ଭୁବନେଶ୍ବର/ମେଣ୍ଢାଶାଳ: ଅନ୍ତଃରାଜ୍ୟ ଲୁଟେରା ‘ସୁଧା ଗ୍ୟାଙ୍ଗ୍‌’ର ଆଉ ୩ ସଦସ୍ୟଙ୍କୁ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ଆଜି ଗିରଫ କରିଛି। ସେମାନେ ହେଲେ, କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ବିଜୟ ସାହୁ(୩୦), ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଦୁଃଖୀଶ୍ୟାମ ନାୟକ ଓରଫ ମୂଷା(୨୦) ଏବଂ ଖୋର୍ଦ୍ଧା ଜଟଣୀ ଅଞ୍ଚଳର ସାୟଦ ଫୟାଜ(୩୦)। ପୁଲିସ ସେମାନଙ୍କଠାରୁ ନଗଦ ୫ଲକ୍ଷ ଟଙ୍କା ଓ ୧୬୦ ଗ୍ରାମ ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ସାଢ଼େ ୭ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଗ୍ୟାଙ୍ଗ୍‌ର ଆଉ ୪ଜଣ ସଦସ୍ୟ ଏବେ ବି ଫେରାର୍‌ ଅଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଛି। ଏ ସଂପର୍କରେ ଚନ୍ଦକା ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟଙ୍କୁ ପୁଲିସ୍‌ ପୂର୍ବରୁ ଗିରଫ କରିଥିଲା।

Advertisment

ସୂଚନା ମୁତାବକ, ୧୩ ଜଣିଆ ଏହି ଗ୍ୟାଙ୍ଗ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟପାଟ୍‌, ଡକାୟତି, ହତ୍ୟା ଉଦ୍ୟମ ଭଳି ବିଭିନ୍ନ ଆପରାଧିକ କାଣ୍ଡ ଘଟାଇ ପୁଲିସର ନିଦ ହଜାଇ ଦେଇଥିଲେ। ଗତ ମାସ ୨୬ ତାରିଖ ଦିନ ଚନ୍ଦକା ଥାନା ଅଞ୍ଚଳର ସତ୍ୟନାରାୟଣ ମିଶ୍ରଙ୍କ ଘର ଝରକା ତାଡ଼ି ଲୁଟେରାମାନେ ନଗଦ ୧୧ଲକ୍ଷ ଟଙ୍କା, ୩୫୦ ଗ୍ରାମ୍‌ ଓଜନର ସୁନା ଗହଣା ଲୁଟି ନେଇଥିଲେ। ଏହା ପୂର୍ବରୁ ବି ରାଜଧାନୀରେ ଅନୁରୂପ ଢଙ୍ଗରେ ସିନ୍ଧିଚୋରି ହୋଇଥିଲା।

ତେଣୁ ଏହି ଲୁଟେରାଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌, ପିଓପିଡି ଟିମ୍ ଓ ଟିମ୍-୬୦ ମିଳିତ ଭାବେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ସତ୍ୟନାରାୟଣଙ୍କ ଘର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଏକ ଅଟୋ ସନ୍ଦେହଘେରକୁ ଆସିଥିଲା। ନମ୍ବର ଜଣାପଡ଼ୁ ନଥିଲେ ମଧ୍ୟ ଅଟୋର କିଛି ସ୍ବତନ୍ତ୍ର ଚିହ୍ନ ଦେଖି ପୁଲିସ୍‌ ତାକୁ ଠାବ କରିବାକୁ ଚେଷ୍ଟା କରିଥିଲା। ତେବେ ମାତ୍ର ଦୁଇ ଦିନ ଭିତରେ ଅର୍ଥାତ୍‌ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ ପୁଲିସ ସହିଦନଗର ଅଞ୍ଚଳରେ ଅଟୋକୁ ଠାବ କରି ୬ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ନଗଦ ୫ଲକ୍ଷ ୮୫ହଜାର ଟଙ୍କା, ୧୪୦ ଗ୍ରାମ ସୁନା, ଶହେ ଗ୍ରାମ ରୁପା, ବିଦେଶୀ ନୋଟ୍‌, କଏନ୍‌ ଏବଂ ୩୦ଟି ମୋବାଇଲ୍ ଜବତ କରିଥିଲା। ହେଲେ ବିଜୟ, ମୂଷା ଏବଂ ଫୟାଜ ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ହୋଇଯାଇଥିଲେ।

