ଖଣ୍ଡଗିରି: ରବିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଓଭର୍‌ବ୍ରିଜ୍‌ ଉପରେ ୩ଟି ଟ୍ରକ୍‌ ପଛକୁ ପଛ ପିଟି ହୋଇଯିବାରୁ ୩ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟା ଲାଗି ରାସ୍ତା ଜାମ୍‌ ହଟାଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ଖବର ଅନୁସାରେ ଭୁବନେଶ୍ବରରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଏକ କଣ୍ଟେନର୍ (ୟୁକେ ୦୪ସିଏ୯୩୮୩) ଓଭର୍‌ବ୍ରିଜ୍ ଉପରେ ଠିଆ ହୋଇଥିଲା।

Advertisment

ଅଘଟଣ ବେଳେ ସମାନ ଦିଗରେ ଯାଉଥିବା ଏକ ରଡ୍ ବୋଝେଇ ଟ୍ରକ୍(ଏମ୍‌ପି ୦୪ଜେଡ୍‌କେ ୫୧୨୧) କଣ୍ଟେନର୍‌କୁ ଦେଖି ନପାରି ସେଥିରେ ପିଟି ହୋଇଯାଇଥିଲା।  ଫଳରେ କଣ୍ଟେନର୍‌ଟିର ସମ୍ମୁଖ ଚୂର୍‌ମାର ହୋଇଯାଇଥିଲା ଏବଂ ପଛ ଭାଗ ରାସ୍ତା ଉପରକୁ ବୁଲିଯାଇଥିଲା। ଠିକ୍‌ ସେତିକିବେଳେ ଏକ ମିନିଟ୍ରକ୍‌ (ଓଡି୦୨ ବିଇ୭୭୨୯) ରଡ୍‌ ବୋଝେଇ ଟ୍ରକ୍‌ରେ ପିଟି ହୋଇଥିଲା। ଟ୍ରକ୍‌ ଓ ମିନିଟ୍ରକ୍‌ର ଚାଳକମାନେ ଗାଡ଼ିରୁ ଛିଟିକି ରାସ୍ତାରେ ପଡ଼ିଥିଲେ।