ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ମୀନା ବଜାରରୁ ୩ କୁଇଣ୍ଟାଲ ଗୋ ମାଂସ ଜବତ ହୋଇଛି। ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଗୋମାତାଙ୍କୁ କାଟି ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ମାଂସ ଜବତ କରିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ବାଲିପାଟଣା ପୁଲିସ ଗୋ ମାଂସ ଜବତ କରିବା ସହ କଂସେଇକୁ ଥାନାକୁ ଆଣି ଅଟକ ରଖିଛି। ଏନେଇ ବଜରଙ୍ଗ ଦଳ ତରଫରୁ ଲିଖିତ ଅଭିଯୋଗ ହେବ ବୋଲି ଜଣା ପଡିଛି।
ସୂଚନା ଅନୁସାରେ ଜୟଦେବ ପଞ୍ଚାୟତ ସାହେବ ନଗର ସ୍ଥିତ ମୀନା ବଜାରରେ ଆଜି ସକାଳୁ ୨ଟି ଷଣ୍ଢଙ୍କୁ ମାରି ମାଂସ କାଟୁଥିବା ସମ୍ପର୍କରେ କୌଣସି ସୂତରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ସେଠାରେ ପହଞ୍ଚିଥିଲେ। ସତ୍ୟାସତ୍ୟ ଜାଣିବା ପରେ ପୁଲିସକୁ ଡାକି ମାଂସ ଜବତ କରିଥିଲେ। ପ୍ରାୟ ୩ କୁଇଣ୍ଟାଲ ଗୋ ମାଂସ ଜବତ ହୋଇଥିବା ସୂଚନା ମିଳିଛି। ତେବେ ବାରମ୍ବାର ଏହି ଅଞ୍ଚଳରେ ଗୋ ମାଂସ କାଟି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ଏସଆଇ ରାକେଶ ସାମଲ ସୂଚନା ଦେଇଛନ୍ତି।