ଭୁବନେଶ୍ବର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ୍ସ୍ଥଳରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ତା’ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍(ସିଟିଏସ୍), ସ୍ପେସାଲ ଟାକ୍ଟିକାଲ ୟୁନିଟ୍(ଏସଟିୟୁ), ସ୍ବତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍ଟପ୍ ସୁକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ। ପରେଡ୍ସ୍ଥଳର ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ। ପରେଡ୍ସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ। ପରେଡ୍ସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ରିହରସାଲ୍ ଆରମ୍ଭ ହେବା ସହ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ।
ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରବୀନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ପରେଡ୍ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯିବ। ଜନପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିବ। ଏଥର ପରେଡ୍ରେ ଅଳ୍ପ ସଂଖ୍ୟକ ଟ୍ରୁପ୍ ଭାଗନେବେ। ପୁଲିସ ବ୍ୟାଣ୍ଡ ସହ ୧୮ଟି ଟ୍ରୁପ୍ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ୍ରେ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/parade.jpg)