୩ ମେୟର ପ୍ରାର୍ଥୀ କୋଟିପତି: ସୁଲୋଚନା ସବୁଠୁ ଧନୀ

ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ କରିଥିବା ୧୨ ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ। ପ୍ରାର୍ଥିପତ୍ରରେ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଜଣାପଡ଼ିଛି। ତାଙ୍କର ସମ୍ପତ୍ତି ହେଉଛି ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮। ଏଥିରେ ତାଙ୍କର ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ବାମୀ ପ୍ରଫୁଲ୍ଲ ଦାସଙ୍କ ସମ୍ପତ୍ତି ୭୧ ଲକ୍ଷ ୨୭ ହଜାର ୫୨୨ ଟଙ୍କା ରହିଛି। ଏଥିରେ ବ୍ୟାଙ୍କ୍‌ ଜମା, ଏଲ୍‌ଆଇସି, ଡାକଘରେ ଜମା ପ୍ରଭୃତି ରହିଛି। ସୁଲୋଚନାଙ୍କ ନାମରେ ଜମିବାଡ଼ି ନାହିଁ। ତାଙ୍କ ସ୍ବାମୀଙ୍କ ନାମରେ ନନ୍ଦାଦେବୀ ଭିଆଇପି ଏନ୍‌କ୍ଲେଭ୍‌ରେ ଏକ ଫ୍ଲାଟ୍‌ ରହିଛି। ଯାହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଉଭୟଙ୍କ ନାମରେ କୌଣସି ବ୍ୟାଙ୍କ୍‌ ଋଣ ନଥିବା ସତ୍ୟପାଠରେ ଦର୍ଶାଯାଇଛି। ସୁଲୋଚନାଙ୍କ ପା‌ଖରେ ଆକ୍ଟିଭା ସ୍କୁଟି ଥିଲା ବେଳେ ସ୍ବାମୀଙ୍କ ପାଖରେ ଡଷ୍ଟର୍‌ କାର୍‌ ଅଛି।

ସେହିଭଳି ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ ମଧ୍ୟ କୋଟି ପତି। ତାଙ୍କର ୧ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କାର ସମ୍ପତ୍ତି। ୧୨ ଲକ୍ଷ ୨ ହଜାର ୬୭୧ ଟଙ୍କା ବିଭିନ୍ନ ବ୍ୟାଙ୍କ୍‌, ଡାକଘର ଓ ବଣ୍ଡ୍‌ ପ୍ରଭୃତି ଥିବା ବେଳେ ଝାରପଡ଼ା ସିଦ୍ଧି ବିନାୟକ ରେସିଡେନ୍‌ସିରେ ରହିଥିବା ଫ୍ଲାଟ୍‌ର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ଦର୍ଶାଯାଇଛି। ନିଜ ନାମରେ ଗୋପୀନାଥପୁର ମୌଜାରେ ରହିଥିବା ଜମିର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଦର୍ଶାଯାଇଛି। ସୁନୀତିଙ୍କ ପାଖରେ ଏକ ମାରୁତି ସୁଜୁକି କାର୍‌ ରହିଛି।

କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କର ୧୩ ଲକ୍ଷ ୧୩ ହଜାର ୬୦୬ ଟଙ୍କାର ସମ୍ପତ୍ତି ରହିଛି। ଏଥିରୁ ତାଙ୍କ ନାମରେ ୧୨ ଲକ୍ଷ ୩୧ ହଜାର ୫୦୬ ଟଙ୍କାର ଜମା ରହିଥିବା ବେଳେ ସ୍ବାମୀ ଜିତେନ୍ଦ୍ର ପଣ୍ଡାଙ୍କ ନାମରେ ୮୨ ହଜାର ଶହେ ଟଙ୍କାର ବ୍ୟାଙ୍କ୍‌ ଜମା ଥିବା ଜଣାପଡ଼ିଛି।

ଆମ୍‌ ଆଦ୍‌ମି ପାର୍ଟି(ଆପ୍‌) ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଧନୀ। ଆପ୍‌ର ପ୍ରାର୍ଥୀ ସରୋଜିନୀ ଖୁଣ୍ଟିଆଙ୍କର ୮୯ ଲକ୍ଷ ୯୦୪ ଟଙ୍କାର ସମ୍ପତ୍ତି ରହିଛି। ଏଥିରେ ୧୬ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ୍‌ ଜମା ରହିଥିବା ବେଳେ ୭୨ ଲକ୍ଷ ୩୮ ହଜାର ୯୦୪ ଟଙ୍କାର ଜମି ରହିଛି। ତାଙ୍କ ନାମରେ ୫ ଲକ୍ଷ ୧୧ହଜାର ଟଙ୍କାର ଜମା ଥିବା‌ ବେଳେ ୧୩ ଲକ୍ଷ ୫୦ ହଜାର ଟଙ୍କାର ଜମି ରହିଛି। ସ୍ବାମୀ ଟୁନା ସ୍ବାଇଁଙ୍କର ୧୧ ଲକ୍ଷ ୫୧ ହଜାର ଟଙ୍କାର ଜମା ରହିଥିବା ତାଙ୍କ ନାମରେ ରହିଥିବା ଜମିର ବର୍ତ୍ତମାନର ମୂଲ୍ୟ ୫୮ ଲକ୍ଷ ୮୮ ହଜାର ୯୦୪ ଟଙ୍କା ଅନୁମାନ କରାଯାଇଛି।

ଫ୍ରି ଥଟ୍‌ ପାର୍ଟି ପ୍ରାର୍ଥୀ ସ୍ବପ୍ନା ବିଜୟିନୀ ମଧ୍ୟ କୋଟି ପତି। ତାଙ୍କର ୧ କୋଟି ୭୪ ଲକ୍ଷ ୩୮ ହଜାର ୩୩୭ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ତାଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ୧୧ ଲକ୍ଷ ୮୭ ହଜାର ୫୧୨ ଟଙ୍କା। ସ୍ବାମୀ ବି. ରାମଚନ୍ଦ୍ରଙ୍କ ନାମରେ ଥିବା ସମ୍ପତ୍ତି ମୂଲ୍ୟ ୧୨ ଲକ୍ଷ ୫୦ ହଜାର ୮୨୫ ଟଙ୍କା।

ସମ୍ବନ୍ଧିତ ଖବର