ଭୁବନେଶ୍ୱର : ରାଜଧାନୀରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିବା ପ୍ରାୟ ୩୦ ଡାକ୍ତର କରୋନା ସଂକ୍ରମିତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଛନ୍ତି। ତେବେ ଜଣେ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଥିବା ଜଣାପଡ଼ିଛି। ରାଜଧାନୀରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାର ଗଞ୍ଜାମ ଢାଞ୍ଚାରେ ଉଦ୍ୟମ ଆରମ୍ଭ କରିଥିଲେ। ଏଥିପାଇଁ ୧୦୦ଜଣ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ସହିତ ବିଭିନ୍ନ ପଦେକ୍ଷପ ଗ୍ରହଣ କରାଯାଇଥିଲା। ଯଦିଓ ରାଜଧାନୀରେ ଏବେ ଦୈନିକ ସଂକ୍ରମଣ ୫ଶହରୁ ତଳକୁ ଖସି ଆସିଛି ତଥାପି ଏହା ୩ଶହରୁ ତଳକୁ ଖସୁନାହିଁ। ଆୟୁଷ ଡାକ୍ତରମାନଙ୍କୁ ମନିଟରିଂ ସେଲ୍ ୧୯୨୯ ଟୋଲ ଫ୍ରି, କୋଭିଡ୍ କେୟାର, ଆରଆରଟି ଓ ମ୍ୟୁନସିପାଲିଟିରେ ନିୟୋଜିତ କରାଯାଇଛି। ୩୦ ସଂକ୍ରମିତ ଆୟୁଷ ଡାକ୍ତରଙ୍କ ମଧ୍ୟରେ ଜଣେ ଗର୍ଭବତୀ ବି ରହିଛନ୍ତି। କିଛି ଡାକ୍ତରଙ୍କୁ ପୂର୍ବରୁ ଏକ ଇଞ୍ଜିନିୟରିଂ କଲେଜରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ବା ସିସିସିରେ ରଖାଯାଇଛି। ସଂପୃକ୍ତ ହଷ୍ଟେଲରେ ସମସ୍ତଙ୍କ ପାଇଁ ସାର୍ବଜନୀନ ଶୌଚାଳୟ ସୁବିଧା ରହିଛି। ଏଠାରୁ ବହୁ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କୋଭିଡ୍ ଯୋଦ୍ଧାଙ୍କ ଏଭଳି ଅବ୍ୟବସ୍ଥା ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ କଟକରେ ମଧ୍ୟ ୫୦ଜଣ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତେବେ ସେଠାରେ କେହି ଡାକ୍ତର ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ନ ଥିବା ସୂଚନା ମିଳିଛି।
୨ ଡାକ୍ତର ପଜିଟିଭ୍
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ୨ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ସର୍ଜରି ଓ ଅନ୍ୟ ଜଣେ ପାଥୋଲୋଜି ବିଭାଗର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୭ଜଣ ଡାକ୍ତର କରୋନା ସଂକ୍ରମିତ ହୋଇ ସାରିଲେଣି। ଏହାସହ ବହୁ ସଂଖ୍ୟାରେ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରୀକ୍ଷା ସମୟରେ ଅନେକ ରୋଗୀ ମଧ୍ୟ ପ୍ରତ୍ୟେକ ଦିନ କରୋନା ଚିହ୍ନଟ ହେଉଛନ୍ତି।
ପ୍ଲାଜ୍ମା ଦେଲେ ୪ ପୁଲିସ କର୍ମଚାରୀ
ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ୪ ଜଣ ପୁଲିସ କର୍ମଚାରୀ ଆଜି ପ୍ଲାଜ୍ମା ଦାନ କରିଛନ୍ତି। ସେମାନେ ହେଲେ କଟକରେ କାର୍ଯ୍ୟରତ କନଷ୍ଟେବଳ ରମେଶ ଚନ୍ଦ୍ର ବେହେରା, ବାଦଲ କୁମାର ବେହେରା, ଓଡ଼ିଶା ଅକ୍ଜୁଲାରି ପୁଲିସ ଫୋର୍ସ କନଷ୍ଟେବଳ ସୁଶାନ୍ତ କୁମାର ହିକ୍କା ଓ ସପ୍ତମ ବାଟାଲିଅନର ଆଲୋକ ଟେଟେ। ସମସ୍ତ ୪ ଜଣଙ୍କୁ କମିସନରେଟ ପୁଲିସ ପକ୍ଷରୁ ଶୁଭେଚ୍ଛା ବାର୍ତା ଦିଆଯାଇଛି।