୩ ସଂଜ୍ଞାହୀନ ଯୁବକ ଉଦ୍ଧାର : ନିଶାଦିଆ ଲୁଟେରାଙ୍କ ଶିକାର ସନ୍ଦେହ

ଖଣ୍ଡଗିରି : ସୋମବାର କମିସନରେଟ୍‌ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରୁ ୩ ଜଣ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି। ସେମାନେ ନିଶାଦିଆ ଲୁଟେରାଙ୍କ ଶିକାର ପାଲଟିଥିବା ସନ୍ଦେହ କରାଯାଉଛି। ସେମାନେ ହେଲେ, ବୌଦ୍ଧ ଥାନା ଫକୀରପୁରର ଶେଷଦେବ ମାଝୀଙ୍କ ପୁଅ ନବ ମାଝୀ(୨୦), ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ଲୁଧୁନି ଗାଁର ରାଜେନ୍ଦ୍ର ମୁଣ୍ଡାଙ୍କ ପୁଅ ଦୀନେଶ(୨୩) ଓ ବରଗଡ଼ ଥାନା ଚକରକେଣ୍ଡା ଗାଁର ଜିତୁ ବେହେରାଙ୍କ ପୁଅ କଳାକାହ୍ନ(୩୩)। ଦୀନେଶ ଓ କଳାକାହ୍ନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ସେମାନଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ନବଙ୍କ ସଂଜ୍ଞା ଫେରିନଥିବାରୁ ସେ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ପକ୍ଷରୁ ତାଙ୍କ ଯତ୍ନ ନିଆଯାଉଛି ଓ ଏ ବାବଦରେ ତାଙ୍କ ସମ୍ପର୍କୀୟମାନଙ୍କୁ ଜଣାଇ ଦିଆଯାଇଛି।

ସୂଚନାନୁସାରେ, ନବ ତାମିଲନାଡୁ କୋଏମ୍ବାଟୁରରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରନ୍ତି। ମାତ୍ର ଆଜି ସନ୍ଧ୍ୟାରେ ତାଙ୍କୁ ଖଣ୍ଡଗିରି ଥାନା ପିସିଆର୍‌ ଜୟଦେବ ବାଟିକା ନିକଟରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଅନୁମାନ କରାଯାଉଛି ଯେ ସେ ଆଜି ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିନ ସାରା ରେଳ ଷ୍ଟେସନରେ ରହିଥିଲେ। ନିଜ ଘର ବୌଦ୍ଧ ଯିବା ପାଇଁ ସେ ବରମୁଣ୍ଡାରୁ ବସ୍‌ ଧରିବା କଥା। ମାତ୍ର ଭାରତ ବନ୍ଦ ଯୋଗୁଁ ସେ ବରମୁଣ୍ଡା ଆସି ପାରିନଥିଲେ। ଅପରାହ୍ଣରେ ସେ କୌଣସି ଅଟୋରେ ବରମୁଣ୍ଡା ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। କେହି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ଲୁଟ୍‌ପାଟ୍‌ କରିଛି। ତାଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିଥିଲେ ବି ଅନ୍ୟ କୌଣସି ଜିନିଷପତ୍ର ମିଳିନାହିଁ। ସଂଜ୍ଞା ଫେରି ପାଇବା ପରେ ତାଙ୍କଠାରୁ ସବିଶେଷ ତଥ୍ୟ ମିଳିବ। ସେହିଭଳି ଅନ୍ୟ ଦୁଇଜଣଙ୍କ ସଂଜ୍ଞା ଫେରିବା ପରେ ସେମାନଙ୍କ ସମ୍ପର୍କୀୟମାନେ ଘରକୁ ନେଇ ଯାଇଛନ୍ତି ଓ ସେମାନଙ୍କଠାରୁ ମଧ୍ୟ ସଠିକ୍‌ ତଥ୍ୟ ମିଳିପାରିନାହିଁ। ଚଳିତ ବର୍ଷ ରାଜଧାନୀରୁ ମୋଟ୍‌ ୬୮ ଜଣଙ୍କୁ ଏମିତି ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି ଓ ସେଥିରୁ ଶତକଡ଼ା ୯୦ ଭାଗ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର