ମୁକୁଳା ଡ୍ରେନ୍ ପାଇଁ ୩୦୦କୋଟି: ଅକ୍ଟୋବର ୫ରେ ବିସ୍ତୃତ ଆଲୋଚନା ହେବ

ଭୁବନେଶ୍ବର: ମୁକୁଳା ଡ୍ରେନ୍‌ରେ ପଡ଼ି ରାଜଧାନୀରେ ଜଣେ ୧୫ବର୍ଷର ଛାତ୍ରର ମୃତ୍ୟୁ ହେବା ପରେ ରାଜ୍ୟ ସରକାର ଚେତିଛନ୍ତି। ରାଜ୍ୟର କୌଣସି ସହରାଞ୍ଚଳରେ ଯେପରି ମୁକୁଳା ଡ୍ରେନ୍ ରହିବନି ସେଥିପା‌ଇଁ ନଗର ଉନ୍ନୟନ ବିଭାଗ ୩୦୦କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ବିଧାନସଭା ପରିସରରେ ବସିଥିବା ନଗର ଉନ୍ନୟନ ବିଭାଗର ବିଭାଗୀୟ ସ୍ଥାୟୀ କମିଟି ବୈଠକ ପରେ କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଏହି ସୂଚନା ଦେଇଛନ୍ତି। ବୈଠକରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଯୋଗଦେଇଥିଲେ। ସହରାଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଯଥା ପିଇବା ପାଣି ଯୋଗାଣ ପାଇଁ ହେଉଥିବା ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍ ମିସନ୍, ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ସହରାଞ୍ଚଳ ଜୀବିକା ମିସନ୍ ସମ୍ପର୍କରେ ସଚିବ ସୂଚନା ଦେଇଥିଲେ। ହେଲେ ଏଥିରେ ଉପସ୍ଥିତ ଥିବା ବିଧାୟକମାନେ ସହରାଞ୍ଚଳ ବନ୍ୟା ମୁକାବିଲା ନେଇ କ’ଣ ଯୋଜନା ହୋଇଛି ବୋଲି ପଚାରିଥିଲେ। ଡ୍ରେନ୍ ଏମିତି ମୁକୁଳା ପଡ଼ିଥିବ ନା ଏଥିର ସ୍ଳାବ୍ ପଡ଼ିବ ବୋଲି ପଚାରିଥିଲେ। ବିଭାଗୀୟ ସଚିବ ଏନେଇ କିଛି ତଥ୍ୟ ଆଣିନଥିବାରୁ ବିସ୍ତୃତ ଭାବେ କିଛି କହିପାରିନଥିଲେ। ସ୍ଥାୟୀ କମିଟି ଆଗରେ ଯେପରି ଅପଦସ୍ତ ନହେବେ ସେଥିପାଇଁ କହିଦେଲେ ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଇବାକୁ ୩୦୦କୋଟି ଖର୍ଚ୍ଚ ହେବ। ୫ମହାନଗର ନିଗମ, ୪୬ଏନ୍ଏସି, ୬୩ଟି ମ୍ୟୁନିସପାଲଟିରେ ଥିବା ମୁକୁଳା ଡ୍ରେନ୍‌ରେ ଅଗ୍ରାଧିକାର ଭିତ୍ତିରେ ଡ୍ରେନ୍‌ରେ ସ୍ଲାବ୍ ପଡ଼ିବ। ଭୁବନେଶ୍ବର ଓ କଟକରେ ଏହାକୁ ପ୍ରଥମେ କାର୍ଯ୍ୟକାରୀ କରାଯିବ। ଏଠାରେ ଅଧିକ ମୁକୁଳା ଡ୍ରେନ୍ ଥିବାରୁ ଅଧିକ ଟଙ୍କା ଏଥିପାଇଁ ଖର୍ଚ୍ଚ ହେବ। ଖୁବ୍‌ ଶୀଘ୍ର ଏନେଇ ବ‌ଜେଟ୍ ପ୍ରସ୍ତୁତ ହେବ।

ଭୁବନେଶ୍ବର ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ତାହାର ରିପୋର୍ଟ ବିଏମ୍‌ସି କମିସନର ଦେ‌ବେ। କଟକ ପାଇଁ ସିଏମ୍‌ସି କମିସନର ବିସ୍ତୃତ ରିପୋର୍ଟ ଦେବେ। ଆସନ୍ତା ୫ତାରିଖରେ ବସିବାକୁ ଥିବା ବୈଠକରେ ଏନେଇ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। କେଉଁଠି କେତେ ମୁକୁଳା ଡ୍ରେନ୍ ଅଛି, କେତେ ଜାଗାରେ ସ୍ଲାବ୍ ପଡ଼ିନି, କେତେ ଟଙ୍କା ଖର୍ଚ୍ଚ ହେବ ତା’ର ସୂଚନା ଦିଆଯିବ। ଭୁବନେଶ୍ବରର ୧୦ଟି ମୁଖ୍ୟ ନାଳ ପାଇଁ ମଧ୍ୟ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ। ଅପରପକ୍ଷେ ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ କ’ଣ କରୁଛି ସେନେଇ ବିଭାଗୀୟ ସଚିବ ବି କିଛି ସୂଚନା ଦେଇନାହାନ୍ତି। ଏବେ ୧୧୪ଟି ସହରାଞ୍ଚଳରେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ହେଉଥିବାବେଳେ ଏନେଇ କେବେ ସହରାଞ୍ଚଳ ଡ୍ରେନେଜ୍ ବିଭାଗ ଖୋଲିବ, କେବେ ଏନ୍‌ଡିଏମ୍ଏ ଗାଇଡଲାଇନ୍ ଅନୁଯାୟୀ ଡ୍ରେନ୍ ନିର୍ମାଣ ହେବ ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇନି। ଆଜିର ବୈଠକରେ ବିଧାୟକ ଅମର ଶତପଥୀ, ମହମ୍ମଦ ମୋକିମ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର