ପେଟ ଚିନ୍ତାରେ ରାଜଧାନୀର ୩୦ ହଜାର ଅଟୋ ଚାଳକ, କଟକଣା ଛଡ଼ାଇନେବ ଜୀବିକା!

ଅତି କମ୍‌ରେ ୩ ଯାତ୍ରୀ ନେବାକୁ ଅନୁମତି ଦିଅନ୍ତୁ ସରକାର: ମହାସଂଘ

ଭୁବନେଶ୍ବର: ଗତବର୍ଷ କରୋନା ଆରମ୍ଭ ହେଉହେଉ ସରକାର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି କଟକଣା ଲଦି ଦେଲେ। ସବୁ ବନ୍ଦ ହୋଇଗଲା, ଆମ ବେପାର ବି ବନ୍ଦ ହୋଇଗଲା। ପେଟ ଚାଖଣ୍ଡକ ପାଇଁ କେମିତି ଦାନା ଯୋଗାଡ଼ କରିବୁ, ସେଇ ଚିନ୍ତା ଆମକୁ ପ୍ରତି ମୁହୂର୍ତ୍ତରେ ଖାଇଲା। କରୋନାଠୁ ତାହା ବେଶି ଯନ୍ତ୍ରଣା ଦେଲା। ହେଲେ ପ୍ରଭୁଙ୍କ ଦୟାରୁ ସ୍ଥିତି ସୁଧୁରିଲା। ସ୍କୁଲ, କଲେଜ, ଅଫିସ୍‌ ଖୋଲିବାରୁ ବେପାର ସ୍ବାଭାବିକ ହୋଇ ଆସୁଥିଲା। କିନ୍ତୁ ଏବେ ଏ ଦ୍ବିତୀୟ ଲହର ଆସି ପୁଣି ସେଥିରେ ବାଧକ ସାଜିଲାଣି। ଏବେ ତ ଖାଲି ‘ନାଇଟ୍‌ କର୍ଫ୍ୟୁ’ ହୋଇଛି। ସେତିକିରେ ଆମ ସ୍ଥିତି ଦୋହଲି ଗଲାଣି। ଆଗକୁ ଯଦି ଆହୁରି କଟକଣା ବଢ଼ିବ, ତେବେ ଆମ ଅବସ୍ଥା କ’ଣ ଯେ ହେବ…। ସେତିକି ଭାବି ଦେଲା ବେଳକୁ ମୁଣ୍ଡ ଘୂରି ଯାଉଛି, ଚାରିଆଡ଼ ଖାଲି ଅନ୍ଧାର ଅନ୍ଧାର ଦିଶୁଛି। ବାଣୀବିହାର ଅଟୋଷ୍ଟାଣ୍ଡର ଅଟୋ ଚାଳକ ଅଭିମନ୍ୟୁ ପୃଷ୍ଟି ଏଇ କେଇପଦ କଥା କହୁ କହୁ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା।

ଖାଲି ଅଭିମନ୍ୟୁ ନୁହେଁ, ରାଜଧାନୀରେ ଅଟୋ ଚଳାଇ ପରିବାର ପୋଷୁଥିବା ପ୍ରାୟ ୩୦ ହଜାର ଅଟୋଚାଳକଙ୍କ ସମାନ ଅବସ୍ଥା। କରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାର ରାଜଧାନୀରେ ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି। ସେହିପରି ସଂକ୍ରମଣର ଚେନ୍‌ ଭାଙ୍ଗିବା ପାଇଁ ସାଧାରଣ ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ କଟକଣା କରାଯାଇଛି। ବସ୍‌ରେ ଯେତିକି ସିଟ୍‌, ତା’ଠାରୁ ଅଧିକ ଲୋକଙ୍କୁ ନେବା ପାଇଁ ଅନୁମତି ନଥିବା ବେଳେ ଅଟୋରେ ମାତ୍ର ୨ଜଣ ଯାତ୍ରୀଙ୍କୁ ନେବା ପାଇଁ ଅନୁମତି ମିଳିଛି। ତେଲଦର ଆକାଶଛୁଆଁ ହୋଇଥିବା ବେଳେ ଏପରି କଟକଣା ଅଟୋ ଚାଳକଙ୍କୁ ବେଶି ପ୍ରଭାବିତ କରିଛି। ଲାଭ ତ ଦୂରର କଥା, ଏମିତି କଟକଣା ଯୋଗୁଁ ସେମାନଙ୍କ ତେଲ ପଇସା ମଧ୍ୟ ଉଠିବନି ବୋଲି ଅଧିକାଂଶ ଅଟୋ ଚାଳକ କ୍ଷୋଭର ସହ କହିଛନ୍ତି। ତେଣୁ ଅଟୋ ଚଲାଇବା ପରିବର୍ତ୍ତେ ଗାଁକୁ ଫେରି ଚାଷବାସ କରିବା ଭଲ ବୋଲି ସେମାନେ କହିଛନ୍ତି।

ଅଭିମନ୍ୟୁ ଆହୁରି କହିଛନ୍ତି ଯେ ଯେତେବେଳଠୁ ଦେଶରେ ଦ୍ବିତୀୟ ଲହର କଥା ଶୁଣାଗଲାଣି, ଲୋକେ ଆଉ ଅଟୋରେ ଯିବାକୁ ଉଚିତ ମଣୁନାହାନ୍ତି। ସକାଳ ୯ଟାରୁ ଆସି ଷ୍ଟାଣ୍ଡରେ ଗାଡ଼ି ଲଗାଇଲେ ମଧ୍ୟ ଦିନ ୩ଟା ପର୍ଯ୍ୟନ୍ତ ନମ୍ବର ପଡ଼ୁନାହିଁ। ପାଖାପାଖି ୧୫ ଦିନ ହେଲା ଏମିତି ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ବେଳେବେଳେ ଖାଲି ହାତରେ ଫେରିବାକୁ ପଡ଼ୁଛି। ତେଣୁ ପରିବାର ଚଳେଇବା ତ ଦୂରର କଥା, ଦିନେ ଦିନେ ଖରାବେଳେ ଜଳଖିଆ ଖାଇ ରହିବାକୁ ପଡ଼ୁଛି। ଏମିତି ସ୍ଥିତି ବେଶିଦିନ ଲାଗି ରହିଲେ ଆମେ ଭୋକରେ ମରିଯିବୁ। ତେଣୁ ସରକାର କିଛି ଗୋଟେ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ରସୁଲଗଡ଼ ଅଟୋଷ୍ଟାଣ୍ଡର ଅଟୋ ଚାଳକ ଅଜିତ୍ ନାୟକଙ୍କ କହିବା କଥା, ବସ୍‌ରେ ୫୦ଜଣ ଯାତ୍ରୀ ଯାଉଛନ୍ତି। ସେଠି ସଂକ୍ରମଣ ବ୍ୟାପିବାର ଆଶଙ୍କା ବେଶି। ଅଥଚ ଆମକୁ ଅଟୋରେ ମାତ୍ର ୨ଜଣ ନେବା ପାଇଁ ସରକାର ନିୟମ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏମିତି ହେଲେ ଆମ ତେଲ ପଇସା ବି ଉଠିବନି। ଆମେ ପରିବାର କେମିତି ଚଳେଇବୁ? ଋଣ କେମିତି ଶୁଝିବୁ? ସରକାର ଯଦି ଆମ ଭଳି ଗରିବ ଅଟୋ ଚାଳକମାନଙ୍କ ପାଇଁ କିଛି ସୁବିଧା ନ କରନ୍ତି, ତେବେ ଆଗାମୀ ଦିନରେ ଆମେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।

ଏ ସଂପର୍କରେ ରାଜଧାନୀ ଅଟୋରିକ୍ସା ମହାସଂଘର ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଲୋକମାନେ ବାହାରକୁ ନ ଆସିବା ଫଳରେ ଚାଳକମାନେ ଦିନେ ଦିନେ ବଇନା ନକରି ଘରକୁ ଫେରୁଛନ୍ତି। ଏଭଳି ପରସ୍ଥିତିରେ ସରକାର ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ଯେଉଁ ୨ଜଣ ଲେଖାଏଁ ଯାତ୍ରୀ ଯିବା ବ୍ୟବସ୍ଥା କରିଛନ୍ତି, ତାହା ବୃଦ୍ଧି କରି ଅତିକମ୍‌ରେ ତିନିଜଣ କରନ୍ତୁ। ନଚେତ୍‌ ଏହି ବର୍ଦ୍ଧିତ ତୈଳଦର ସମୟରେ ୨ଜଣ ଯାତ୍ରୀ ନେଇ ଯିବା ସମ୍ଭବ ହେବ ନାହିଁ। ଏମିତିରେ କିଛି ଅଟୋ ଚାଳକ ବ୍ୟବସାୟ ନ ହେବାରୁ ଗାଁମୁହାଁ ହେଲେଣି।

ସମ୍ବନ୍ଧିତ ଖବର