ଧରାପଡ଼ିଲା ବୁଲେଟ୍‌ ଚଢ଼ା ଚେନ୍‌ ଲୁଟେରା, ୩ ସୁନାଚେନ୍ ଓ ବୁଲେଟ୍ ଜବତ

ଭୁବନେଶ୍ବର: ଦାମୀ ଭଦ୍ରଲୋକ ଭଳି ବୁଲେଟ୍‌ରେ ଯା’ଆସ କରୁଥିଲା। ସକାଳେ ଓ ସନ୍ଧ୍ୟାରେ ବୁଲାଚଲା କରୁଥିବା ମହିଳାଙ୍କୁ ଟାର୍ଗେଟ୍‌ କରୁଥିଲା। ସୁଯୋଗ ଦେଖି ସୁନା ଚେନ୍‌ ଝାମ୍ପି ନେଇ ଫେରାର୍‌ ହୋଇ ଯାଉଥିଲା। ଏଭଳି ଏକ ବୁଲେଟ୍‌ ଚଢ଼ା ଚେନ୍‌ ଲୁଟେରା ଶେଷରେ ମଞ୍ଚେଶ୍ବର ଥାନା ପୁଲିସ ଜାଲରେ ପଡ଼ିଛି। ଅଭିଯୁକ୍ତ ହେଉଛି କଟକ ଯୋବ୍ରା ପରେଶ୍ୱର ସାହିର ପାର୍ଥସାରଥୀ ବେହେରା। ପୁଲିସ ତା’ଠାରୁ ୩ଟି ସୁନା ଚେନ୍ ଓ ଏକ ବୁଲେଟ୍‌ (ଓଡି ୦୫ ଏକେ-୮୦୦୯) ଜବତ କରିଛି।

ଗତ ୮ ତାରିଖ ରାତି ପ୍ରାୟ ୮ଟା ବେଳ‌େ ମଞ୍ଚେଶ୍ୱର ଅଞ୍ଚଳର ଲକ୍ଷ୍ମୀପ୍ରିୟା ନନ୍ଦ ଓ ତାଙ୍କ ପଡ଼ୋଶୀ ଘର ପାଖ ରାସ୍ତାରେ ସାନ୍ଧ୍ୟ ଭ୍ରମଣ କରୁଥିଲେ। ଅଭିଯୁକ୍ତ ପାର୍ଥ ଶ୍ରୀମତି ନନ୍ଦଙ୍କ ବେକରୁ ୩ ଭରି ଓଜନର ସୁନାଚେନ୍ ଝାମ୍ପି ନେଇ ବୁଲେଟ୍‌‌ ଯୋଗେ ଫେରାର୍‌ ହୋଇଯାଇଥିଲା। ଏ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା‌। ଏହା ପୂର୍ବରୁ ଅନୁରୂପ ଢଙ୍ଗରେ କିଛି ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍ ହୋଇଥିବାରୁ ଗୋଟିଏ ବୁଲେଟ୍‌ ଚଢ଼ା ଲୁଟେରା ଏହି କାଣ୍ଡ କରୁଛି ବୋଲି ପୁଲିସ ସନ୍ଦେହ କରିଥିଲା। ଏଣୁ ତାକୁ ଧରିବା ପାଇଁ ମଞ୍ଚେଶ୍ବର ଥାନା ପୁଲିସ ଜାଲ ବିଛାଇଥିଲା। ସନ୍ଧ୍ୟା ଓ ସକାଳେ ପାଟ୍ରୋଲିଂ ଜୋର୍‌ଦାର କରାଯାଇଥିଲା।
ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ଠାରୁ ଛିନ୍‌ତାଇ ହୋଇଛି ବୋଲି କଣ୍ଟ୍ରୋଲ୍‌ ରୁମ(୧୦୦)କୁ ଫୋନ୍ ଆସିଥିଲା। ଏ ନେଇ ମଞ୍ଚେଶ୍ୱର ଥାନାକୁ ଆଲର୍ଟ କରାଯାଇଥିଲା। ବୁଲେଟ୍‌ ଚଢ଼ା ଲୁଟେରା ବୋଲି ଜଣାପଡ଼ିବା ପରେ ପିସିଆର୍‌ କଟକ ଦିଗରେ ଗୋଡ଼ାଇଥିଲା। ନହରକଣ୍ଟା ଛକରେ ପିସିଆର୍‌ ଏକ ବୁଲେଟ୍‌କୁ ସନ୍ଦେହରେ ଅଟକାଇଥିଲା। ପଚରାଉଚରା କରିବା ସମୟରେ ଲୁଟେରା ଧରାପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର