ଭୁବନେଶ୍ବର: ଆଗକୁ ଆସୁଛି ବର୍ଷାଦିନ। ଚଳିତ ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଜଳ ନିଷ୍କାସନ ନାଳ ଅବରୋଧ ଯୋଗୁ ଭୁବନେଶ୍ବର ସହର ଉବୁଟୁବୁ ହେଉଛି। ଏହାର ପ୍ରତିକାର ତଥା ସହରରେ ମନୁଷ୍ୟକୃତ ବନ୍ୟା ରୋକିବା ପାଇଁ ରୂପରେଖ ପ୍ରସ୍ତୁତ କରିଛି ବିଏମ୍ସି। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ବିଏମ୍ସିକୁ ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ୍ ଓ ଅନ୍ୟାନ୍ୟ କାମ ହେବ। ଏ ବାବଦରେ ୧୩ଟି ପ୍ରକଳ୍ପର ବ୍ୟୟ ଅଟକଳ ହୋଇଥିଲା ଓ ଏହାକୁ ବୈଷୟିକ ଅନୁମୋଦନ ମିଳିସାରିଛି। ଏ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ୩, ୪, ୬, ୨୬, ୩୬, ୩୯ ଆଦି ୱାର୍ଡରେ ଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନ୍ଗୁଡ଼ିକ ଆର୍ସିସି ୱାଲ କରାଯିବ। ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍ଗୁଡ଼ିକୁ ଏକତ୍ର ସଂଯୋଗ କରି ଗୋଟିଏ ମୁଖ୍ୟ ଡ୍ରେନ୍ ଦ୍ବାରା ଜଳ ନିଷ୍କାସନ ପାଇଁ ଯୋଜନା କରୁଛୁ। କେତେକ ସ୍ଥାନରେ ଜମି ଅଧିଗ୍ରହଣ ଓ ଜବରଦଖଲ ସମସ୍ୟା ରହିଛି। ବିଶେଷକରି ପ୍ରାଚୀ କେନାଲ ଜବରଦଖଲ ହଟାଇ କାମ ଆରମ୍ଭ କରାଯିବ। ତେବେ ଜଳ ନିଷ୍କାସନ ପାଇଁ ଏହା ଏକ ସ୍ଥାୟୀ ଯୋଜନା ହୋଇଥିବାରୁ ବର୍ଷା ଦିନ ପୂର୍ବରୁ ଶେଷ ହେବ ନାହିଁ। ତଥାପି ଏନେଇ କାମ ଆରମ୍ଭ ହୋଇଯାଇଥିବା ଶ୍ରୀମତୀ ଦାସ କହିଛନ୍ତି।
୧୩ ପ୍ରକଳ୍ପକୁ ବୈଷୟିକ ଅନୁମୋଦନ
ଜବରଦଖଲ ହଟାଇ ସ୍ଥାୟୀ ପ୍ରତିକାର କରାଯିବ: ମେୟର
ଦ୍ରୁତ ସହରୀକରଣ ସହ କଂକ୍ରିଟ୍ କୋଠାବାଡ଼ି କାରଣରୁ ଭୁବନେଶ୍ବରର ନଦୀନାଳ ସବୁ ବିଲୀନ ହୋଇଗଲାଣି। ଫଳରେ ବର୍ଷାଦିନରେ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି। ସହରରେ ଛାତିଏ ଉଚ୍ଚରେ ପାଣି ଜମୁଛି। ଇସ୍କନ୍ ମନ୍ଦିର ସମ୍ମୁଖ ପ୍ରମୁଖ ରାସ୍ତା ହେଉ ଅବା ଜୟଦେବ ବିହାର ବ୍ୟାଙ୍କ ଗଳି, ଳକ୍ଷ୍ମୀସାଗର, ରାଜୀବନଗର ଆଦି ଅଞ୍ଚଳରେ ବର୍ଷା ପାଣି ଜମି ପ୍ରତିବର୍ଷ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିବା ସହ ଗମନାଗମନ ବାଧାପ୍ରାପ୍ତ ହେଉଛି। ସମାନ ସ୍ଥିତି ଭୁବନେଶ୍ବରର ଅନ୍ୟ ଅଞ୍ଚଳରେ। ସବୁଠୁ ବଡ଼ ସମସ୍ୟା ହେଲା, ନାଳରୁ ଆବର୍ଜନା ଠିକ୍ରେ ହଟାଯାଉନି। କେବଳ କାମଚଳା ସଫା କରି ଦାୟିତ୍ବ ସାରିଦେଉଛି ବିଏମ୍ସି। ଅପରପକ୍ଷେ ନାଳ ଉପରେ ଜବରଦଖଲ ବି ବଢ଼ିଗଲାଣି। ସେ ବଡ଼ ନାଳ ହେଉ କି ଛୋଟ ନାଳ, ସବୁଠି ଜବରଦଖଲ। ଲୋକେ ବି ନିଜ ଘରର ଆବର୍ଜନା ଆଣି ନାଳରେ ଫିଙ୍ଗୁଛନ୍ତି। ପରିଣାମ ସ୍ବରୂପ ପ୍ରତିବର୍ଷ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି। ଆଗକୁ ବର୍ଷା ଦିନ ଥିବାରୁ ଏହି ମନୁଷ୍ୟକୃତ ବନ୍ୟାର ପ୍ରତିକାର ପାଇଁ ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ କରିଛି ବିଏମ୍ସି।
ନୂଆ ନାଳ ନିର୍ମାଣ ସହ ପୁରୁଣା ନାଳର ପୁନରୁଦ୍ଧାର କରି ସହରର ବନ୍ୟା ପରିସ୍ଥିତିର ପ୍ରତିକାର ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସହରର କୃତ୍ରିମ ବନ୍ୟାର ପ୍ରତିକାର ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ୨୦୨୪ ଡିସେମ୍ବର ୧୬ ତାରିଖ(ଚିଠି ସଂଖ୍ୟା-୫୧୪୯୪)ରେ ଚିଠି କରାଯାଇ ୪୯ କୋଟି ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା। ଏଥିରେ ୬୭ଟି ୱାର୍ଡର ବିଭିନ୍ନ ଛୋଟବଡ଼ ନାଳ ସହ ଅନ୍ୟାନ୍ୟ କାମ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ପ୍ରସ୍ତାବକୁ ଗ୍ରହଣ କରିଛି ଓ ବିଏମ୍ସିର ଚିଠି ଆଧାରରେ ଅଗ୍ରୀମ ୩୦ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରିଛି। ପରବର୍ତ୍ତୀ ସମୟରେ ଆବଶ୍ୟକ ଅନୁଯାୟୀ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ସହମତି ଜଣାଇଛି। ୫୫ ନମ୍ବର ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ କହିଛନ୍ତି, ଏହି ଅନୁଦାନରେ ବର୍ଷା ସମୟରେ ଅବରୋଧମୁକ୍ତ ବର୍ଷାଜଳ ନିଷ୍କାସନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ମିଳିଥିବା ଅନୁଦାନରେ କିଛି ନାଳ ଓ ଅନ୍ୟାନ୍ୟ କାମ ହାତକୁ ନିଆଯାଇଛି। ବାକି କାମ ବି ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ସେ କହିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ଦେବେ ୨୦୦ କୋଟି: ପ୍ରକଳ୍ପର ଯୋଜନା ଓ ଦେଖାଶୁଣା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ହେବ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇଦେବେ ୨୦୦ କୋଟି ଟଙ୍କା। ଏ ନେଇ ବିଏମ୍ସି ସହ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଛି। ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ଅନୁପସ୍ଥିତିରେ ବିଏମ୍ସି ପକ୍ଷରୁ ସିଟି ଇଂଜିନିୟର ବିଳାସ କୁମାର ବେହେରା ଓ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଉପସଭାପତି ନିହାର ରଂଜନ ପାଢ଼ୀ ଏହି ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି।
ଅତି ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କେତେକ ସ୍ଥାନରେ ସାମୂହିକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥାଏ। ସହରବାସୀ ବହୁ ଅସୁବିଧାର ଭୋଗିଥାନ୍ତି। ଏହାର ଦୀର୍ଘକାଳୀନ ଓ ସ୍ଥାୟୀ ପ୍ରତିକାର ପାଇଁ ବନ୍ୟା ବିପତ୍ତି ପରିଚାଳନା କାର୍ଯ୍ୟକ୍ରମ ପାଣ୍ଠିରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଯୋଗାଇଦେବେ। ସହରୀ ବନ୍ୟା ନିୟନ୍ତ୍ରଣର ଏହି କାର୍ଯ୍ୟ ପାଇଁ ବିସ୍ତୃତ ଯୋଜନା ଓ ପରିଚାଳନା କାମ କରିବ ମାର୍ସ ପ୍ଲାନିଂ ଆଣ୍ଡ୍ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍। ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ସିଟି ଇଂଜିନିୟର ସଂପୃକ୍ତ ସଂସ୍ଥାର ଉପସଭାପତି ଓ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଇସ୍କନ ନିକଟ ବେହେରାସାହି, ବମିଖାଲ, ରୁଦ୍ରପୁର, ଏମ୍ସ ଆଦି ୧୩ଟି ପ୍ରକଳ୍ପର ବିସ୍ତୃତ ରିପୋର୍ଟ ସହ ପରିଚାଳନା କାର୍ଯ୍ୟ କରିବ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍। ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏମ୍ସି କାର୍ଯ୍ୟନିର୍ବାହୀ ଅଧିକାରୀ(ଡ୍ରେନେଜ୍ ଡିଭିଜନ) ପ୍ରିୟବ୍ରତ ବେହେରା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡର ସହଯୋଗୀ ଉପସଭାପତି ମଳୟ କୁମାର ପଟ୍ଟନାୟକ ଓ ତାଙ୍କ ଟିମ୍ ଉପସ୍ଥିତ ଥିଲେ।