ଭୁବନେଶ୍ୱର: ସିନେମାରେ ହିରୋ ରୋଲ ଦେବାକୁ ଲୋଭ ଦେଖାଇ ୩୦ହଜାର ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଅଭିଯୁକ୍ତ ହେଉଛି କେନ୍ଦ୍ରାପଡ଼ାର ଦୀପ୍ତିରଞ୍ଜନ ମହାନ୍ତି। ସହିଦନଗରରେ ରହି ସେ ଏଭଳି କାମ ଚଳାଇଥିବା ପୁଲିସ କହିଛି। ଦୀପ୍ତି ନାମରେ ଗାଡ଼ିଚୋରି, ଠକେଇ ଭଳି ୪ଟି ମାମଲା ରହିଛି। ଠକେଇର ଶିକାର ହୋଇଥିବା ଯୁବକ ହେଉଛନ୍ତି ସତ୍ୟ ରଞ୍ଜନ ଦାସ।
ଅଭିଯୋଗ ମୁତାବକ, ଓଡ଼ିଆ ଫିଲ୍ମରେ ଅଭିନୟ ସୁଯୋଗ ଦେବ ବୋଲି ଦୀପ୍ତି ପ୍ରଚାର କରୁଥିଲା। କୌଣସି ସୂତ୍ରରୁ ଜାଣିବା ପରେ ତା’ ପାଖରେ ସତ୍ୟ ପହଞ୍ଚିଥିଲେ। ଫିଲ୍ମରେ ହିରୋ ରୋଲ୍ ଦେବା ପାଇଁ ସେ ସତ୍ୟଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲା। ହେଲେ ଫିଲ୍ମ ସୁଟିଂ ହୋଇ ନଥିଲା। ଏହାପରେ ସେ ଆଉ ଧରାଛୁଆଁ ଦେଇ ନଥିଲା। ଏନେଇ ସତ୍ୟ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଗତକାଲି ଦୀପ୍ତି ରୂପାଲି ଛକ ଦେଇ ବାଇକ୍ରେ ଯାଉଥିବା ବେଳେ ସତ୍ୟ ତାକୁ ମାଡ଼ି ବସି ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା।