ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଧାନୀର ବିଭିନ୍ନ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍ ଓ ଫର୍ଟିଲିଟି ସେଣ୍ଟର ଉପରେ ଚଢ଼ଉ କରାଯାଇଛି। ଗତ ଦୁଇଦିନ ଧରି ଏହି ଚଢ଼ଉ ଜାରି ରହିଛି। ଆବଶ୍ୟକ କାଗଜପତ୍ରର ଅଭାବ ଓ ନବୀକରଣ ହୋଇ ନ ଥିବା କାରଣରୁ ଚଢ଼ଉ କରାଯାଇ ମେସିନ୍ ଜବତ କରାଯାଇଛି। ଗୋଟିଏ ସେଣ୍ଟର୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ୟୁନିଟ-୮ କଲ୍ୟାଣୀ କମ୍ପ୍ଲେକ୍ସ ନିକଟରେ ଥିବା ଇକୋ ଇମେଜିଂ ଇନ୍ଷ୍ଟିଚ୍ୟୁଟ୍ରେ ଚଢ଼ଉ କରାଯାଇଥିଲା। ପିସି ଏବଂ ପିଏନ୍ଡିଟି ଆଇନ ଅନୁଯାୟୀ ଆବଶ୍ୟକ ପଞ୍ଜୀକରଣ ଅଭାବ ଓ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ଇନଷ୍ଟିଚ୍ୟୁଟକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୩ମାସ ମଧ୍ୟରେ ଏ ନେଇ ଉତ୍ତର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି। ସେହିପରି ସହିଦ ନଗରରେ ଥିବା ହୋପ୍ ଫର୍ଟିଲିଟି ଏଣ୍ଡ ୟୁଏସ୍ଜି କ୍ଲିନିକ୍ରେ ଆଜି ଚଢ଼ଉ ହୋଇଥିଲା। ଏହି ସେଣ୍ଟର୍ରେ ଥିବା ଏ ଅଲଟ୍ରାସାଉଣ୍ଡ ମେସିନ୍କୁ ଜବତ କରାଯାଇଛି। ଏହି ସେଣ୍ଟର୍ର ପିସି ଏଣ୍ଡ ପିଏନ୍ଡିଟି ରେଜିଷ୍ଟ୍ରେସନ୍ ଶେଷ ହୋଇଯାଇଥିବା ବେଳେ ସଂସ୍ଥା ପକ୍ଷରୁ ନବୀକରଣ ପାଇଁ ଆବେଦନ ମଧ୍ୟ କରାଯାଇ ନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ପଟିଆ କିଟ୍ ରୋଡ୍ରେ ଥିବା କାର୍ଡିଆକ ଅଲଟ୍ରାସାଉଣ୍ଡ ସେଣ୍ଟର୍ରେ ମଧ୍ୟ ଚଢ଼ଉ ହୋଇଥିଲା। ସଂସ୍ଥାର ପିସି ଏଣ୍ଡ ପିଏନ୍ଡିଟି ପଞ୍ଜୀକରଣ ଶେଷ ହୋଇଯାଇଥିବାରୁ ସେଣ୍ଟର୍ରେ ଥିବା ଏକ ପୋର୍ଟେବଲ ଅଲଟ୍ରାସାଉଣ୍ଡ ମେସିନ୍କୁ ଜବତ କରାଯାଇଛି।
ଅପରପକ୍ଷରେ ଗତ ୩ତାରିଖରେ ଲୁଇସ ରୋଡ୍ରେ ଥିବା ସ୍ନେହ କ୍ଲିନିକ୍ ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେଠାରୁ ଏକ ଅଲଟ୍ରାସାଉଣ୍ଡ ମେସିନ୍କୁ ମଧ୍ୟ ଜବତ କରାଯାଇଛି। ଚଢ଼ଉ ଟିମ୍ରେ ଖୋର୍ଧା ଜିଲ୍ଲାପାଳଙ୍କ ପ୍ରତିନିଧି ଅତିରିକ୍ତ ତହସିଲଦାର ଅନିଲ ପଟ୍ଟନାୟକ, ସିଡିଏମ୍ଓଙ୍କ ପ୍ରତିନିଧି ଏଡିଏମ୍ଓ ଏଫ୍ଡବ୍ଲ୍ୟୁ ଡା.ସୁରେନ୍ଦ୍ରନାଥ ସେଠୀ, ପିସି ଏଣ୍ଡ ପିଏନ୍ଡିଟିର ସହକାରୀ ମ୍ୟାନେଜର୍ ସୂର୍ଯ୍ୟ ପ୍ରକାଶ ପଣ୍ଡା ଓ ସୌଭାଗ୍ୟ ରଂଜନ ବେହେରା ସାମିଲ ଥିଲେ।