ଦୁଇ ଦିନରେ ୩୦ଲକ୍ଷର ବାଣ ବେପାର

ଭୁବନେଶ୍ବର: ରାଜଧାନୀରେ ବାଣ ବେପାର ଜମିଛି। ଦୀର୍ଘ ଦୁଇବର୍ଷର କରୋନା କଟକଣାରେ ବାଣଠାରୁ ଦୂରରେ ରହିଥିବା ଗ୍ରାହକ ବାଣ କିଣିବା ପାଇଁ ଭିଡ଼ ଜମାଇଛନ୍ତି। ସହରରେ ବିଏମ୍‌ସି ଚିହ୍ନଟ କରିଥିବା ୨୮ଟି ଜାଗାରେ ୫ଶହରୁ ଊର୍ଦ୍ଧ୍ବ ଦୋକାନ ଖୋଲିଛି। ଦୁଇ ଦିନରେ ପାଖାପାଖି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ବିକ୍ରି ହୋଇଛି। ଆସନ୍ତାକାଲି ଦୀପାବଳି ତଥା ବାଣ ବେପାରର ଶେଷ ଦିନ ରହିଛି। ଏଣୁ ବେପାର ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି। କିନ୍ତୁ ବର୍ଷା ଭୟ ଥିବାରୁ ବେପାର ପ୍ରଭାବିତ ହୋଇପାରେ ବୋଲି କିଛି ବ୍ୟବସାୟୀ ଆଶଙ୍କା କରିଛନ୍ତି। ରକେଟ୍‌, କୁମ୍ପି ପ୍ରଭୃତି ବାଣରେ ଲୋକମାନଙ୍କର ଆଗ୍ରହ ରହିଥିବା ବେଳେ ରସୁଣ ବାଣରେ ଛୋଟ ପିଲାଙ୍କର ଆଗ୍ରହ ରହିଥିବା ଦେଖାଯାଇଛି।

ଏହି ସବୁ ଜାଗାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ବେଆଇନ ଦୋକାନ ଉପରେ ଚଢ଼ଉ କରୁଥିବା ବେଳେ ଏଠାରେ କୌଣସି ଅଘଟଣ ପାଇଁ ଅଗ୍ନିଶମ ସେବା ସଂସ୍ଥା ସ୍ବତନ୍ତ୍ର କ୍ୟାମ୍ପ କରି ପ୍ରସ୍ତୁତ ରହିଛି। ସେହିଭଳି ଦୋକାନଗୁଡ଼ିକରେ ଉତ୍ତମ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ବିଏମ୍‌ସି କଡ଼ାକଡ଼ି କରିଛି। ବ୍ୟବସାୟୀମାନେ ଡଷ୍ଟବିନ୍‌ ରଖିବା ସହ ଦୋକାନଠାରୁ ୫ମିଟର ପର୍ଯ୍ୟନ୍ତ ସଫା ରଖିବାକୁ କୁହାଯାଇଛି। ବିଏମ୍‌ସିର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହା ଉପରେ କଡ଼ା ନଜର ରଖିଛି। ତେବେ ଦୁଇଦିନ ଧରି କୌଣସି ଅଘଟଣ ଘଟିନାହିଁ କିମ୍ବା ପରିମଳ ବ୍ୟବସ୍ଥାରେ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇନଥିବା ବିଏମ୍‌ସି କହିଛି।

୨୧ ଦୋକାନରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଭୁବନେଶ୍ବର: ବେଆଇନ ବାଣ ବିକ୍ରି କରୁଥିବା ୨୧ଟି ଦୋକାନ ଉପରେ ଚଢ଼ଉ କରି କମିସନରେଟ୍‌ ପୁଲିସ୍‌ ଆଜି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା‌ ବେଳେ ଯାଞ୍ଚକୁ କଡ଼ାକଡ଼ି କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦିନ ହେବ ଏହି ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଥିବା ବେଳେ ଦୀପ‌ାବଳିର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ ଆଜି ଚଢ଼ଉକୁ ବ୍ୟାପକ କରାଯାଇଛି।

ଯେଉଁମାନେ ବିନା ଲାଇସେନ୍ସରେ ବାଣ ବିକ୍ରି କରିଥିଲେ, ସେମାନଙ୍କ ବାଣକୁ ଜବତ କରାଯିବା ସହ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖିଛି। ଭରତପୁର ଥାନା ରୁଚିକା ମାର୍କେଟ୍‌ ଅଞ୍ଚଳରେ ସର୍ବାଧିକ ୬ଟି ବେଆଇନ ବାଣ ଦୋକାନ ଠାବ ହୋଇଥିବା ବେଳେ ପଛକୁ ଖାରବେଳନଗର ଥାନା ୟୁନିଟ୍‌-୪ ଅଞ୍ଚଳର ୪ଟି, ନୂଆପଲ୍ଲୀ ଥାନା ଅଞ୍ଚଳରେ ୩ଟି, କ୍ୟାପିଟାଲ୍‌ ଥାନା, ଖଣ୍ଡଗିରି ଥାନା ଅଞ୍ଚଳରେ ଦୁଇଟି ଲେଖାଏଁ, ସହିଦନଗର, ବଡ଼ଗଡ଼, ଇନ୍‌ଫୋସିଟି ଏବଂ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ବାଣଦୋକାନ ଠାବ କରାଯାଇଛି। ମୋଟ୍‌ ୨୧ଟି ବେଆଇନ ବାଣ ଦୋକାନକୁ ଠାବ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ସେହିପରି ସମ୍ପୃକ୍ତ ଦୋକାନୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର