ବାଲିପାଟଣା: ବାସହୀନଙ୍କୁ ପକ୍କା ଘର ଓ ଭୂମିହୀନଙ୍କୁ ଜମି ସହ ପକ୍କା ଘର ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ବହୁ ହିତାଧିକାରୀ ମଧ୍ୟ ଏହି ଯୋଜନାରେ ଉପକୃତ ହେଉଛନ୍ତି। କିନ୍ତୁ ହାତେଇ ପାରିଲେ ହେଲା ନ୍ୟାୟରେ ଚାଲିଛି ଏହି ଯୋଜନା। ତେଣୁ ବାଲିପାଟଣା ବ୍ଲକ ଗୁଆପୁର ପଞ୍ଚାୟତର ସବିତା ବେହେରାଙ୍କ ଭଳି ଗରିବ ନିରୀହ ମହିଳାମାନେ ସ୍ବତଃ ଏହି ଯୋଜନାରୁ ବଞ୍ଚିତ ହୋଇପଡ଼ନ୍ତି ଓ ଏଥିପ୍ରତି କାହାର ନିଘା ନଥାଏ। ଏହି ସବିତାମାନଙ୍କ ନିରୀହ ସ୍ବର ଏତେ କ୍ଷୀଣ ଯେ ପ୍ରଶାସନର କାନ ପାଖରେ ପହଞ୍ଚିବା ପୂର୍ବରୁ ପବନରେ ମିଳେଇ ଯାଏ। ତେଣୁ ସେମାନେ ସେମିତି ପଲିଥିନ୍ ତଳେ ବଞ୍ଚିବାକୁ ବାଧ୍ୟ ହୁଅନ୍ତି। ପ୍ରାକୃତିକ ବିପର୍ଯ୍ୟୟବେଳେ ପର ଅଗଣା ବା ବିଦ୍ୟାଳୟ ବାରଣ୍ଡା ସେମାନଙ୍କ ଆଶ୍ରୟ ପାଲଟେ ବର୍ଷ ବର୍ଷ ଧରି। ସରକାରୀ ପକ୍କା ଘର ସେମାନଙ୍କ ପାଇଁ ସାତ ସପନ ସଦୃଶ ହୋଇଥାଏ।
କୁଶଭଦ୍ରା ନଦୀ ବନ୍ଧ କଡ଼ରେ ଗୁଆପୁର ପଞ୍ଚାୟତରେ ସବିତାଙ୍କ ଘର। ସରକାରୀ ଜମି ଉପରେ କେଇଖଣ୍ଡ ବାଉଁଶ ଓ ପଲିଥିନ୍ ଛାତର ଘର। ସେହି ଘରେ ଜାକିଜୁକି ହୋଇ ମୁଣ୍ଡ ଗେଞ୍ଜିଛନ୍ତି ସବିତାଙ୍କ ସହ ଦୁଇ ପୁଅ ମହିମା(୧୮) ଓ ଅଲେଖ (୧୨)।
୨ ବର୍ଷ ତଳେ ସବିତାଙ୍କ ସ୍ୱାମୀ କିଶୋର ବେହେରାଙ୍କ ଦେହାନ୍ତ ହୋଇଛି। ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ ଆସି ମୂଲପାତି ଲାଗି ଚଳୁଥିବା ଏହି ପରିବାର ଦୀର୍ଘ ୩୦ ବର୍ଷ ହେଲା ଏହି କୁଡ଼ିଆରେ ରହୁଛନ୍ତି। ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ କାର୍ଡ ମିଳିଛି। ସେ ଭୂମିହୀନ ବୋଲି ପ୍ରଶାସନ ନିକଟରେ ହିସାବ ମଧ୍ୟ ଅଛି। ହେଲେ କିଛି ଲାଭ ମିଳିନି। ବାତ୍ୟା ଫନିରେ ତାଙ୍କ କୁଡ଼ିଆ କ୍ଷତିଗ୍ରସ୍ତ ହେଲେ ମଧ୍ୟ ପଇସାଟିଏ ସହାୟତା ମିଳିଲା ନାହିଁ। ଭୂମିହୀନ ହୋଇଥିବାରୁ ସେ ଫନି ଘର ଭଙ୍ଗା ସହାୟତାରୁ ବଞ୍ଚିତ ହେଲେ। ସ୍ବାମୀଙ୍କ ମୃତ୍ୟୁ ପରଠାରୁ ତାଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ରୋଜଗାର ନଥିବାରୁ ଚଳିବା କାଠିକର ହୋଇପଡ଼ୁଛି। ମୂଲ ଲାଗିବାକୁ ଦେହରେ ମନରେ ଜୁ’ ଥିଲେ ବି ସବୁବେଳେ କାମ ମିଳୁନି। ତେଣୁ ପେଟକୁ ଖାଇବା ଯୋଗାଡ଼ କରିବା ଯେଉଁଠି କଷ୍ଟ, ସେଠି ମୁଣ୍ଡ ଗୁଞ୍ଜିବା କଥା ଭାବିବାକୁ ସବିତାଙ୍କୁ ସମୟ ମିଳେନି। ଜମି ଓ ସରକାରୀ ପକ୍କା ଘର ଖଣ୍ଡେ ପାଇଁ ସବିତା ବହୁଥର ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି ତାଙ୍କ କଥା ପ୍ରତି କେହି ଧ୍ୟାନ ଦେଇନାହାନ୍ତି। ପ୍ରଶାସନ ସବିତାଙ୍କ ଦୁଃଖ ଶୁଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।