ଭୁବନେଶ୍ବର: ବିଶ୍ବକପ୍‌ ହକି ପାଇଁ ସହରରେ ଜବରଦଖଲ ଉଚ୍ଛେଦକୁ ଜୋରଦାର କରାଯାଇଛି। ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସକୁ ନେଇ ଗଠିତ ୧୭ଟି ସ୍କ୍ବାଡ୍‌ ସହର ସାରା ବୁଲି ବୁଲି ଜବରଦଖଲ ଉଚ୍ଛେଦ କରୁଛନ୍ତି। ଆଜି ଗୋଟିଏ ଦିନରେ ୩୦୦ରୁ ଅଧିକ ଦୋକାନକୁ ଉଚ୍ଛେଦ କରାଯାଇଛି। ସେହିପରି ବେଆଇନ ଭାବେ ଡ୍ରେନ୍‌ ଓ ରାସ୍ତା ଉପରେ ଲଗାଯାଇଥିବା ହୋର୍ଡିଂକୁ ଉଚ୍ଛେଦ କରାଯାଇ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Advertisment

ଆଜି ପୂର୍ବାହ୍ନରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଷ୍ଟିୱାର୍ଟ ସ୍କୁଲ୍‌ରୁ ଡେଲ୍‌ଟା ଓ ସିଆର୍‌ପି ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରୁ ଜବରଦଖଲ ହଟାଇଥିଲା। ମୋଟ୍‌ ୨୧୭ଟି ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ସେଥିମଧ୍ୟରେ ୯ଟି ହୋଟେଲ, ୩୧ଟି ପରିବା ଦୋକାନ, ୩୮ଟି ଫଳ ଦୋକାନ, ୬ଟି କୁକୁଡ଼ା ଦୋକାନ, ୧୮ଟି ଫାଷ୍ଟଫୁଡ୍‌ ଦୋକାନ, ୧୭ଟି କ୍ୟାବିନ୍‌, ୨୭ଟି ଅସ୍ଥାୟୀ ଦୋକାନ, ୩୯ଟି ସେଡ୍‌, ୭ଟି ଗାଡ଼ି ସର୍ଭିସିଂ ସେଣ୍ଟର ଓ ୯ଟି ବହି ଦୋକାନକୁ ମାଟିରେ ମିଶାଇ ଦିଆଯାଇଥିଲା। ସେହିପରି ହାଉସିଂବୋର୍ଡ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ଏଥିରେ ୧୨ଟି ଫାଷ୍ଟଫୁଡ୍‌ ବକ୍ସ, ୨୦ଟି ବାଉଁଶ ନିର୍ମିତ ଦୋକାନକୁ ଉଚ୍ଛେଦ କରାଯାଇଥିଲା।

ଅପରପକ୍ଷେ, ଆଚାର୍ଯ୍ୟବିହାରରୁ ଏଜି ଛକ ପର୍ଯ୍ୟନ୍ତ ଡ୍ରେନ୍‌ ଓ ରାସ୍ତା ଉପରେ ଲାଗିଥିବା ହୋର୍ଡିଂକୁ ହଟାଯାଇଥିଲା। ଏହି ହୋର୍ଡିଂ ଲଗାଇଥିବା ସଂପୃକ୍ତ ସଂସ୍ଥାଗୁଡ଼ିକଠାରୁ ଜରିମାନା ବାବଦରେ ୫୦ ହଜାର ଟଙ୍କା ଆଦାୟ କରାଯାଇଛି। ପଟିଆରୁ ଡମଣା ଛକ ମଧ୍ୟରେ ୩୯ଟି ଦୋକାନ ଉଚ୍ଛେଦ କରାଯାଇଛି। ଏଥିରେ ୧୨ଟି ଆଜବେଷ୍ଟସ୍‌ ନିର୍ମିତ ଦୋକାନ, ୯ଟି ଦୋକାନ, ୮ଟି କ୍ୟାବିନ୍‌, ୨ଟି ଫାଷ୍ଟଫୁଡ୍‌ ଦୋକାନ, ୪ଟି ଅସ୍ଥାୟୀ ଦୋକାନ ରହିଛି। ସେହିପରି ସ୍ମାର୍ଟ ଜନପଥରୁ ୬ଟି ଫଳ ଟ୍ରଲି, ୫ଟି ଆଇସକ୍ରିମ୍‌ ଟ୍ରଲି ଓ ୫ଟି ଗୁପଚୁପ୍‌ ଟ୍ରଲିକୁ ହଟା ଯାଇଥିଲା।

ଗତକାଲି ଉତ୍ତର ଜୋନ୍‌ରେ ବେଆଇନ ନିର୍ମାଣକୁ ଜୋରଦାର୍‌ ଉଚ୍ଛେଦ କରାଯାଇଥିଲା। ଏଥିରେ ୧୬ଟି ଆଜବେଷ୍ଟସ୍‌ ଦୋକାନ, ୭ଟି ହୋଟେଲ, ଗ୍ୟାରେଜ୍‌ ଓ ଟିଫିନ୍‌ ସେଡ୍‌, ୯ଟି ଫାଷ୍ଟଫୁଡ୍‌ ଦୋକାନ ଉଚ୍ଛେଦ କରାଯାଇଥିଲା। ପାଖାପାଖି ୧.୫ ଏକର ସରକାରୀ ଜମିକୁ ଜବର ଦଖଲମୁକ୍ତ କରାଯାଇଥିଲା। ସେହିପରି ବାଣୀବିହାରଠାରେ ଉଚ୍ଛେଦ ସମୟରେ ୨୦ଜଣ ରୂପଜୀବୀଙ୍କ ଘରକୁ ଉଚ୍ଛେଦ କରାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉଚ୍ଛେଦକୁ ବିରୋଧ କରି କିଛି ରୂପଜୀବୀ ଜେସିବି ଆଗରେ ଧାରଣା ଦେଇଥିଲେ। ରାଜୀବ ଆବାସ ଯୋଜନାରେ ଘର ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। କିନ୍ତୁ ଏନ୍‌ଫୋସ୍‌ମେଣ୍ଟ ଟିମ୍‌ କିଛି ନଶୁଣି ଉଚ୍ଛେଦ କରିଥିଲା।