥିଲେ। କିଛି ମାଲ୍ ଭୁବନେଶ୍ବରରେ ଖୁଚୁରା ବେପାରୀମାନଙ୍କୁ ଦିଆଯାଇଥା’ନ୍ତା ଓ ବଳକା ମାଲ୍ କଟକ ପଠାଯାଇଥା’ନ୍ତା। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍‌ ତମାଣ୍ଡୋ ଓ ଆଇଗିଣିଆ ମଧ୍ୟରେ ଛକି ରହିଥିଲେ। ପୂର୍ବ ସୂଚନାନୁସାରେ କଳା ରଙ୍ଗର ଏକ କାର୍(ଓଡି୦୨ଏବି-୫୭୮୨) ତମାଣ୍ଡୋ ପାର୍ ହେବା ପରେ ପୁଲିସ ତାକୁ ପିଛା କରି ଆଇଗିଣିଆ ଛକରେ ଅଟକାଇଥିଲା। ଯାଞ୍ଚ କରିବାରୁ କାର୍ ପଛ ସିଟ୍‌ ତଳୁ ଗଞ୍ଜେଇ ବସ୍ତା ମିଳିଥିଲା। କାର୍‌ଟି ଅଭିଯୁକ୍ତ କରିମ୍‌ ଉଲ୍ଲାର ଓ ସେ ନିଜେ ଚାଳକ ହୋଇଥିବାବେଳେ ନିୟମିତ ଏହି ଦୁଇ ସହଯୋଗୀଙ୍କ ସହ ଚୋରା କାରବାର କରି ଆସୁଥିଲା। ତେ‌ବେ ଏହି ଚୋରା ମାଲ୍ କାରବାରରେ ପୁଞ୍ଜି ଖଟାଉଥିବା ମାଷ୍ଟର ମାଇଣ୍ଡ ତଥା ଏମାନଙ୍କୁ ଚାଲାଣକାରୀଭାବେ ବ୍ୟବହାର କରୁଥିବା ଗ୍ୟାଙ୍ଗ୍‌ ଲିଡର୍‌ ବାବଦରେ ୩ ଅଭିଯୁକ୍ତ ମୁହଁ ଖୋଲୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର