ରାଜଧାନୀରେ ଏମିତି ସୁରକ୍ଷିତ ମହିଳା, ୧୨ ଦିନରେ ୩ ଦୁଷ୍କର୍ମ, ୧୦ ଅପହରଣ

ଭୁବନେଶ୍ବର: ଅଗଷ୍ଟର ପ୍ରଥମ ୧୨ ଦିନରେ ୩ଟି ଦୁଷ୍କର୍ମ, ୧୦ରୁ ଊର୍ଧ୍ବ ଅପହରଣ ଓ ଏକାଧିକ ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହେବା, ରାଜଧାନୀ‌ରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ସାଲିଆସାହିର ଜଣେ ଯୁବତୀ କଲେଜରୁ ଫେରୁଥିବା ବେଳେ ୪ସହଯୋଗୀଙ୍କ ସହ ମିଶି ଜଣେ ଯୁବକ ତାଙ୍କୁ ଅପହରଣ କରିଥିଲା। ସପ୍ତାହେରୁ ଅଧିକ ଦିନ ଧରି ଅଜ୍ଞାତ ସ୍ଥାନରେ ରଖିବା ସହ ଦୁଷ୍କର୍ମ କରିଥିଲା। ଯୁବତୀଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଥାନାର ଦ୍ବାରସ୍ଥ ହୋଇଥିଲେ। ଯୁବତୀଙ୍କ ଅଭିଯୋଗ ମୁତାବକ, ଅପହରଣ କରିଥିବା ଯୁବକର ପରିବାରଲୋକେ ମଧ୍ୟ ଏହି ଆପରାଧରେ ସାମିଲ ଅଛନ୍ତି।

ଏନେଇ ନୂଆପଲ୍ଲୀ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ। ସେହିପରି ଅଗଷ୍ଟ ୮ରେ କ୍ୟାପିଟାଲ ଥାନାରେ ଆଉ ଗୋଟିଏ ଦୁଷ୍କର୍ମ ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିଥିଲେ, କୋଲ୍‌କତାରେ ଏକ ପାର୍ଲରରେ କାମ କଲା ବେଳେ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ କଥା ବଢ଼ିଥିଲା ଓ ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣଙ୍କ ତାଙ୍କୁ ହୋଟେଲରେ ଦୁଷ୍କର୍ମ କରିଥିଲେ। ସେହିପରି ଗତ ଅଗଷ୍ଟ ୪ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ସମାନଧରଣର ଆଉ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଯୁବକଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଭୁବନେଶ୍ବରର ଏକ ହୋଟେଲ୍‌ରେ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଖାଲି ଗୋଟିଏ ନୋଟିସ୍ ଦେଇ ଥାନାରୁ ଛାଡ଼ି ଦେଇଥିଲା। ପୀଡ଼ିତା ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟର ଦ୍ବାରସ୍ଥ ହେବାରୁ ଚନ୍ଦ୍ରଶେଖରପୁର ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି।

ତେବେ କେବଳ ଦୁଷ୍କର୍ମ ନୁହେଁ, ଘରୋଇ ହିଂସା ଓ କାର୍ଯ୍ୟ କ୍ଷେତ୍ରରେ ଅସଦାଚରଣ ମାମଲାର ସଂଖ୍ୟା କମ୍‌ ନାହିଁ। ନିକଟରେ ତମାଣ୍ଡୋ ଥାନା ଅଞ୍ଚଳରେ ଜଣେ ଘରୋଇ ସହାୟିକାଙ୍କୁ କାମ କରାଇବା ବାହାନାରେ ଅସଦାଚରଣ କରାଯାଇଥିଲା। ଯୁବକଜଣଙ୍କ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ଅଭିଯୋଗ କେବଳ ମାମଲା ରୁଜୁରେ ସୀମିତ ରହିଛି। ସେହିଭଳି ଯୌତୁକଜନିତ ନିର୍ଯାତନାରେ ବି ରାଜଧାନୀ ପଛରେ ନାହିଁ। ନୂଆପଲ୍ଲୀଠୁ ଆରମ୍ଭ କରି କ୍ୟାପିଟାଲ୍ ଥାନା ପର୍ଯ୍ୟନ୍ତ ଏକାଧିକ ଥାନାରେ ଯୌତୁକ ନିର୍ଯାତନା ସଂପର୍କିତ ଅଭିଯୋଗ ହୋଇଛି। ବିଶେଷକରି ବାଲିପାଟଣା, ବାଲିଅନ୍ତା ଭଳି ଭୁବନେଶ୍ବର ଉପକଣ୍ଠ ଅଞ୍ଚଳ‌ରେ ଏଭଳି ଅଭିଯୋଗ ଆସିଛି।

