ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ୩୦ ଲକ୍ଷ ଟଙ୍କାର ଜମି ହଡ଼ପ

ସନ୍ଦେହ ଘେରରରେ ସବ୍‌ରେଜିଷ୍ଟ୍ରାର୍‌ ଓ ଆର୍‌ଆଇଙ୍କ ଭୂମିକା

ଭୁବନେଶ୍ୱର: ଇନ୍‌ଫୋସିଟି ଥାନା ଅଧୀନ କିଟ୍‌ ଜଗନ୍ନାଥମନ୍ଦିର ନିକଟରେ ଥିବା ଜଣେ ଆଇନ୍‌ଜୀବୀ ସତ୍ୟଶ୍ରୀ ମହାନ୍ତି ଓରଫ ମାନସଙ୍କ ଜମିକୁ ଜାଲିଆତି କରି ହଡ଼ପ। କେହିଜଣେ ବ୍ୟକ୍ତି ମାନସଙ୍କ ଜାଲ ଭୋଟ ପରିଚୟପତ୍ର ଏବଂ ତାଙ୍କ ଜୀବୀତ ମା’ଙ୍କୁ ମୃତ ଦର୍ଶାଇ ଭୁବନେଶ୍ୱର ତହସିଲ୍‌ ଅର୍ନ୍ତଗତ ପଥରଗାଡ଼ିଆ ମୌଜାରେ ଥିବା ସ୍ଥିତିବାନ ପଲ୍ଟ ନଂ-୨୬୯୯ ଖାତା ନଂ-୧୦୩୦କୁ ୩୦ଲକ୍ଷ ଟଙ୍କାରେ କଟକ ଜିଲ୍ଲାର ଲାଲ୍‌ବାଗ ଥାନା ଅଞ୍ଚଳର ମହମ୍ମଦ ଇର୍ଷାଦ ଓ ସାଲେପୁର ଥାନା ଅଞ୍ଚଳର ଭୀମସେନ୍‌ ଓଝାଙ୍କୁ ବିକ୍ରି କରିଛି। ତେବେ ଏହି ଜମିକୁ ହଡ଼ପ କରିବାରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଓ ଚନ୍ଦକା ଆରଆଇଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜମି ମାଲିକ ଜୀବିତ ଥାଉ ଥାଉ କିପରି ଉତ୍ତରାଧିକାରୀ ସାଟିଫିକେଟ୍‌ ଓ ଜମିର ସ୍ଥିତିକୁ ବିନା ଯାଞ୍ଚରେ ବିକ୍ରି କରାଗଲା ବୋଲି ମାନସ ପ୍ରଶ୍ନ କରିଛନ୍ତି। ଏନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅଭିଯୋଗରେ ଦର୍ଶାଯାଇଛି, ଗତ ୨୧ ତାରିଖ ଦିନ ମାନସ ପୁଅର ରେସିଡେଣ୍ଟ ସାଟିଫିକେର୍ଟ ବାହାର କରିବା ପାଇଁ ଜମିର ଅବିକଳ ନକଲ କାଢ଼ିବା ବେଳେ ଜାଣିବାକୁ ପାଇଥିଲେ ଯେ, ଜମିକୁ କେହି ବିକ୍ରି କରିଛି। ତାଙ୍କ ନାମରେ ଏକ ନକଲି ପରିଚୟପତ୍ର ଓ ତାଙ୍କ ମା’ ପ୍ରମୋଦା କୁମାରୀ ମହାନ୍ତିଙ୍କ ୪ ବର୍ଷ ପୂର୍ବରୁ ମୃତ ଘଟିଥିବା ଦର୍ଶାଇ ବ୍ୟକ୍ତି ଜଣଙ୍କ ଜମିକୁ ବିକ୍ରି କରିଛନ୍ତି। ଯଦିଓ ତାଙ୍କ ମା’ ଓ ବାପା ଉଭୟ ବର୍ତ୍ତମାନ ଜୀବୀତ ଅଛନ୍ତି। ଏହାଛଡ଼ା ଆଜକୁ ଦୀର୍ଘ ୨୫ ବର୍ଷ ହେବ ଉକ୍ତ ଜମିର ପଟ୍ଟା ସତ୍ୟବାନ ମହାନ୍ତି ଓ ତାଙ୍କ ମା’ ପ୍ରମୋଦା କୁମାରୀ ମହାନ୍ତିଙ୍କ ନାମରେ ରେକର୍ଡ ଦର୍ଜ ହୋଇଛି। ତେବେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଓ ଚନ୍ଦକା ଆରଆଇ ଯୋଜନାବଦ୍ଧ ଭାବେ କୌଣସି କାଗଜପତ୍ର ଯାଞ୍ଚ ନକରି ଜମିପଟ୍ଟା ଏବଂ ଦଲିଲ୍‌ ପ୍ରସ୍ତୁତ କରିଛନ୍ତି। ତେଣୁ ଘଟଣାରେ ତଦନ୍ତ କାରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି। ଯଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆଇନ୍‌ଜୀବୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର