ଏମ୍‌ସରେ ୩ ରୋଗୀଙ୍କ ଦୃଷ୍ଟିଶକ୍ତି ନେଲାଣି ମ୍ୟୁକରମାଇକୋସିସ୍‌

ଆଖି ପାଇଁ ନୂଆ ବିପଦ ସୃଷ୍ଟି କରୁଛି କୋଭିଡ୍

ଭୁବନେଶ୍ବର : ଏମ୍‌ସରେ ଚିକିତ୍ସାଧୀନ ୩ଜଣ ରୋଗୀ ମ୍ୟୁକରମାଇକୋସିସ ବା ବ୍ଲାକ୍ ଫଙ୍ଗସ୍‌ ଯୋଗୁଁ ଦୃଷ୍ଟିଶକ୍ତି ହରାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରୋଗୀଙ୍କ ଜୀବନ ରକ୍ଷା ପାଇଁ ବାଧ୍ୟ ହୋଇ ଡାକ୍ତରୀ ଦଳକୁ ଏହି ପଦକ୍ଷେପ ନେବାକୁ ପଡ଼ିଥିବା କୁହାଯାଇଛି। କେବଳ ମ୍ୟୁକରମାଇକୋସିସ ନୁହେଁ, କୋଭିଡ୍‌ମୁକ୍ତ ହେବା ପରେ ଆଖି ସମ୍ପର୍କିତ ମୈକୁଲୋପେଥି ରୋଗ ମଧ୍ୟ ଚିହ୍ନଟ ହେଲାଣି। ଆଖି ପାଇଁ ନୂତନ ବିପଦ ସୃଷ୍ଟି କଲାଣି କୋଭିଡ୍‌।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଚକ୍ଷୁର କଂଜିକ୍ଟିଭା ଦେଇ କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ବ୍ୟକ୍ତିଙ୍କଠାରେ କରୋନା ଆକ୍ରାନ୍ତ ହେବା ପୂର୍ବରୁ ଆଖି ଲାଲ ହୋଇଯାଏ। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରୋଟେକ୍ସନ ଗଗଲ୍ସ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। କରୋନାର ଅନ୍ୟାନ୍ୟ ଲକ୍ଷଣ ସହ ଏହି ଲକ୍ଷଣ ଯୋଗୁଁ ଅନେକ ରୋଗୀ ଏମ୍‌ସ ସମେତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ଆହୁରି ମଧ୍ୟ କୋଭିଡ ଆକ୍ରାନ୍ତ ହେବାର ୭ରୁ ୧୫ଦିନ ପରେ ଆଖିର ସ୍ନାୟୁକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ୨ରୁ ୫ପ୍ରତିଶତ ବ୍ୟକ୍ତିଙ୍କଠାରେ ଏହା ଦେଖାଯାଉଛି। କୋଭିଡ୍‌ର ଦ୍ବିତୀୟରୁ ତୃତୀୟ ସପ୍ତାହ ପରେ ଆଖିର ରକ୍ତ ଧମନୀ, ରକ୍ତଶିରାକୁ ବ୍ଲକ କରିବା ଭଳି ସମସ୍ୟା ମଧ୍ୟ ଚିହ୍ନଟ ହେଉଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଦୃଷ୍ଟିଶକ୍ତି ହରାଇବା ଭଳି ସମସ୍ୟା ହେଲାଣି। ପ୍ରଥମ ଲହରରେ କାଁଭାଁ ରୋଗୀଙ୍କଠାରେ ଏହି ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ସଂଖ୍ୟା ଅତି ଉଦ୍‌ବେଗଜନକ ନ ହେଲେ ବି ପୂର୍ବ ଅପେକ୍ଷା କୋଭିଡ୍‌ ଯୋଗୁଁ ଆଖି ସଂକ୍ରମଣ ସଂଖ୍ୟା ବଢ଼ିଛି।

କିଛି ଦିନ ପୂର୍ବରୁ କୋଭିଡ୍‌ ମୁକ୍ତ ହେବାର ୧୫ ଦିନ ପରେ ଜଣେ ରୋଗୀ ଆଖି ସମସ୍ୟା ନେଇ ଏମ୍‌ସରେ ପହଞ୍ଚିଥିଲେ। ତାଙ୍କ ପରଦାରେ ପାଣି ଜମିଥିବା ନେଇ ପରୀକ୍ଷଣ ପରେ ମୈକୁଲୋପେଥି ଜଣାପଡ଼ିଥିଲା। ମାତ୍ରାଧିକ ଷ୍ଟେରଏଡ୍‌ ନେବା ଯୋଗୁଁ ତାଙ୍କ ଆଖିର ରେଟିନାରେ ପାଣି ଜମି ଯାଇଥିବା ଆଶଙ୍କା କରାଯାଉଛି। ଏଥିଯୋଗୁଁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇ ପଡ଼ିଛି। ଏଥିସହ କୋଭିଡ୍‌ ଯୋଗୁଁ ମାନସିକ ଚାପ ମଧ୍ୟ ରେଟିନାକୁ ପ୍ରଭାବିତ କରେ ବୋଲି ଚକ୍ଷୁ ରୋଗ ବିଶେଷଜ୍ଞ କହିଛନ୍ତି। ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କଠାରେ ଆପେଆପେ ଏହା ଠିକ୍‌ ହୋଇଯାଏ। ୧୫ ଦିନ ମଧ୍ୟରେ ଏହା ସ୍ବାଭାବିକ ନହେଲେ ଇଂଜେକସନ କିମ୍ବା ଆବଶ୍ୟକ ଚିକିତ୍ସା କରାଯିବ ବୋଲି ଡାକ୍ତର ଉକ୍ତ ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ କୋଭିଡ୍‌ ସୁସ୍ଥ ହେବା ପରେ ମଧ୍ୟ ରୋଗୀ ନିୟମିତ ଡାକ୍ତରଙ୍କ ସହିତ ପରାମର୍ଶରେ ରହିବାକୁ କୁହାଯାଉଛି।

ବର୍ତ୍ତମାନ ମ୍ୟୁକରମାଇକୋସିସ ଏମ୍‌ସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲାଣି। ଏଠାରେ ଚିକିତ୍ସାଧୀନ ପ୍ରାୟ ୧୫ଜଣ ମ୍ୟୁକରମୋଇକୋସିସ୍‌ ରୋଗୀଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇନାହିଁ। କିନ୍ତୁ ରୋଗୀ ବିଳମ୍ବରେ ଆସିବା କିମ୍ବା ଭର୍ତ୍ତି ହେବା ପାଇଁ ବିଳମ୍ବ ହେବା ଯୋଗୁଁ ଅସୁବିଧା ହେଉଛି। ଇଏନ୍‌ଟି ବିଭାଗରେ ଏହି ରୋଗୀ ଭର୍ତ୍ତି ହେଉଥିଲେ ମଧ୍ୟ ତାଙ୍କ ସିଧାସଳଖ ସମ୍ପର୍କ ଆଖି ବିଭାଗ ସହ ରହୁଛି। ଏମ୍‌ସରେ ମ୍ୟୁକରମାଇକୋସିସ ଇଂଜେକସନ୍‌ର ଅଭାବ ନାହିଁ, ଏବେ ରାଜ୍ୟରେ ମ୍ୟୁକରମାଇକୋସିସ୍‌ ରୋଗର ଇଂଜେକସନ ଲିପୋଜୋମାଲ ଆମ୍ଫୋଟେରିସିନ-ବି ସବୁଠି ମିଳୁ ନଥିବା ଅଭିଯୋଗ ହେଉଛି। ମାତ୍ର ଏମ୍‌ସରେ ଏହାର କୌଣସି ଅଭାବ ନାହିଁ ବୋଲି ସେଣ୍ଟ୍ରାଲ ଫାର୍ମାସି ଇନଚାର୍ଜ ଡା. ବିଶ୍ବମୋହନ ପାଢ଼ୀ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି। ଏଥିସହ କୋଭିଡ୍‌ ମୁକାବିଲାରେ ଆବଶ୍ୟକ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଇଂଜେକସନ୍‌, ଔଷଧ ଯଥା ରେମଡେସିଭିର, ଟସଲିଜୁମାବ ଆଦି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ରହିଥିବା ସେ କହିଛନ୍ତି।

୧୩ ଦିନ ପରେ ମିଳିଲା ଇଂଜେକସନ୍‌
ଭୁବନେଶ୍ବର ରାଜଧାନୀସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ମ୍ୟୁକରମାଇକୋସିସ୍‌ ଆକ୍ରାନ୍ତଙ୍କୁ ମିଳିଲା ଲିପୋଜୋମାଲ ଆମ୍ଫୋଟେରିସିନ-ବି। ପ୍ରାୟ ୧୩ ଦିନ ହେଲା ସେ ଏହି ଇଂଜେକସନ୍‌ ଖୋଜୁଥିଲେ। ମାତ୍ର ଦେଶ ତଥା ରାଜ୍ୟରେ ଇଂଜେକସନ୍‌ର ସଂକଟ ଯୋଗୁଁ ତାଙ୍କୁ ଏହା ମିଳି ପାରୁନଥିଲା। ୩୧ ତାରିଖରେ ଏ ସଂକ୍ରାନ୍ତରେ ଖବର ସମ୍ବାଦରେ ପ୍ରକାଶିତ ହୋଇଥିଲା। ଏହାପରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ତାଙ୍କୁ ଏହି ଇଂଜେକସନ୍‌ ଉପଲବ୍ଧ କରାଯାଇଛି। ଏହି ଇଂଜେକସନ୍‌ ଦୈନିକ ୬ଟି ଦିଆଯାଏ। ପୂର୍ବରୁ ରୋଗୀଙ୍କୁ ୨୦ଟି ଦିଆଯାଇଥିଲା। ତାଙ୍କୁ ୩୬ଟି ଇଂଜେକସନ୍‌ର ଆବଶ୍ୟକ ଥିଲା। ବର୍ତ୍ତମାନ ସେହି ଆବଶ୍ୟକତା ପୂରଣ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର