ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି ଭୁବନେଶ୍ବର ଓ କଟକରେ ଅଧିକାଂଶ ଆଇସିୟୁ ଶଯ୍ୟାରେ ଆଉ ଜାଗା ନାହିଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ବର ଓ କଟକରେ ଆଉ ୩ଶହ ଆଇସିୟୁ ଶଯ୍ୟା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାବାଦ୍ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ଆଇସୋଲେସନ୍ ୱାର୍ଡକୁ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ୟୁନିଟ୍ରେ ପରିଣତ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବର ଓ କଟକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଦୁଇ ସହରରୁ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଶଯ୍ୟା ସହିତ ଆଇସିୟୁର ଆବଶ୍ୟକତା ରହିଛି। ଖୋର୍ଧା ଓ କଟକରେ ୩୫୦ ଆଇସିୟୁ ଶଯ୍ୟାକୁ ମିଶାଇ ପ୍ରାୟ ୩୫ଶହ ଶଯ୍ୟା ରହିଛି। ମାତ୍ର ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଶଯ୍ୟା ଯଥେଷ୍ଟ ହେଉନାହିଁ। ଯଦିଓ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଆଇସିୟୁରେ ୫୦ ପ୍ରତିଶତରୁ କମ୍ ଲୋକ ଚିକିତ୍ସିତ ହେଉଛନ୍ତି, ମାତ୍ର ଏହି ଦୁଇ ସହରରେ ଅଧିକ ଜରୁରୀ ହୋଇପଡ଼ିଛି। ଏ ଦୃଷ୍ଟିରୁ ଭୁବନେଶ୍ବର ଓ କଟକର ଘରୋଇ ହସ୍ପିଟାଲରେ ୧୦୦ ଲେଖାଏଁ ଆଇସିୟୁ ଓ ଏସ୍ସିବିରେ ୧୦୦କୁ ମିଶାଇଲେ ସମୁଦାୟ ୩ଶହ ଆଇସିୟୁ ଶଯ୍ୟା ପ୍ରତିଷ୍ଠା ହେବ।
ଏ ନେଇ ଘରୋଇ ହସ୍ପିଟାଲଗୁଡ଼ିକ ସହିତ ଆଲୋଚନା କରିବା ଲାଗି ବିଏମ୍ସି ଓ ସିଏମ୍ସିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ରାଜଧାନୀରେ ୩ଟି ଘରୋଇ ହସ୍ପିଟାଲ ଓ କଟକରେ ୨ଟି ଘରୋଇ ହସ୍ପିଟାଲ ସହିତ ଏନେଇ ଆଲୋଚନା ହୋଇଛି। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟୁ ଶଯ୍ୟା ସହିତ ଅତିକମ୍ରେ ୨୦ ପ୍ରତିଶତ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ପାଇଁ କୁହାଯାଇଛି। ଭୁବନେଶ୍ବର ୫ଟି କୋଭିଡ୍ ହସ୍ପିଟାଲରେ ୨୪୩ ଆଇସିୟୁ ଶଯ୍ୟା ରହିଛି। ତହିଁରୁ ୨୩୮ ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି କଟକରେ ମଧ୍ୟ ସମାନ ଅବସ୍ଥା। ଏ ଦୃଷ୍ଟିରୁ ଏସ୍ସିବି ମେଡିକାଲ କଲେଜର ଆଇସୋଲେସନ୍ ୱାର୍ଡକୁ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ୟୁନିଟ୍ରେ ପରିଣତ କରାଯିବା ସହିତ ଏଠାରେ ୧୦୦ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା ରହିବ ବୋଲି ସୂଚନା ମିଳିଛି।