୩ ବର୍ଷର ଶିଶୁକନ୍ୟା ନିଖୋଜ; ଘନଉଛି ବଳି ସନ୍ଦେହ, କେନାଲରେ ଖୋଜୁଛି ଅଗ୍ନିଶମ ବାହିନୀ

ବାଲିପାଟଣା : ଦୀପାବଳି ପାଇଁ ଗତକାଲି ସ୍ଥାନୀୟ ମୁଣ୍ଡହଣାପାଟଣା ଗାଁରେ ଉତ୍ସବର ମାହୋଲ ଥିଲା। ସନ୍ଧ୍ୟାରେ ପିଲାମାନେ ହସଖୁସିରେ ଗାଁ ଦାଣ୍ଡରେ ‌ଡିଆଁଡେଇଁ କରି ଖେଳୁଥିଲେ। ହଠାତ୍ ରହସ୍ୟମୟ ଭାବେ ନିଖୋଜ ହୋଇଗଲା ଅଜୟ ମୁଦୁଲିଙ୍କ ୩ ବର୍ଷର କୁନି ଝିଅ ରଶ୍ମିତା ଓରଫ୍ ଅନୁ। ପରିବାର ଓ ଗାଁ ଲୋକେ ସବୁଆଡ଼ ଖୋଜିଲେ। ପାଖ କେନାଲକୁ ଖସି ପଡ଼ିଥିବ ଭାବି ସେଠି ବି ଖୋଜିଲେ। ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ କେନାଲରେ ପଶି ବହୁ ଖୋଜାଖୋଜି କଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ମଧ୍ୟ ତଦନ୍ତ କଲା। ବଳି ସନ୍ଦେହରେ ଗାଁ ଯୁବକମାନେ ରାତି ସାରା ଆଖପାଖ ଅଞ୍ଚଳର ମଶାଣି ବୁଲି ବୁଲି ଦେଖିଲେ। ମାତ୍ର ୨୪ ଘଣ୍ଟା ବିତିବା ପରେ ବି ଅନୁର ପତ୍ତା ମିଳିନାହିଁ। ଏଣେ ଗତକାଲିଠାରୁ ଗାଁରେ ଦୀପାବଳିର ଆନନ୍ଦ ଉଲ୍ଲାସ ନାହିଁ। ପୂରା ଗାଁରେ ଶୋକାକୁଳ ପରିବେଶ। ଅଜୟଙ୍କ ଘରେ ଚୁଲି ଜଳିନି। କୁଆଡ଼େ ଅନ୍ତର୍ଧାନ ହୋଇଗଲା ଅନୁ? ବଳି ଉଦ୍ଦେଶ୍ୟରେ କେହି ତାକୁ ଅପହରଣ କରିନାହିଁ ତ? ସମୟ ଯେତିକି ଗଡ଼ିଗଡ଼ି ଯାଉଛି, ବଳି ସନ୍ଦେହ ସେତିକି ବଢ଼ୁଛି।

ନିଖୋଜ ଅନୁର ବଡ଼ବାପା ସଞ୍ଜୟଙ୍କ ସୂଚନାନୁସାରେ ପ୍ରାୟ ୫.୧୫ ମିନିଟ୍‌ ବେଳେ ଅନୁ ଦାଣ୍ଡରେ ଖେଳୁଥିବା ସେ ଦେଖିଥିଲେ। ଏମିତିକି ସେ ଅନୁ ସହ କଥା ହୋଇଥିଲେ। କିନ୍ତୁ କିଛି ସମୟ ପରେ ସେ ଘରୁ ପୁଣି ଦାଣ୍ଡକୁ ଆସିବା‌ ବେଳକୁ ଅନୁ ନଥିଲା। ମାତ୍ର ୩ ବର୍ଷର ପିଲାଟା କୁଆଡ଼େ ଗଲା ବୋଲି ସେ ଖୋଜିଥିଲେ। କଥା ଧୀରେଧୀରେ ବ୍ୟାପିଯାଇଥିଲା। ସବୁ ସମ୍ଭାବ୍ୟ ସ୍ଥାନ ଖୋଜିବା ପରେ ନିରାଶ ହୋଇ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଗତକାଲି ରାତିରେ ଓ ଆଜି ଦିନତମାମ ଅଗ୍ନିଶମ ବାହିନୀ ନିମାପଡ଼ା କେନାଲରେ ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ଖୋଜିଛି। କେତେକ ସ୍ଥାନରେ ମାଛ ଧରା ଜାଲ ବନ୍ଧା ହୋଇଛି। ସେହିଭଳି ପୁଲିସ ଅନୁର ଫଟୋ ନେଇ ବିଭିନ୍ନ ଥାନାକୁ ଜଣାଇଛି। ମାତ୍ର ନିଖୋଜ ଅନୁର କୌଣସି ସନ୍ଧାନ ମିଳିପାରିନାହିଁ।

କିଛି ଲୋକଙ୍କ କହିବା କଥା ଅନୁ ନିଖୋଜ ହେବା ସମୟରେ ଦୁଇ ଜଣ ଅଜଣା ଯୁବକ ବାଇକ୍‌ ଧରି ଗାଁରେ ବୁଲୁଥିଲେ ଓ ବାଣ କେଉଁଠି ମିଳିବ ବୋଲି ପଚାରୁଥିଲେ। ସେମାନଙ୍କ ଚାଲିଚଳଣ ସନ୍ଦେହଜନକ ଥିଲେ ବି ବାଣ କିଣିବାକୁ କେହି ବାହାର ଗାଁରୁ ଆସିଥିବେ ଭାବି କେହି ସେ କଥାକୁ ଗୁରୁତ୍ବ ଦେଇନଥିଲେ। ତେଣୁ ସେମାନେ ଅନୁକୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀଙ୍କ ଏହି ସୂଚନାକୁ ଆଧାର କରି ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। କିନ୍ତୁ ସେଭଳି କିଛି ସୁରାକ୍ ପୁଲିସ ହାତରେ ଲାଗିନାହିଁ। ସ୍ଥାନୀୟ ଲୋକଙ୍କ ସନ୍ଦେହ ଅନୁସାରେ ଗତକାଲି କାଳୀ ପୂଜା ଥିଲା। ଆଖପାଖ ଅଞ୍ଚଳରେ ବହୁ ତନ୍ତ୍ରସାଧକ ଅଛନ୍ତି। ତେଣୁ ବଳି ଉଦ୍ଦେଶ୍ୟରେ କେହି ଅନୁକୁ ଅପହରଣ କରିଥାଇପାରେ ବୋଲି ସନ୍ଦେହ ଘନେଇବାରେ ଲାଗିଛି। ତେଣୁ ଗାଁର ଯୁବକ ଓ ସମ୍ପର୍କୀୟମାନେ ଗତ ରାତିରୁ ଚାରିଛକ, ନିଆଳି, ନଖରା, ନିମାପଡ଼ା, ବାଲିପାଟଣା, ବାଲିଅନ୍ତା ଓ ଉତ୍ତରା ଆଦି ମଶାଣିକୁ ଯାଇ ଖୋଜିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା। ଘଟଣାଟି ସମଗ୍ର ବାଲିପାଟଣାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର