ରାଜଧାନୀରେ ଲାପ୍‌ସ ହେଉଛି ୩୦ ହଜାର ଲିଟର କିରାସିନି

ଗରିବ ପାଇଁ ମହଙ୍ଗା ହେଲା ଖାଦ୍ୟ, ରିହାତି ଗ୍ୟାସ ସିଲିଣ୍ଡର ମିଳୁନି, ଏଣେ କିରାସିନିର ଦର ବଢୁଛି

ଭୁବନେଶ୍ବର: ରାଜଧାନୀରେ ଲାପ୍‌ସ ହେଉଛି ୩୦ ହଜାର ଲିଟର କିରାସିନି। ଉଜ୍ଜାଲା ଯୋଜନା ଅନ୍ତର୍ଗତରେ ରିହାତିରେ ରନ୍ଧନ ଗ୍ୟାସ୍‌ ତ ମିଳୁନାହିଁ, ଏଣେ ମାତ୍ରାଧିକ ଦରବୃଦ୍ଧି ଯୋଗୁଁ କିରାସିନି କିଣିବା ମଧ୍ୟ ଗରିବ ପରିବାର ପାଇଁ ସହଜ ହେଉନାହିଁ। ଗତ ତିନି ମାସରେ ଏହାର ଚାହିଦା ବେଶି ହ୍ରାସ ପାଇଛି। ରାଜନୈତିକ ଦଳ, ମଧ୍ୟବିତ୍ତ, ଉଚ୍ଚ ବର୍ଗର ଚାପରେ ପେଟ୍ରୋଲିୟମରୁ ଜାତ ଡିଜେଲ, ପେଟ୍ରୋଲର ଦର ହ୍ରାସ ପାଇଛି। କିନ୍ତୁ କିରାସିନିର ଦର ୨ ମାସରେ ୬୬ ଟଙ୍କାରୁ ୮୩ ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ଶାସକ କିମ୍ବା ବିରୋଧୀ କେହି ଏଥିପ୍ରତି ସ୍ବର ଉତ୍ତୋଳନ କରୁନାହାନ୍ତି। ଏଭଳି ସ୍ଥିତି ଜାରି ରହିଲେ କିଛି ବର୍ଷ ମଧ୍ୟରେ ରାଜଧାନୀରେ କିରାସିନି ବିକ୍ରି ବନ୍ଦ ହୋଇଯିବାର ଅନୁମାନ କରାଯାଉଛି।

ଯୋଗାଣ ବିଭାଗର ସୂଚନା ଅନୁସାରେ, ରାଜଧାନୀରେ ପ୍ରାୟ ୧ ଲକ୍ଷ ରାସନ କାର୍ଡଧାରୀଙ୍କ ପାଇଁ ୧ ଲକ୍ଷ ୨ ହଜାର ୨୮ ଲିଟର କିରାସିନି ଆସିଥିଲା। ମାତ୍ର ଏଥିରୁ ୭୦ରୁ ୭୨ ହଜାର ଲିଟର କିରାସିନି ହିଁ ଗ୍ରାହକ କ୍ରୟ କରିଛନ୍ତି। ୩ ମାସ ମଧ୍ୟରେ ଏହାର ବିକ୍ରି ବିଶେଷ ଭାବରେ ହ୍ରାସ ପାଇବାରେ ଲାଗିଛି। ଏଥିପୂର୍ବରୁ ମାସକୁ ଯେତେ କିରାସିନି ଆସୁଥିଲା, ତା’ର ୯୦ ପ୍ରତିଶତ କ୍ରୟ ହେଉଥିଲା। ଏବେ ଏହାର ଚାହିଦା ଆହୁରି ହ୍ରାସ ପାଇଛି। ଏହାର ପ୍ରଥମ କାରଣ ହେଲା, କିରାସିନିର ମାତ୍ରାଧିକ ଦରବୃଦ୍ଧି। ୨୦୧୯ ମସିହାରେ ଏହାର ଦାମ୍‌ ଥିଲା ୩୫ ଟଙ୍କା, ୨୦୨୦ ମସିହାରେ ଲକ୍‌ଡାଉନ୍‌ ଯୋଗୁଁ ଦର ୧୨ ଟଙ୍କାକୁ ହ୍ରାସ ପାଇଥିଲା।

୨୦୨୧ ମସିହାରେ ପ୍ରାୟ ୩୫ ଟଙ୍କାକୁ ଫେରି ଆସିଥିଲା। ୨୦୨୨ ମସିହା ଏପ୍ରିଲ୍‌ ମାସରେ ଏହା ୬୬ ଟଙ୍କା ଓ ବର୍ତ୍ତମାନ ୮୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ମାତ୍ର କିଛି ଦିନ ମଧ୍ୟରେ ଏତେ ଦର ବଢ଼ିବା ଯୋଗୁଁ ଗରିବଙ୍କ ରାନ୍ଧିବା କେତେ କଷ୍ଟକର ହୋଇପଡ଼ିଛି, ତାହା ସହଜରେ ଅନୁମାନ କରାଯାଇପାରେ। ଏଥିସହିତ କାର୍ଡ ପିଛା କିରାସିନିର ଏଲଟମେଣ୍ଟ ୩.୫ ରୁ ୨.୫ ଲିଟରକୁ ହ୍ରାସ ପାଇଛି। ଏଥି ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯେତେ ଏଲଟମେଣ୍ଟ ଆସୁଛି, ସେତିକିକୁ ମଧ୍ୟ ରାଜଧାନୀର ଗ୍ରାହକ କିଣିପାରୁନାହାନ୍ତି। ଘର ଆଲୋକ ପାଇଁ ଲ୍ୟାମ୍ପ, ଡିବିରି, ରାନ୍ଧିବା ଏବଂ ମତ୍ସ୍ୟଜୀବୀଙ୍କ ନୌକା ଚାଳନାରେ କିରାସିନି ବ୍ୟବହାର ହୁଏ। ଘର ଆଲୋକର ଲକ୍ଷ୍ୟ ନେଇ କିରାସିନି ଉପରେ ରିହାତି ଦିଆଯାଉଥିଲା।

ସରକାରଙ୍କ ଅନୁସାରେ ବର୍ତ୍ତମାନ ପ୍ରାୟ ବିଜୁଳୀକରଣ ହୋଇ ସାରିଥିବାରୁ ଆଲୋକ ପାଇଁ କିରାସିନିର ଆବଶ୍ୟକତା ଆଉ ନାହିଁ। ଖାଦ୍ୟ ସୁରକ୍ଷା ଅଭିଯାନର ସମୀତ ପଣ୍ଡା କହିଛନ୍ତି କିଛି ବର୍ଷ ହେଲା କିରାସିନି ଉପରୁ ରିହାତି ପ୍ରତ୍ୟାହାର କରି ଦିଆଯାଇଛି। ଏଥିଯୋଗୁଁ ଦର ବଢିବାରେ ଲାଗିଛି। ପେଟ୍ରୋଲ, ଡିଜେଲ ଯେହେତୁ ଉଚ୍ଚବର୍ଗ ଏବଂ ମଧ୍ୟବିତ୍ତ ବର୍ଗ ବ୍ୟବହାର କରନ୍ତି, ଏହାର ଦରବୃଦ୍ଧି ହେଲେ ଲୋକେ ପ୍ରତିକ୍ରିୟାଶୀଳ ହୁଅନ୍ତି। ଏଥିପ୍ରତି ସରକାର ସଜାଗ ହୁଅନ୍ତି। କିନ୍ତୁ କିରାସିନି ଯେହେତୁ ଗରିବ ଲୋକଙ୍କ ବ୍ୟବହାର ସାମଗ୍ରୀ, ତେଣୁ ତାକୁ ନେଇ ଚର୍ଚା ହୁଏ ନାହିଁ। ଆହୁରି ମଧ୍ୟ ପୂର୍ବରୁ ରିହାତି କିରାସିନିର ଅପବ୍ୟବହାର ବନ୍ଦ ପାଇଁ ପିଡିଏସ୍‌ କିରାସିନିର ରଙ୍ଗ ସରକାର ବଦଳାଇ ଦେଇଛନ୍ତି।

ଏଥିଯୋଗୁଁ ପେଟ୍ରୋଲରେ କିରାସିନି ମିଶାଇ ଯାହା ବିକ୍ରି ହେଉଥିଲା, ତା’ ଉପରେ ସମ୍ପୂର୍ଣ୍ଣ ଲଗାମ ଲାଗିନାହିଁ ସତ, କିନ୍ତୁ ପୂର୍ବ ଅପେକ୍ଷା ହ୍ରାସ ପାଇଛି। ତେଣୁ ମଧ୍ୟ କିରାସିନି ପୂର୍ବଭଳି ବିକ୍ରି ହେଉନାହିଁ। ରାଜଧାନୀ ଅଧିବାସୀ ରୀତା ସାହୁ କହନ୍ତି ତାଙ୍କ ଘରେ ଉଭୟ ଗ୍ୟାସ ଏବଂ କିରାସିନି ରହିଛି। ଗ୍ୟାସ ଦର ବୃଦ୍ଧି ପାଉଥିବାରୁ କିରାସିନି ଉପରେ ନିର୍ଭର କରନ୍ତି। କିନ୍ତୁ କିରାସିନି ଅଧିକାଂଶ ସମୟରେ ପିଡିଏସ୍‌ କେନ୍ଦ୍ରରେ ମିଳେ ନାହିଁ। ତିନି ମାସରେ ଥରେ ମିଳେ, ତାହା ମଧ୍ୟ ପ୍ରତିଥର ଦର ବଢୁଛି। ଏଥିଯୋଗୁଁ ଏଥିପ୍ରତି ଆଗ୍ରହ ସେ ଦେଖାଇ ପାରୁନାହାନ୍ତି।

ଆହୁରି ଅନେକ ପରିବାର ଅଛନ୍ତି, କିରାସିନି ଦର ବଢ଼ିବା ସହିତ ସେମାନଙ୍କ ଖାଇବା ମହଙ୍ଗା ହେବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁସାରେ, କିରାସିନି ପ୍ରଦୂଷଣ ସୃଷ୍ଟି କରେ। ଏଥିଯୋଗୁଁ ଏହାର ବ୍ୟବହାର ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ ତା’ର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ଉଜ୍ଜାଲା ଯୋଜନାରେ ସରକାର ଫେଲ୍‌ ମାରିଛନ୍ତି, ଏତେ ଟଙ୍କା ଦେଇ ରନ୍ଧନ ଗ୍ୟାସ ସିଲିଣ୍ଡର କିଣିବା ଗରିବ ଗ୍ରାହକଙ୍କ ପାଇଁ ସମ୍ଭବ ହେଉନାହିଁ। ଏଭଳି ସ୍ଥିତିରେ କିରାସିନିର ଦର ନିୟନ୍ତ୍ରଣ ନ କରିବା, ସେମାନଙ୍କ ମୁହଁରୁ ଖାଦ୍ୟ ଛଡ଼ାଇବା ଭଳି ଅଟେ।

ସମ୍ବନ୍ଧିତ ଖବର