ପୋତା ହେଲା ୩୦ କ୍ବିଣ୍ଟାଲ୍‌ ଗୋମାଂସ, ଜେଲ୍‌ ଗଲା ଅଭିଯୁକ୍ତ

ବାଲିପାଟଣା : ମଙ୍ଗଳବାର ଦିନ ସକାଳେ ବାଲିପାଟଣା ଥାନା ସାହେବନଗର ଗାଁରୁ ଜବତ ହୋଇଥିବା ୩୦ କ୍ବିଣ୍ଟାଲ୍‌ ଗୋମାଂସକୁ ବୁଧବାର ପୋତି ଦିଆଯାଇଛି। ଘରେ ଚୋରାରେ କଂସେଇଖାନା କରି ବେଆଇନ୍‌ଭାବେ ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ଅଭିଯୁକ୍ତ ଫିରୋଜ୍‌ ଅଲ୍ଲୀ ଖାଁ ଓରଫ୍ ଜାପାନିକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ମଙ୍ଗଳବାର ଦିନ ସକାଳେ ଏକ ମାଲ୍‌ ବୋଝେଇ ଗାଡ଼ି ଅଭିଯୁକ୍ତ ଜାପାନି ଘର ପାଖ ରାସ୍ତାରେ ଫସି ଯାଇଥିଲା। ଗାଡ଼ିରେ ଗୋମାଂସ ଭର୍ତ୍ତି ହୋଇଥିବା ସନ୍ଦେହ କରି କିଛି ବିଜେପି କର୍ମୀ ଗାଡ଼ିକୁ ଘେରି ରହିଥିଲେ ଓ ବାଲିପାଟଣା ଥାନା ପୁଲିସକୁ ଜଣାଇଥିଲେ। ତେବେ ଲୋକଙ୍କ ଭିଡ଼ ହେବା ଦେଖି ଗାଡ଼ିଚାଳକ ଗାଡ଼ିକୁ କଷ୍ଟେମଷ୍ଟେ ଉଠାଇବା ସହ ଚତୁରତାର ସହ ଘେରି ରହିଥିବା ଲୋକଙ୍କ ଆଗରୁ ଚମ୍ପଟ ମାରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଗାଡ଼ି ଫେରାର୍ ହୋଇସାରିଥିଲା। ତେଣୁ ଲୋକଙ୍କ ସନ୍ଦେହ ବଢ଼ିଥିଲା ଓ ସେଠାରେ କଂସେଇଖାନା ଚାଲିଛି ବୋଲି ଖବର ଖେଳି ଯାଇଥିଲା। ଲୋକଙ୍କ ଦାବି ଅନୁସାରେ ପୁଲିସ ଅଭିଯୁକ୍ତ ଜାପାନିର ଘରେ ପଶି ଛାନ୍‌ଭିନ୍ କରିଥିଲା। ଜାପାନି ଘରୁ ୪୦ ପେଟି ଗୋମାଂସ ଜବତ ହୋଇଥିଲା। ସେଠାରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ପୁଲିସ ତଦନ୍ତ ଚାଲିଥିବାରୁ କୌଣସି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇନଥିଲା। ଜବତ ମାଂସ ପରୀକ୍ଷା ପାଇଁ ପୁଲିସ ବେଣୁପୁର ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ପରେ ଫୁଲନଖରାସ୍ଥିତ ପଶୁରୋଗ ଗବେଷଣା କେନ୍ଦ୍ରକୁ ପଠାଇଥିଲା। ଆଜି ଜାପାନିକୁ କୋର୍ଟ ଚାଲାଣ କରାଯିବା ପରେ ପୁଲିସ ଜବତ ମାଂସକୁ ପୋତି ଦେଇଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ ଜାପାନି ଘରେ ବାଡ଼ି ପଛପଟେ ଏକ ତାଟ ଘେରା ଅସ୍ଥାୟୀ କଂସେଇଖାନା ରହିଛି। ଆଜି ଘଟଣାର ପର୍ଦ୍ଦାଫାସ୍‌ ହେବା ପରେ ଏହି କଂସେଇଖାନାକୁ ସବୁଦିନ ପାଇଁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ଏକ ବଡ଼ ରୢାକେଟ୍‌ ବୋଲି ଦାବି କରି ଲୋକେ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଭିଙ୍ଗାରପୁର ପଞ୍ଚାୟତ ବିଜେପି ସଭାପତି ସଞ୍ଜୟ ତ୍ରିପାଠୀ ଲିଖିତ ଅଭିଯୋଗ କରି ଏହି ଦାବି ରଖିଛନ୍ତି।

ସମ୍ବନ୍ଧିତ ଖବର