ଦିନକୁ ୩୦ହଜାର ଲୋକଙ୍କୁ ଟିକା

ଭୁବନେଶ୍ବର : ଜୁଲାଇ ୧୫ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଏବଂ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ବିଏମ୍‌ସି ଏବେ ଦିନକୁ ପ୍ରାୟ ୫୫ଟି କେନ୍ଦ୍ରରେ ପ୍ରାୟ ୧୮ରୁ ୨୦ହଜାର ଲୋକଙ୍କୁ ଟିକା ଦେଉଥିବାବେଳେ ଆଗକୁ ଏହା ତ୍ବରାନ୍ବିତ ହେବ। ଏପରିକି ଦୈନିକ ପ୍ରାୟ ୬୦ଟି କେନ୍ଦ୍ରରେ ୨୮ରୁ ୩୦ହଜାର ଲୋକଙ୍କୁ ଟିକା ଦେବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। କିନ୍ତୁ ନୂଆ କେନ୍ଦ୍ରରେ ପ୍ରଥମ ଓ ଦ୍ବିତୀୟ ସେସନ୍‌ରେ ଯୁବବର୍ଗଙ୍କୁ (୧୮ରୁ ୪୪ବର୍ଷ) ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ, ଆମେ ଟିକାକରଣ ନେଇ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛୁ। ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁଛୁ। ଏବେ ଆଉ ୪ଟି ଟିକାକରଣ କେନ୍ଦ୍ର ବଢ଼ିଛି। ଏହାବାଦ୍ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଶିବିରମାନ ଆୟୋଜନ କରି ଟିକାକରଣ କରୁଛୁ। ଯଥାସମ୍ଭବ ଶୀଘ୍ର ସମସ୍ତଙ୍କୁ ଆମେ ଟିକା ଦେବୁ ବୋଲି କମିସନର କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ, ଆମେ ହୋଟେଲ, ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ କର୍ମଚାରୀ, ଆଇଟି କର୍ମଚାରୀ, ସାମ୍ବଦିକ, ଖାଦ୍ୟ ବିତରକ କମ୍ପାନିର କର୍ମଚାରୀ, ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଟାଣ୍ଟ୍‌ସର ସଦସ୍ୟମାନଙ୍କୁ ଟିକା ଦେଇସାରିଲୁଣି। ଏବେ କିନ୍ନର, ଔଷଧ ଦୋକାନୀ, କ୍ୟାବ୍ ଡ୍ରାଇଭର୍, ଉଠାଦୋକାନୀ, ଖବରକାଗଜ ବିତରକଙ୍କ ଟିକାକରଣ କରିବୁ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଜୁନ୍‌ ୧୫ରୁ ୧୯ ପାଇଁ ଚାରିଟି ନୂଆ ଟିକାକରଣ କେନ୍ଦ୍ର ଖୋଲାଯିବ। ସେଗୁଡ଼ିକ ହେଲା ସତ୍ୟନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଜୟଦେବ ବିହାରସ୍ଥିତ ଇଏସ୍‌ଆଇ ହସ୍ପିଟାଲ, ୟୁନିଟ-୪ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଭରତପୁରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ପ୍ରତିଷ୍ଠାନ। ଏଥିପାଇଁ ଆଜି ସ୍ଲଟ୍ ବୁକିଂ ହୋଇଛି। ଏଠାରେ ସକାଳ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ଏଠାରେ ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ କେବଳ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମିଳିବ।

ବାହାରେ ପ୍ରଥମ ଡୋଜ୍‌ ନେଇଥିଲେ ବି ଏଠାରେ ଟିକା ମିଳିବ
ଯଦି କେହି ଭୁବନେଶ୍ବର ବାହାରେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ଟିକା ନେଇଛନ୍ତି କିନ୍ତୁ କୌଣସି କାର୍ଯ୍ୟ ପାଇଁ ଭୁବନେଶ୍ବରରେ ଅଛନ୍ତି, ତେବେ ଏଠାରେ ଦ୍ବିତୀୟ ଡୋଜ୍ ନେଇପାରିବେ। ଏଥିପାଇଁ ସେମାନଙ୍କୁ ପ୍ରଥମ ଡୋଜର ସାର୍ଟିଫିକେଟ୍ ନେଇ ନିକଟସ୍ଥ ଟିକା ‌କେନ୍ଦ୍ରକୁ ଯିବାକୁ ହେବ। ସେଠାରେ ଅପରାହ୍ନ ୫ଟା ୩୦ରୁ ୬ଟା ମଧ୍ୟରେ ଦ୍ବିତୀୟ ଡୋଜ୍ ଦିଆଯିବ। ହେଲେ ତାଙ୍କୁ ପ୍ରଥମ ଡୋଜ୍‌ ନେବାର ୨୯ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍ ନେବାକୁ ହେବ। ସେହିପରି ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି କିନ୍ତୁ ଦ୍ବିତୀୟ ଡୋଜ୍ କୌଣସି କାରଣରୁ ନେଇପାରିନାହାନ୍ତି ବା ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଦିନରେ ଟିକା ନେଇନାହାନ୍ତି ସେମାନେ ବି ନିକଟସ୍ଥ ଟିକାଦାନ କେନ୍ଦ୍ରକୁ ଯାଇ ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ। ଏଥିପାଇଁ କୌଣସି ସମସ୍ୟା ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୩୨ କିନ୍ନର ନେଲେ ଟିକା
କିନ୍ନରମାନେ କୋଭିଡ ଟିକା ନେଉ ନ ଥିବା ଜଣାପଡ଼ିବା ପରେ ବିଏମ୍‌ସି ପକ୍ଷରୁ ଆଜି ସ୍ବତନ୍ତ୍ର ଶିବିର ଆୟୋଜନ କରି ୩୨ଜଣ କିନ୍ନରଙ୍କୁ ଟିକା ଦିଆଯାଇଛି। ଅଧିକରୁ ଅଧିକ କିନ୍ନର ଯେପରି ଟିକାକରଣ ଅଭିଯାନରେ ସାମିଲ୍ ହେବେ, ସେଥିପାଇଁ ଫିକି ଓ ବିଏମ୍‌ସି ପକ୍ଷରୁ କିନ୍ନରମାନଙ୍କ ପାଇଁ ଏକ କାଉନସେଲିଂ ୱେବିନାର ଆୟୋଜନ କରାଯାଇଥିଲା। ଏଥିରେ ଫିକି, ବିଏମ୍‌ସି ଓ କିନ୍ନର ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

୧୯୨୯ରୁ ଗଲାଣି ୧.୬ଲକ୍ଷ କଲ୍‌, ଆସିଲାଣି ୮୮ହଜାର
ରାଜଧାନୀର କୋଭିଡ ଆକ୍ରାନ୍ତଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ଖୋଲା ଯାଇଥିବା ୧୯୨୯ କଲ୍‌ ସେଣ୍ଟରକୁ ବର୍ତ୍ତମାନ ସୁଦ୍ଧା ୮୮ହଜାର ୬୫୮ଟି କଲ୍‌ ଆସିଥିବାବେଳେ ୧ଲକ୍ଷ ୬ହଜାର ୩୨୬ଟି କଲ୍‌ ଏଠାରୁ କରାଯାଇଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି। ଗୃହ ସଙ୍ଗରୋଧରେ ରହୁଥିବା ଆକ୍ରାନ୍ତଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ କଲ୍‌ କରାଯାଉଥିବାବେଳେ ରେଡ୍‌ ଫ୍ଲାଗ୍ ଶ୍ରେଣୀର ଆକ୍ରାନ୍ତଙ୍କୁ ତିନି ଦିନ ଲଗାତାର ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି। ଏଥି‌ପାଇଁ ୨୩୧୨ଟି କଲ୍ କରାଯାଇଥିବା କୁହାଯାଇଛି। ସେହିପରି ୬୮୪୪ଜଣ ଆଗ ଧାଡ଼ିର କର୍ମଚାରୀଙ୍କୁ ଫୋନ୍ କରି ତାଙ୍କର ଟିକାକରଣ ଅନୁଭୂତି ବିଷୟରେ ପଚରାଯାଇଛି। ଭୁବନେଶ୍ବରକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆଗଧାଡ଼ିର କର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବାବେଳେ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି। ଲୋକମାନେ ଡାକ୍ତରୀ ପରାମର୍ଶ, ଟିକା ବୁକିଂ, ସ୍ବତନ୍ତ୍ର ଟିକା ଅଭିଯାନରେ ସାମିଲ୍ ହେବା ପାଇଁ କଲ୍ କରିଥିବା ଜାଣିବାକୁ ମିଳିଛି। ୧୯୨୯କଲ୍‌ ସେଣ୍ଟରକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୪୮ଜଣ କାର୍ଯ୍ୟନିର୍ବାହୀ ନିୟୋଜିତ ହୋଇଛନ୍ତି।

୨୮,୯୬୨ ଜଣଙ୍କୁ ମିଳିଛି ଡାକ୍ତରୀ ପରାମର୍ଶ
ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଲୋକ କିଛି ବି ସମସ୍ୟା ହେଲେ ତୁରନ୍ତ ୧୯୨୯ ନମ୍ବରରେ ଫୋନ୍ କରିବାକୁ କୁହାଯାଇଥିଲା। ଏଥିପାଇଁ ୨୮,୯୬୨ଜଣ ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତରୀ ପରାମର୍ଶ ନେଇଥିବା ଜଣାପଡ଼ିଛି। ୨୪ଘଣ୍ଟା ମଧ୍ୟରେ ଯେତେବେଳେ ଯିଏ ଫୋନ୍ କରିବେ ତାଙ୍କୁ ଡାକ୍ତରୀ ପରାମର୍ଶ ଦେବାକୁ ବ୍ୟବସ୍ଥା ହୋଇଥିବାବେଳେ ଏଥିପାଇଁ ୧୯ଜଣ ଡାକ୍ତରଙ୍କୁ ତିନିଟି ସିଫ୍‌ଟରେ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର