ଭୁବନେଶ୍ବର: ପୁଣି ଏକ ହାଇଭୋଲ୍‌ଟେଜ୍‌ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତାକାଲି ରବିବାରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚୁଛନ୍ତି। ତେଣୁ ‘ବ୍ଲୁ ବୁକ୍‌’ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗସ୍ତ ସମୟରେ ସେ କଟକରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସେଠାକାର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆ ଯାଇଛି। ସଭାସ୍ଥଳ ସମେତ ହେଲିପ୍ୟାଡ୍‌ ତଥା ସମଗ୍ର ଅଞ୍ଚଳକୁ ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍‌ ସ୍କାର୍ଡ ଦ୍ବାରା ଯାଞ୍ଚ କରାଯିବା ସହିତ ସେଠାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲିସ ପୁଲିସ କମିସନର ସୂଚନା ଦେଇଛନ୍ତି। ଆଖପାଖରେ ଥିବା ସବୁ ଉଚ୍ଚକୋଠାକୁ ଯାଞ୍ଚ କରାଯିବା ସହିତ ସବୁଠାରେ ସାଧାପୋଷାକରେ ସୁରକ୍ଷାକର୍ମୀ ମୁତୟନ ରହିବେ। ସମସ୍ତଙ୍କୁ ଯାଞ୍ଚ କରାଯାଇ ସଭାସ୍ଥଳକୁ ଛଡ଼ାଯିବ। ସେହି ସମୟରେ ରିଙ୍ଗ୍‌ରୋଡ୍‌ରେ ଟ୍ରାଫିକ ବନ୍ଦ ରହିବ।

Advertisment

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ ରାଜଭବନରେ ରାତ୍ରିରହଣୀ କରିବେ। ସୋମବାର ଦିନ ସେ ପୁରୀରେ ରୋଡ୍‌ ସୋ’ କରିବାପରେ ଅନୁଗୁଳ ଯିବେ। ସେଠାରୁ ଫେରି କଟକ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କଟକ କାର୍ଯ୍ୟକ୍ରମ ସମୟରେ କଟକ ଡିସିପିଙ୍କ ନେତୃତ୍ବରେ ୩ଜଣ ଡିସିପି, ୬ଜଣ ଅତିରିକ୍ତ ଡିସିପି, ୧୮ଜଣ ଏସିପି ରୢାଙ୍କର ଅଫିସର, ୪୦ ଇନସ୍ପେକ୍ଟର, ୧୫୦ ଅଫିସର ଓ ୩୦ ପ୍ଲାଟୁନ ଫୋର୍ସ ନିଯୋଜିତ ରହିବେ। ଏହାଛଡା ୩ଟି ସ୍ପେସାଲ ଟାକ୍‌ଟିକାଲ୍ ୟୁନିଟ୍‌ ଓ ୨ଟି ଓଡ୍ରାପ୍‌ ୟୁନିଟ୍‌ ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟି‌ରେ ରଖି ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାର୍‌କେଡ୍‌ ରିହର୍‌ସାଲ୍‌ ଅନୁଷ୍ଠିତ ହୋଇଛି।