ଭୁବନେଶ୍ବରରେ ଆଜି ବି ୩୦୦ରୁ ଅଧକ କରୋନ ପଜିଟିଭ୍‌, କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜିବି ୩୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତିନି ଦିନ ହେଲା କ୍ରମାଗତ ଭାବେ ୩୦୦ରୁ ଅଧିକ ବ୍ୟକ୍ତି ଭୁବନେଶ୍ବରରେ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୩୭୯ ଜଣ ଓ ଏପ୍ରିଲ ୧୪ତାରିଖରେ ୩୦୭ ଜଣ ସଂକ୍ରମିତ ହୋଇଥିଲେ। ରାଜଧାନୀରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି। ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି।

ରାଜଧାନୀରେ ଦୈନିକ ୩ ହଜାର ନମୁନା ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ହୋମ ଆଇସୋଲେସନ ବ୍ୟବସ୍ଥା ତଦାରଖ ପାଇଁ ୩୩ଟି ଟିମ୍‌ ରହିବ। ସମସ୍ତ ଆକ୍ରାନ୍ତଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ହୋଇଛି। ଦିନକୁ ଅତିକମରେ ଥରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପଚାରି ବୁଝିବାକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ବରରୁ ୩୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୬୬ ଜଣ ଓ ୨୪୫ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୩୨ ହଜାର ୬୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି। ୧୯୮୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର