ଲକ୍‌ଡାଉନ୍ ଯୋଗୁଁ ୩୦% ଲୋକେ ଜୀବିକା ହରାଇଛନ୍ତି

ବରଗଡ଼ ଓ‌ ଢେଙ୍କାନାଳ ଜିଲ୍ଲାକୁ ନେଇ ହୋଇଥିଲା ଟେଲିଫୋନିକ୍‌ ସର୍ଭେ

ଭୁବନେଶ୍ୱର : ମହାମାରୀ କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ଉତ୍ତରପ୍ରଦେଶ ଓ ଓଡ଼ିଶାର ପାଖାପାଖି ୭୯% ଲୋକେ ଗୃହାବଦ୍ଧରେ ରହିଥିଲେ। କାମଧନ୍ଦା ହରାଇ ଘରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟ ମଧ୍ୟରେ ଦୁଇ ରାଜ୍ୟର ୩୨.୩% କୃଷକ, ୧୦.୯% ଦିନମଜୁରିଆ, ୧୦.୪% ଦରମାପ୍ରାପ୍ତ କର୍ମଚାରୀଙ୍କ ସମେତ ପ୍ରାୟ ୨୯% ପରିବାର ଲୋକଙ୍କ ଆୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କରୋନା ଯୋଗୁଁ ଓଡ଼ିଶା ଓ ଉତ୍ତରପ୍ର‌ଦେଶର ଆର୍ଥିକ, ସାମାଜିକ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପଡ଼ିଥିବା ପ୍ରଭାବକୁ ନେଇ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ (ଏନ୍‌ସିଏଇଆର୍) ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏପରି ତଥ୍ୟ ମିଳିଛି। ସଂସ୍ଥା ପକ୍ଷରୁ ଉଭୟ ରାଜ୍ୟର ୨ଟି ଲେଖାଏଁ ଜିଲ୍ଲାକୁ ନେଇ ଏହି ଟେଲିଫୋନିକ୍‌ ସର୍ବେକ୍ଷଣ କରାଯାଇଥିଲା।

ଓଡ଼ିଶାର ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାକୁ ନେଇ ହୋଇଥିବା ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ୯୭% ଲୋକେ ସହାୟତା ଲୋଡ଼ିଥିଲେ। ହାରାହାରି ୮୪% ଲୋକେ ଅନ୍ୟର ଦୁର୍ଦ୍ଦଶାରେ ସହାୟତା ପାଇଁ ଆଗେଇ ଆସୁଥିବା ବେଳେ ତନ୍ମଧ୍ୟରୁ ମାତ୍ର ୮୧ ପ୍ରତିଶତ ଜନସାଧାରଣ ହିଁ ସାହାଯ୍ୟ କରୁଥିଲେ। କରୋନା ପାଇଁ ନିଜ ମଧ୍ୟରେ ଭୟ ସୃଷ୍ଟି ହେବା ଯୋଗୁଁ ଲୋକେ ପରସ୍ପରର ଅସୁବିଧା ବା ସମସ୍ୟା ସମୟରେ ଛିଡ଼ା ହେବାକୁ କୁଣ୍ଠାବୋଧ କରିଥିଲେ। ସେହିଭଳି ଲକ୍‌ଡାଉନ୍ ପାଇଁ ରାଜ୍ୟରେ ୩୦%ଲୋକଙ୍କର ଆୟରେ ତାଲା ଲାଗିଥିବା ବେଳେ ୯% ଲୋକ ନିଜ ଜୀବିକାରେ ପରିବର୍ତ୍ତନ ଆଣିଥିଲେ। କୃଷିରୁ ତଥା ନିଜ ଚାଷଜମିରୁ ଆୟ କରୁଥିବା ଲୋକଙ୍କ ତୁଳନାରେ ଅଣକୃଷି କ୍ଷେତ୍ରର ଶ୍ରମିକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ରାଜ୍ୟରେ ୮୧% ଲୋକଙ୍କର ଆୟରେ ହ୍ରାସ ଘଟିଛି। ଯେଉଁଥିରେ କୃଷକଙ୍କ ମାତ୍ରା ଅଧିକ ରହିଥିବା ବେଳେ କର୍ମଜୀବୀମାନେ ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଛନ୍ତି। ସେହିଭଳି ୧୭% ପରିବାର କରଜ କରି ନିଜ ଦୈନନ୍ଦିନ ଗୁଜୁରାଣ ତୁଲାଉଛନ୍ତି। ଔଷଧ କିଣିବା କ୍ଷେତ୍ରରେ ମଧ୍ୟ ରାଜ୍ୟର ୧୪.୭%ଳ ଲୋକେ ଖର୍ଚ୍ଚ କାଟ୍ କରିଛନ୍ତି। ଏପରିକି ୮୪% ଲୋକେ କରୋନା ଦ୍ବାରା ସଂକ୍ରମଣ ହେବା ଭୟରେ ଡାକ୍ତରଖାନା ଯିବା ମଧ୍ୟ ବନ୍ଦ କରିଛନ୍ତି। ଡାକ୍ତରଖାନା ଯିବା ବନ୍ଦ କରିବା କାରଣରୁ ୫% ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବିଗିଡ଼ିଛି। କରୋନା ଯୋଗୁଁ ରାଜ୍ୟରେ ୭୦% ଲୋକଙ୍କର ଚାକିରି ଯିବାର ଭୟ ସୃଷ୍ଟି ହୋଇଥିବା ୫୪% ଲୋକେ ସେମାନଙ୍କ ଋଣ ଶୁଝିବାକୁ ନେଇ ଅକ୍ଷମତା ପ୍ରକାଶ କରିଥିବା ରିପୋର୍ଟ‌ରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର