ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଲୁଟ୍‌ ଘଟଣା, ଧରାପଡ଼ିଲେ ୩ ଲୁଟେରା

ଚୋରି ସୁନା ଗହଣା ଉଦ୍ଧାର, ଦେଶୀବନ୍ଧୁକ, ଅଫୁଟା ଗୁଳି ଜବତ

ଭୁବନେଶ୍ବର/ ବାଲିଅନ୍ତା: ହଂସପାଳ-ଅଭୟମୁଖୀ ମୁଖ୍ୟ ରାସ୍ତାରେ ବନ୍ଧୁକ ଦେଖାଇ ଏକ ଦମ୍ପତିଙ୍କଠାରୁ ଲୁଟ୍‌ ଘଟଣାରେ କମିସନରେଟ୍‌ ପୁଲିସ୍‌କୁ ସଫଳତା ମିଳିଛି। ସ୍ପେସାଲ ସ୍କ୍ବାଡ୍‌ ସହାୟତାରେ ବାଲିଅନ୍ତା ଥାନା ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗତ୍‌ସିଂହପୁର ନାଉଗାଁ ଥାନା କୋରୁଆ ଗ୍ରାମର ବିଶ୍ବଜିତ ସ୍ବାଇଁ, ସିଲୁ ସାମଲ ଓ ଶିବାଶିଷ ଦାସ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। କିନ୍ତୁ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ଟି ଅଫୁଟା ଗୁଳି, ବାଇକ୍, ୧୦ଗ୍ରାମ୍‌ ଓଜନର ଗୋଟିଏ ସୁନା ଚେନ୍‌, ୫ ଗ୍ରାମ୍‌ ଓଜନର ସୁନା ଲକେଟ, ୪ଟି ମୋବାଇଲ୍‌, ନଗଦ ୧୦୦୦ ଟଙ୍କା ଜବତ ହୋଇଛି। ଏମାନଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ଛିନ୍‌ତାଇ ଓ ଲୁଟ୍‌ ମାମଲା ରହିଛି। ତେବେ ଅନ୍ୟ ଜିଲ୍ଲାରେ ଏମାନଙ୍କ ନାମରେ ମାମଲା ରହିଛି କି ନାହିଁ, ତାହା ଜାଣିବା ପାଇଁ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଗତ ଜୁନ୍‌ ୨୫ ତାରିଖ ମଧ୍ୟାହ୍ନରେ ଓଲଟପୁର ଥାନା ଅଧୀନ ଦାମୋଦରପୁର ଅଞ୍ଚଳର ଗାଡ଼ି ମେକାନିକ୍‌ ଆଲୋକ କୁମାର ଜେନା ଓ ତାଙ୍କ ଗର୍ଭବତୀ ପତ୍ନୀ ସୁଲୋଚନା ପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ଅଭିଯୁକ୍ତ ତିନିଜଣ ବାଇକ୍‌ରେ ତାଙ୍କୁ ପିଛା କରି ଭିଙ୍ଗାରପୁର ରାମଚନ୍ଦ୍ର କାଜ ବ୍ରିଜ ନିକଟରେ ଅଟକାଇଥିଲେ। ଆଲୋକଙ୍କୁ ସେମାନେ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁଲୋଚନାଙ୍କ ସୁନାଚେନ, ମଙ୍ଗଳସୂତ୍ର, ଶଙ୍ଖା, ଲକେଟ, ଭ୍ୟାନିଟରେ ଥିବା ୮୦୦୦ ଟଙ୍କା, ଉଭୟଙ୍କ ସୁନାମୁଦି ଓ ଦୁଇଟି ଦାମୀ ମୋବାଇଲ‌ ସହ ୩ଟି ବ୍ୟାଙ୍କର ଏଟିଏମ କାର୍ଡ ଲୁଟି ନେଇଥିଲେ। ଏନେଇ ସୁଲୋଚନା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଦାୟିତ୍ବ ସ୍ପେସାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। ଦମ୍ପତିଙ୍କ ଲୁଟ୍‌ ହୋଇଥିବା ଦୁଇ ମୋବାଇଲକୁ ପୁଲିସ ଟ୍ରାକ୍‌ କରୁଥିଲା। ଗତକାଲି ମୋବାଇଲ୍‌ ଅନ୍‌ ହେବା ପରେ ପୁଲିସ୍‌ ଜଗତ୍‌ସିଂହପୁରରୁ ପ୍ରଥମେ ବିଶ୍ବଜିତକୁ ଧରିବା ପରେ ତା’ ସୂଚନା ଆଧାରରେ ଅନ୍ୟମାନଙ୍କୁ ଧରା ଯାଇଥିଲା।

ପୁଲିସ୍‌ ସୂଚନାନୁଯାୟୀ, ଏହି ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲୋକମାନଙ୍କଠାରୁ ଲୁଟ୍‌ କରିଥାନ୍ତି। ବି‌ଶେଷକରି ରାଜପଥ ଓ ଜିଲ୍ଲାର ମୁଖ୍ୟରାସ୍ତାକୁ ଏମାନେ ଟାର୍ଗେଟ୍‌ କରିଥାନ୍ତି। ଲୁଟ୍‌ ପରେ ଅନ୍ୟ ଜିଲ୍ଲା‌ରେ ଆତ୍ମଗୋପନ କରିଥାନ୍ତି। ପଚରାଉଚରା ବେଳେ ସେମାନେ ପୁଲିସ୍‌କୁ ଏହି ସୂଚନା ଦେଇଥିବା ଜଣାଯାଇଛି। ତେବେ ଏମାନେ କୌଣସି ରୢାକେଟ୍‌ରେ ସଂପୃକ୍ତ କି ନାହିଁ, ସେ ନେଇ ତଦନ୍ତ ଚାଲିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର