ଭୁବନେଶ୍ୱର : ‘ଦାଦାବଟିକୁ ନା’ ମିସନ୍ରେ ଆଣ୍ଟି ଏକ୍ସଟର୍ସନ ଟାସ୍କଫୋର୍ସ ଆଉ ୩ ଜଣଙ୍କୁ ଗିରଫ କରିଛି।
ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଲେ, ନୂଆଗାଁର ଅଲେଖ ବେହେରା ଓ ଭାଇ କୃଷ୍ଣଚନ୍ଦ୍ର ବେହେରା। ଜଣେ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ପୁଲିସ୍ ସୂଚନା ଅନୁଯାୟୀ, ଠିକାଦାର ତୁଷାର ବିହାରିଚକ୍ର ଭରତପୁରରେ ବିଦ୍ୟୁତ୍ ବିଭାଗ ଅଧୀନରେ କାମ କରିବା ପାଇଁ ଟେଣ୍ଡର୍ ପାଇଛନ୍ତି। ସେଠାରେ କାମ କରିବାକୁ ହେଲେ ୧ ଲକ୍ଷ ଟଙ୍କା ବଟି ଦେବାକୁ ପଡ଼ିବ ବୋଲି ଦୁଇ ଭାଇ ତାଙ୍କୁ ଧମକ ଦେଇଥିଲେ। ବଟି ନ ଦେଲେ କାମ କରାଇ ଦିଆଯିବ ନାହିଁ ବୋଲି କହିବାରୁ ତୁଷାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ସେହିପରି ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ଅଭିଯକ୍ତ ହେଲା, ମଞ୍ଚେଶ୍ୱର ଧିରକୁଟି ବସ୍ତି ପାତ୍ର ସାହିର ଶତ୍ରୁଘ୍ନ ସାହୁ। ଘରକୁ ସାହିଲୋକ ଉଚ୍ଛେଦ କରାଇଛନ୍ତି କହି ସେ ଲକ୍ଷେ ଟଙ୍କା ବଟି ମାଗିଥିଲା। ପୁଲିସ୍ ସୂଚନା ଅନୁଯାୟୀ, ଗାଡ଼କଣ ଅଞ୍ଚଳର ଏକ ସରକାରୀ ଜମିରେ ଘର ତିଆରି ହୋଇଥିଲା। ଅଭିଯୁକ୍ତ ଏହି ଜବରଦଖଲ ଘର ତିଆରିରେ ମୁଖ୍ୟ ସୂତ୍ରଧର ଥିଲା। ଦୀର୍ଘ ଦିନ ପରେ ବିଏମ୍ସି ଏହାକୁ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ପଛରେ ବସ୍ତିବାସିନ୍ଦାଙ୍କ ହାତ ଥିବା କହି ଶତ୍ରୁଘ୍ନ କିଛି ଲୋକଙ୍କୁ ଧମକ ଚମକ ଦେବା ସହ ଲକ୍ଷେ ଟଙ୍କା ବଟି ମାଗିଥିଲା।