ଓଡ଼ିଶାରେ ହେବ ୩୦ଟି ବିଜ୍ଞାନ କେନ୍ଦ୍ର

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଜିଲ୍ଲା ପାଇଁ ଜମି ଚିହ୍ନଟ

ଭୁବନେଶ୍ୱର: ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ ପରି ଜିଲ୍ଲାରେ ଜମି ଚିହ୍ନଟ ସରି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଛି। ବାକି ଜିଲ୍ଲାଗୁଡ଼ିକରେ ଜମି ସମସ୍ୟା ରହିଥିବାରୁ କାର୍ଯ୍ୟ ଆଗେଇ ପାରୁନି। ତଥାପି ଖୁବ୍‌ଶୀଘ୍ର ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ଓ ରିଜିଓନାଲ ମେଡିକାଲ ରିସର୍ଚ୍ଚର୍ ସେଣ୍ଟର (ଆରଏମ୍‌ଆରସି)ର ମିଳିତ ସହଯୋଗରେ ଆଜିଠାରୁ ଆରମ୍ଭ ହୋଇଥିବା ଏକ୍ସପୋଜିସିନ୍‌ ଆଣ୍ଡ୍‌ ଓପନ୍‌ ଡେ’କୁ ଉଦ୍‌ଘାଟନ କରି ଶ୍ରୀ ଧଳ ଏହା କହିଛନ୍ତି। ଶ୍ରୀ ଧଳ କହିଲେ ରାଜ୍ୟର ଦୁଇଟି ସ୍ଥାନରେ ପ୍ଲାନିଟୋରିୟମ୍‌ ରହିଛି। ଆଉ ୪ଟି ଜାଗା ଯଥା-ବାରିପଦା, ଗୋପାଳପୁର, କେନ୍ଦୁଝର ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରତିଷ୍ଠା ହେବ। ଗୋପାଳପୁର ଓ କେନ୍ଦୁଝରରେ ଜାଗା ମିିଳିଛି। ବାରିପଦାରେ ଜାଗା ଚିହ୍ନଟ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରିନି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବି ସମାନ ଅବସ୍ଥା ଯୋଗୁଁ ବିଳମ୍ବ ହେଉଛି। ତଥାପି ଖୁବ୍‌ଶୀଘ୍ର ଜାଗା ଚିହ୍ନଟ ଦିଗରେ ପଦକ୍ଷେପ ନିଆଯାଉଛି। ଏଠାରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବିଜ୍ଞାନ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ।

ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ନାଇଜର୍‌ ନିର୍ଦେଶକ ସୁଧାକର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରଥିଲେ। ଆର୍‌ଏମ୍‌ଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ମତପ୍ରକାଶ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବିଭିନ୍ନ ସେକ୍ସନରେ ବିଶେଷଜ୍ଞମାନେ ସାମିଲ ହୋଇ ୮୦୦ସ୍କୁଲ ଛାତ୍ରଛାତ୍ରୀଙ୍କୁ ବକ୍ତତା ଦେଇଥିଲେ। ଛାତ୍ରଛାତ୍ରୀ ଉଭୟ ଅନୁଷ୍ଠାନର ଲାବରେଟୋରି ବୁଲି ବିଭିନ୍ନ ସାମଗ୍ରୀ ଦେଖିଥିଲେ। ରବିବାର ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର