ଖଣ୍ଡଗିରି: ରାତିଅଧରେ ବେପରୁଆ ଗାଡ଼ିଚାଳନା ଯୋଗୁ ଗତକାଲି ରାଜଧାନୀରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଛିଡ଼ାହୋଇଥିବା ଆଇଚର୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ମୃତକମାନେ ହେଉଛନ୍ତି ନୟାଗଡ଼ ଇଟାମାଟି ରାମଚନ୍ଦ୍ରପୁର ଅଞ୍ଚଳର ସୁଧୀର ବେହେରା (୩୪), ଘଡ଼ୁଆଳ ଅଞ୍ଚଳର ତାପସ ରଞ୍ଜନ ଦାଶ(୩୩) ଓ ସଞ୍ଜୟ କୁମାର ସାହୁ (୪୫)। ଦୁର୍ଘଟଣା ପରେ ହାଇୱାଚାଳକ ଗାଡ଼ିନେଇ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ୍ ଭୁବନେଶ୍ବରକୁ ପଠାଇଥିଲା। ଅପରାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ଗାଡ଼ିତଳେ ମରାମତି କରୁଥିଲେ
ଖବର ମୁତାବକ, କାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ବରରୁ ଖୋର୍ଦ୍ଧା ଅସୁଥିବା ଏକ ଆଇଚର୍ (ଓଡି୦୨ଏଜେ୧୦୪୮) ତମାଣ୍ଡୋ ଥାନା ନିକଟରେ ଖରାପ ହୋଇଯାଇଥିଲା। ଖବର ପାଇ ଗାଡ଼ି ମରାମତି ପାଇଁ ପମ୍ପ୍ ମେକାନିକ୍ ସୁଧୀର ଓ ଇଞ୍ଜିନ୍ ମେକାନିକ୍ ତାପସ ଜଣେ ସାଙ୍ଗଙ୍କୁ ଧରି ଏକ ୱାଗ୍ନର୍ କାର୍ ଯୋଗେ ନୟାଗଡ଼ରୁ ତମାଣ୍ଡୋ ଆସିଥିଲେ। ପହଞ୍ଚିବା ପରେ ଆଇଚର୍ ଡ୍ରାଇଭର୍ ସଞ୍ଜୟଙ୍କ ସହିତ ସୁଧୀର ଓ ତାପସ ଗାଡ଼ି ମରାମତିରେ ଲାଗି ପଡ଼ିଥିଲେ। ତେବେ ରାତି ପ୍ରାୟ ୨ଟା ୫୦ ସମୟରେ ପଛପଟୁ ଆସୁଥିବା ଏକ ହାଇୱା (ଓଡି୦୨ଏଏଫ୍୩୮୫୬) ଆଇଚର୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଇଚର୍ ତଳେ ରହି ମରାମତି କରୁଥିବା ୩ ଜଣଯାକ ଚାପିହୋଇ ରହିଯାଇଥିଲେ। ପ୍ରଚଣ୍ଡ ଶବ୍ଦ ହେବାରୁ ୱାଗ୍ନର୍ କାର୍ ଡ୍ରାଇଭର୍ ଓ ସୁଧୀରଙ୍କ ସାଙ୍ଗ କାର୍ରୁ ବାହାରକୁ ଆସି ଦେଖିଲା ବେଳକୁ ୩ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏମ୍ସ୍ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିଲା। ସୁଧୀରଙ୍କ ମାମୁ ପୂର୍ଣ୍ଣଚନ୍ଦ୍ର ସନ୍ତଙ୍କ ଅଭିଯୋଗ ଭିତ୍ତିରେ ତମାଣ୍ଡୋ ପୁଲିସ ୪୩୬/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତ ହାଇୱା ଡ୍ରାଇଭର୍କୁ ଧରିବା ଲାଗି ପୁଲିସ ତଦନ୍ତ ଚଳାଇଛି। । ଆଜି ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛି। ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ପୁଲିସ ହାଇୱେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।