publive-image

ଏହି ଗ୍ୟାଙ୍ଗ୍‌ ନାଁରେ ବାଲିପାଟଣା, ବାଲିଅନ୍ତା, ଇନ୍‌ଫୋଭ୍ୟାଲି, ସହିଦନଗର, ବଡ଼ଗଡ଼, ଚନ୍ଦକା, ଲିଙ୍ଗରାଜ ଆଦି ଥାନାରେ ୧୩ରୁ ଅଧିକ ମାମଲା ରହିଛି। ଏହାବାଦ୍ ଯାଜପୁର, ବାଲେଶ୍ବର, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହି ଗ୍ୟାଙ୍ଗ୍‌ ଲୁଟ୍‌ପାଟ୍‌ କରିଥିବା ସୂଚନା ମିଳିଛି।

ଭଡ଼ା ଘର ଖୋଜିବା ବେଳେ ମାଡ଼ି ବସିଲା ପୁଲିସ

ଅଭିଯୁକ୍ତମାନେ ଚନ୍ଦକା ଅଞ୍ଚଳରେ ଭଡ଼ା ଘର ନେଇ ରହିବାକୁ ସ୍ଥିର କରିଥିଲେ। ସେମାନେ ରବିବାର ଦିନ ପାଖାପାଖି ୧୨ଟାରେ ଚନ୍ଦକା ଅଞ୍ଚଳରେ ଘର ଖୋଜୁଥିବା ବେଳେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଲୁଟେରାମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନେ ପୁଲିସକୁ ଚକ୍‌ମା ଦେବା ପାଇଁ ଚନ୍ଦକା ଜଙ୍ଗଲରେ ପଶି ଯାଇଥିଲେ। ହେଲେ ପୁଲିସ ବି ସେମାନଙ୍କ ପଛେପଛେ ଜଙ୍ଗଲରେ ପଶି ଦୁଇ ଘଣ୍ଟା କାଳ କସରତ କରିବା ପରେ ୩ଜଣଙ୍କୁ କାବୁ କରିଥିଲା।

ଜମି କିଣିବାକୁ ଅଗ୍ରୀମ ଦେଇଥିଲା ୫ଲକ୍ଷ

ପୁଲିସ ୩ ଲୁଟେରାଙ୍କୁ ଗିରଫ ପରେ ସେମାନଙ୍କଠାରୁ ସୁନାଗହଣା ଓ ଟଙ୍କା ଜବତ ପାଇଁ ପ୍ରୟାସ ଆରମ୍ଭ କରିଥିଲା। କାହାପାଖରେ କେତେ ସୁନା ଓ ଟଙ୍କା ଅଛି, ସେମାନେ ସବୁ ମାନି ଯାଇଥିଲେ। ଜଣଙ୍କ ପରେ ଜଣଙ୍କ ଘରେ ଚଢ଼ଉ କରି ସୁନା ଓ ଟଙ୍କା ଜବତ କରାଯାଇଥିଲା। ବିଜୟ ଘରେ ପୁଲିସ ଚଢ଼ଉ କରି ଶହେ ଗ୍ରାମ ଓଜନର ସୁନାଗହଣା ଜବତ କରିଥିଲା। ସେ ଚୋରି ଟଙ୍କାରେ ଜମି କିଣିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଜଣେ ଜମି ମାଲିକଙ୍କୁ ୫ ଲକ୍ଷ ଟଙ୍କା ଦେଇଥିବା କହିଥିଲା। ପୁଲିସ ଜମିମାଲିଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା। ସେହିପରି ମୂଷା ଓ ଫୟାଜ ଘରୁ ୩୦ଗ୍ରାମ ଲେଖାଏଁ ମୋଟ ୬୦ ଗ୍ରାମ ଓଜନର ସୁନାଗହଣା ଜବତ କରିଥିଲା।