୩ ମାସ ହେଲା ସ୍ତ୍ରୀ, ପୁଅ ନିଖୋଜ: ମାମଲା ରୁଜୁ କରି ଚୁପ୍‌ ବସିଛି ପୁଲିସ

ଟ୍ୟୁସନରୁ ପୁଅକୁ ଆଣିବାକୁ ଯାଇଥିଲେ ପତ୍ନୀ

ଭୁବନେଶ୍ବର: ୩ମାସ ହେଲାଣି ରାଜଧାନୀରୁ ଜଣେ ମହିଳା ଓ ତାଙ୍କ ନାବାଳକ ପୁଅ ନିଖୋଜ ହୋଇଗଲେ। ଆଜି ପର୍ଯ୍ୟନ୍ତ କୌଣସି ଖୋଜଖବର ମିଳୁନାହିଁ। ଥାନାରେ ଅଭିଯୋଗ କଲେ ପୁଲିସ ଶୁଣୁନି। ଖାଲି ମାମଲା ରୁଜୁ କରିଦେଇ ବସିପଡ଼ିଛି। ଥାନାକୁ ଗଲେ କହୁଛନ୍ତି, ଏବେ ଆସନାହିଁ ନିର୍ବାଚନ ଅଛି। ନିର୍ବାଚନ ସରୁ ବୁଝିବା। ୩ମାସ ପର୍ଯ୍ୟନ୍ତ ସ୍ତ୍ରୀ, ପୁଅକୁ ନ ଦେଖି କ’ଣ କେହି ରହିପାରିବେ। ଜଣେ ରଙ୍ଗ ମିସ୍ତ୍ରି ଆଜି ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଉ ନଥିବା ସେ କହିଛନ୍ତି।

ରଙ୍ଗ ମିସ୍ତ୍ରି ରଶ୍ମିରଂଜନ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ପତ୍ନୀ ଓ ପୁଅକୁ ଧରି ଦୀର୍ଘ ବର୍ଷ ହେଲା ସେ ବଡ଼ଗଡ଼ ବ୍ରିଟ୍ କଲୋନିର ବେହେରା ବସ୍ତିରେ ରୁହନ୍ତି। ଗତ ବର୍ଷ ଡିସେମ୍ବର ୨୧ରେ ତାଙ୍କ ପତ୍ନୀ ନିରୁପମା ରାତି ୮ଟା ବେଳେ ପୁଅକୁ ଟ୍ୟୁସନ୍‌ରୁ ଆଣିବାକୁ ଯାଇଥିଲେ। ମାତ୍ର ସେବେଠାରୁ ଉଭୟ ମା’ ଓ ପୁଅ ଘରକୁ ଫେରିନାହାନ୍ତି। ବିଭିନ୍ନ ଜାଗାରେ ଖୋଜିବା ପରେ ଖୋଜଖବର ନ ମିଳିବାରୁ ବରଗଡ଼ ଥାନାରେ ଏତଲା ଦେଇଥିଲେ ବୋଲି ସେ କହିଛନ୍ତି।

ଅପରପକ୍ଷରେ ବଡ଼ଗଡ଼ ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରଶ୍ମିରଂଜନ ଗତ ଫେବ୍ରୁଆରି ୧୫ରେ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତ କରି ସଙ୍ଗେ ସଙ୍ଗେ ଅଭିଯୋଗ ଆଧାରରେ ଏକ ମିସିଂ ରିପୋର୍ଟରେ ମାମଲା ରୁଜୁ କରାଯାଇଥିଲା। ବିଭିନ୍ନ ଜାଗାରେ ଚଢ଼ଉ ମଧ୍ୟ କରାଯାଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମହିଳା ତାଙ୍କ ପୁଅକୁ ନେଇ ଗାଁକୁ ପଳାଇଛନ୍ତି। ମହିଳାଙ୍କ ଗାଁକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର