ଅଖାରୁ ୩୦ ଲକ୍ଷ ଜବତ ଘଟଣା, ହିସାବ ଦେଇ ପାରୁନାହାନ୍ତି ବ୍ୟବସାୟୀ

ଭୁବନେଶ୍ବର: ଖଣ୍ଡଗିରି ଥାନା ପୁଲିସ ଜବତ କରିଥିବା ୩୦ ଲକ୍ଷ ଟଙ୍କା ମାମଲା‌ରେ ବ୍ୟବସାୟୀ ଅଡ଼ୁ୍ଆରେ ପଡ଼ିଛନ୍ତି। ଜବତ ଟଙ୍କାର ହିସାବପତ୍ର ଦେଖାଇ ପାରିନାହାନ୍ତି। ସେହିଭଳି ଜିଏସ୍‌ଟି ଛାନ୍‌ଭିନ୍‌ରୁ ମଧ୍ୟ ବ୍ୟବସାୟୀଙ୍କୁ ଝଟ୍‌କା ଲାଗିଛି। ଜିଏସ୍‌ଟି ମାଗିଥିବା କାଗଜପତ୍ର ପ୍ରଦର୍ଶନ କରି ନପାରି ବ୍ୟବସାୟୀ ଅଡ଼ୁଆରେ ପଡ଼ିଛନ୍ତି। ସେଥିରେ ପୁଣି ପୁଲିସ ଆୟକର ବିଭାଗକୁ ତଦନ୍ତ ସୁପାରିସ୍‌ କରିଥିବାରୁ ବ୍ୟବସାୟୀ ଚାରିପଟୁ ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି।

ଟଙ୍କା ସହ ଅଟକ ଥିବା ଯୁବକ ହେଲେ, ଯାଜପୁର ଛତିଆ ଅଞ୍ଚଳର ମହାବୀର ପ୍ରସାଦ ଦାସ। ଜୟଦେବବିହାର ଛକସ୍ଥିତ ହୋଟେଲ କଣ୍ଟ୍ରି ଷ୍ଟାଇଲ୍‌ର ମାଲିକ ପ୍ରଳୟ ପାଢ଼ୀଙ୍କ କର୍ମଚାରୀ। ପ୍ରଳୟଙ୍କ ତେଜରାତି ବେପାର ସହ ପାନ ମସଲା ପାଇକାରୀ ବ୍ୟବସାୟ ରହିଛି। ସେ ପାନ ମସଲାର ସି ଆଣ୍ଡ ଏଫ୍‌ ଏଜେଣ୍ଟ। ଗତକାଲି ଟଙ୍କା ଜବତ ହେବା ପରେ ପ୍ରଳୟ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ। ପୁଲିସ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା। କେଉଁ ବେପାରୀଙ୍କ ଉପରେ ବାକି ପଡ଼ିଥିଲା ଓ ସେଗୁଡ଼ିକର ବିଲ୍‌ ଦାଖଲ କରିବାକୁ ତାଙ୍କୁ କୁହାଯାଇଥିଲା। ହେଲେ ପୁଲିସକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। କୌଣସି କାଗଜପତ୍ର ମଧ୍ୟ ଦେଖାଇ ପାରିନଥିଲେ। ଅଟକ ମହାବୀରକୁ ପୁଲିସ ଅଣ୍ଡରଟେକିଂ ଲେଖାଇ ଛାଡ଼ିଛି। ତେବେ ଏହି ଟଙ୍କା ପ୍ରକୃତରେ ପ୍ରଳୟଙ୍କର ବକେୟା ଟଙ୍କା କି ନା, ଜାଣିବା ପାଇଁ ଖଣ୍ଡଗିରି ଥାନା ପୁଲିସ ତନାଘନା ଜାରି ରଖିଛି। ସେହିଭଳି ପ୍ରଳୟ ବେପାରରେ ଜିଏସ୍‌ଟି ଠକିବା ପାଇଁ ଏଭଳି ନଗଦ କାରବାର ଚଳାଇଥିବା ସନ୍ଦେହ ହେବାରୁ ଜିଏସ୍‌ଟି ବିଭାଗ ଅଧିକାରୀମାନେ ଆଜି ଖଣ୍ଡଗିରି ଥାନା ଯାଇ ଛାନ୍‌ଭିନ୍ କରିଛନ୍ତି। ଜିଏସ୍‌ଟି ବାବଦ ସମସ୍ତ ତଥ୍ୟ ପ୍ରମାଣ ନେଇ ଜିଏସ୍‌ଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ପ୍ରଳୟଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର

Comments are closed.