ଭୁବନେଶ୍ବର: ନୂଆବର୍ଷରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଞ୍ଚେଶ୍ବର ଥାନା ଅଧୀନ କୋରଡ଼କଣ୍ଟା ଗହୀର ମଝିରେ ଗଳିତ ଅବସ୍ଥାରେ ମଳିଥିବା ସବିତା ନାୟକ ମୃତଦେହ ମାମଲାରେ ତାଙ୍କ ପତି ବିଦ୍ୟାଧର ନାୟକଙ୍କୁ ପୁଲିସ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରିଛି।
ସେହିପରି ନୂଆପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ ନିକଟ ଏକ ନିର୍ମାଣାଧୀନ ଘରୁ ସୁନି ରାନୀ ସିଂହଙ୍କ ମୃତଦେହ ମିଳିବା ଘଟଣାରେ ତାଙ୍କ ପତି ମହେଶ୍ବର ସିଂହ ଓ ଖଣ୍ଡଗିରି ଥାନା ଅଧୀନ ପଞ୍ଚସଖାନଗରରେ ସୁନିତା ନାଏକ ମୃତ୍ୟୁ ମାମଲାରେ ତାଙ୍କ ପତି ବିମଳ ବିଭୂତି ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖିଛି। ଏହି ଦୁଇଟି ଘଟଣାରେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ପୁଲିସ ଅଟକ ରଖିଥିବା ଦୁଇ ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ମଞ୍ଚେଶ୍ବର ଥାନା ଅଧୀନ କୋରଡ଼କଣ୍ଟାରେ ସବିତା ନାୟକ ନାମକ ଜଣେ ମହିଳାଙ୍କର ତାଙ୍କ ପତି ବିଦ୍ୟାଧର ନାୟକଙ୍କ ସହ ଗତ ମାସ ୨୮ ତାରିଖରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଦ୍ୟାଧର ତାଙ୍କ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିଆଁ ଲଗାଇ ଦେଇଥିଲା। ଏ ନେଇ ସବିତାଙ୍କ ଭାଇ ହେରମ ନାୟକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବିଦ୍ୟାଧରକୁ ରାମ ମନ୍ଦିର ନିକଟରୁ ଗିରଫ କରିଥିଲା।
ସେହିପରି ନୂଆପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ ନିକଟ ଏକ ନିର୍ମାଣାଧୀନ ଘରୁ ସୁନି ରାନୀ ସିଂହଙ୍କ ଘଟଣାରେ ପୁଲିସ ଆଜି ତଦନ୍ତ ବେଳେ ଜାଣିବାକୁ ପାଇଛି ତାଙ୍କ ପତି ମହେଶ୍ବର ତାଙ୍କୁ ମଦ୍ୟପାନ କରି ପ୍ରାଣାନ୍ତକ ଆକ୍ରମଣ କରିଥିଲା। ସୁନିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପୁଲିସ ତାକୁ ଥାନାରେ ଅଟକ ରଖିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ ଯେ ଏହା ହତ୍ୟା ନା ଅନ୍ୟ କିଛି କାରଣରୁ ସୁନିଙ୍କ ମୃତ୍ୟୁ ଘଟିଛି। ଏସିପି ସଂଜୀବ ଶତପଥୀ କହିଛନ୍ତି, ଏହା ଏକ ହତ୍ୟା ଘଟଣା ଭଳି ଲାଗୁଛି। ତଥାପି ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଖଣ୍ଡଗିରି ଥାନା ଅଧୀନ ପଞ୍ଚସଖା ନଗରରେ ଝୁଲନ୍ତା ଅବସ୍ଥାରେ ପୁଲିସ ଜବତ କରିଥିବା ସୁନିତାଙ୍କ ମୃତଦେହ ଘଟଣାରେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବେଦାଙ୍ଗୀ ଗ୍ରାମର ସୁନିତା ନାୟକ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ସୁନିତାଙ୍କ ହତ୍ୟା କରାଯାଇଥିବା ନେଇ ପରିବାରଲୋକ ଅଭିଯୋଗ କରିଛନ୍ତି। ପୁଲିସ ସୁନିତାଙ୍କ ପତି ବିଭୂତିଙ୍କୁ ଥାନାରେ ଅଟକ ରଖିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି।