ରାସ୍ତା ଉପରେ ଅଧଘଣ୍ଟା ପାର୍କିଂ

ଭୁବନେଶ୍ବର: ରାସ୍ତା ଉପରେ ପାର୍କିଂ ରାଜଧାନୀରେ ଏକ ସାଧାରଣ କଥା। ତେବେ ଆଜି ଜୟଦେବ ବିହାର-ବିଜୁ ପଟ୍ଟନାୟକ କଲେଜ୍‌ ରାସ୍ତାରେ ଦୀର୍ଘ ଅଧଘଣ୍ଟା ଧରି ଏକ ସ୍କୁଟର ପାର୍କିଂ ହେବା ଘଟଣାକୁ ନେଇ ବେଶ୍‌ ଚର୍ଚା ହୋଇଛି। ଏମିତି କଣ ପରିସ୍ଥିତି ହେଲା ଯେ ରାସ୍ତା ଉପରେ ପାର୍କିଂ କରି ଚାଳକ ଚାଲିଗ‌ଲେ ସେ ନେଇ ରାସ୍ତା ଦେଇ ଯାଉଥିବା ଶହ ଶହ ଯାତ୍ରୀ ପ୍ରଶ୍ନ କରୁଥିଲେ। କେହି ୧୦୦ ଡାଏଲ କରି ଏଭଳି ଏକ ବେଆଇନ କାମ ପାଇଁ ପୁଲିସକୁ ସୂଚନା ଦେଇଥି‌ଲେ। କେହି କେହି ସମ୍ପୃକ୍ତ ଅଜଣା ଚାଳକଙ୍କୁ ଗାଳି ଦେଉଥିଲେ। କେତେକ ଗାଡ଼ିକୁ ରାସ୍ତା ଉପରୁ ହଟାଇ ଦେବା ପାଇଁ ଯାଉଥିବା ବେଳେ କେଉଁ ଗୁଣ୍ଡା, ବଦମାସର ହୋଇଥିବ ଭାବି ଫେରି ଆସିଥିଲେ। ଅଧଘଣ୍ଟାଏ ପରେ ଚାଳକ ଆସିଥିଲେ। ବୟସ ୫୦ରୁ ଊର୍ଦ୍ଧ୍ବ ହେବ। କୌଣସି ଜରୁରୀ କାମ ନ ଥିଲା। ଜଣେ ବନ୍ଧୁ ଡାକିବାରୁ ସେ ତରବରରେ ରାସ୍ତା ଉପରେ ଗାଡ଼ି ରଖି ଚାଲି ଯାଇଥିଲେ ବୋଲି କହିଥିଲେ। ପ୍ରାୟ ଘଣ୍ଟାଏ ପରେ ପିସିଆର ଭ୍ୟାନ୍‌ ମଧ୍ୟ ପହଞ୍ଚିଥିଲା। ହେଲେ ସେତେବେଳକୁ ରାସ୍ତା ଫାଙ୍କା ହୋଇ ଯାଇଥିଲା। ଦିନକୁ ଦିନ ରାଜଧାନୀରେ ଯାନବାହନ ସଂଖ୍ୟା ବଢ଼ୁଥିବା ବେଳେ ଏଭଳି ବେଆଇନ ପାର୍କିଂ ଦୁର୍ଘଟଣା ଓ ଟ୍ରାଫିକ୍‌ ଜାମ୍‌ର ପ୍ରମୁଖ କାରଣ ହୋଇଛି।

ସମ୍ବନ୍ଧିତ ଖବର