ଏସ୍‌ଡିଜି ଇନ୍‌ଡେସ୍କ୍‌ରେ ବି ଭୁବନେଶ୍ବର ପଛରେ

୨୦୨୧-୨୨ର ଏସ୍‌ଡିଜି ଇନଡେସ୍କ୍‌କୁ ବିଚାରକୁ ନେଲେ, ରାଜଧାନୀ ମହିଳାଙ୍କ ପାଇଁ କେତେ ଅସୁରକ୍ଷିତ, ତାହା ଜଳଜଳ ଦେଖାଯାଉଛି। ଏସ୍‌ଡିଜି ଇନଡେସ୍କ୍‌ର ତଥ୍ୟ ଅନୁସାରେ, ଦେଶର ବିଭିନ୍ନ ସହରରେ ଯେତିକି ମହିଳାବିରୋଧୀ ଅପରାଧ ଘଟୁଛି, ସେଥିରେ ଭୁବନେଶ୍ବରର ସ୍ଥାନ ଅଷ୍ଟମ। ପ୍ରତି ୧ଲକ୍ଷ ମହିଳାଙ୍କ ମଧ୍ୟରୁ ୧୭୦ଜଣ(୧୭୦.୬) ବିଭିନ୍ନ ଅପରାଧର ଶିକାର ହେଉଛନ୍ତି ବୋଲି ତଥ୍ୟ କହିଥିଲା। ଏହି ତାଲିକାରେ ଦିଲ୍ଲୀ, ମୁମ୍ବାଇ, ପାଟଣା ଓ କୋଲକତା ଭଳି ସହରଠାରୁ ବି ଭୁବନେଶ୍ବରର ସ୍ଥିତି ଆହୁରି ଖରାପ ବୋଲି ଜଣାପଡ଼ିଛି।

ଖାକିରେ ବି ମହିଳା ବିରୋଧୀ ଅପରାଧର ଦାଗ

ନିକଟରେ କମିସନରେଟ୍ ପୁଲିସର କନଷ୍ଟେବଲ୍‌ ରଜନୀକାନ୍ତ ଗମାଙ୍ଗୋ ଜଣେ ନାବାଳିକାକୁ ୪ବର୍ଷ କାଳ ଯୌନଶୋଷଣ କରିବା ସହିତ ଅଶ୍ଳୀଳ ଫଟୋ ଓ ଭିଡିଓ କରି ତାଙ୍କୁ ନିର୍ଯାତନା ଦେଉଥିଲା। ଏଭଳି ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ପୁଲିସ କର୍ମଚାରୀଙ୍କ ବିରୋଧରେ ମହିଳା ହିଂସା ଅଭିଯୋଗ ଆସିଛି। ଷଷ୍ଠ ବାଟାଲିୟନ୍‌ର ଜଣେ କର୍ମଚାରୀ, ଜଣେ ଯୁବତୀଙ୍କୁ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସଂପର୍କ ରଖିଥିଲେ। କିନ୍ତୁ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି। ବିବାହ କଥା ଉଠାଇବାରୁ ତାଙ୍କୁ ଧମକ ଦେଉଛନ୍ତି। ଏନେଇ ପୀଡ଼ିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ମଞ୍ଚେଶ୍ବର ଥାନା ପୁଲିସ କେସ୍ ନମ୍ବର-୨୭୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରେମ ସାଜିଛି ଅସ୍ତ୍ର

ଚଳିତ ମାସ, କମିସନରେଟ୍ ପୁଲିସ ଅଞ୍ଚଳରେ ୧୦ଜଣ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଏୟାରପୋର୍ଟ, ଲିଙ୍ଗରାଜ, ଚନ୍ଦକା, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଖଣ୍ଡଗିରି, ମଞ୍ଚେଶ୍ବର, ଭରତପୁର ପ୍ରମୁଖ ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଠ ପଢ଼ିବାକୁ ଯାଇଥିବା ବେଳେ ବା ଘରେ କେହି ନଥିବା ସମୟରେ କେହି ଦୁର୍ବୃତ୍ତ ସେମାନଙ୍କୁ ଅପହରଣ କରିଥିବା ପରିବାରଲୋକ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଏହି ସବୁ ମାମଲାରେ ପୁଲିସ୍‌ର ପ୍ରାଥମିକ ତଦନ୍ତ କହୁଛି, ଦୁର୍ବୃତ୍ତମାନେ ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା‌ ପରେ ବିଭିନ୍ନ ଜିଲ୍ଲାକୁ ନଚେତ୍ ରାଜ୍ୟ ବାହାରକୁ ନେଇ ଯାଉଛନ୍ତି। ନାବାଳିକାଙ୍କୁ ଉଦ୍ଧାର କରିବା ପରେ ପରିବାରଲୋକ ଲୋକଲଜ୍ଜା ଭୟରେ ବୟାନ୍ ବଦଳାଉଛନ୍ତି। ଫଳରେ ଅପହରଣକାରୀ ଖସି ଯାଉଛି।

କୁଆଡ଼େ ଗଲା ‘ପ୍ରାରମ୍ଭ’?

ଗତ ଏପ୍ରିଲରେ ନୂଆ ପୁଲିସ ଡିଜି ସୁନୀଲ କୁମାର ବଂଶଲ, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ତତ୍କାଳୀନ ଅତିରିକ୍ତ ପୁଲିସ କମିସନର୍ ନୀତିଶେଖର ଓ ତତ୍କାଳୀନ ଡିସିପି ଉମାଶଙ୍କର ଦାଶ ପ୍ରମୁଖ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ‌ରେ ‘ପ୍ରାରମ୍ଭ’ ଅଫିସ୍‌ର ଉଦ୍‌ଘାଟନ କରିଥିଲେ। ଉଦ୍ଦେଶ୍ୟ ଥିଲା, ପ୍ରେମ ସଂପର୍କ ପାଇଁ ଆଗପଛ ବିଚାର ନ କରି ଘରୁ ପଳାଉଥିବା ଛାତ୍ରୀ ଓ ଯୁବତୀମାନଙ୍କୁ ସଚେତନ କରାଇବା। ଏହି ସଚେତନତା ଦ୍ବାରା, ଏଥିରୁ ଜନ୍ମ ନେଉଥିବା ଅପହରଣ, ଦୁଷ୍କର୍ମ ଭଳି ଅପରାଧକୁ ରୋକି ହେବ ବୋଲି ପୁଲିସ୍‌ ଆଶା ବାନ୍ଧିଥିଲା। କିନ୍ତୁ ଦୁର୍ଭାଗ୍ୟର କଥା, ରମାଦେବୀ ବିଶ୍ବବିଦ୍ୟାଳୟରେ ହିଁ ଏହି ମହତ୍ତ୍ବାକାଂକ୍ଷୀ ଯୋଜନାର ଆରମ୍ଭ ଓ ଶେଷ ଗୋଟିଏ ଥରରେ ହୋଇଗଲା।

ସମ୍ବନ୍ଧିତ ଖବର