୧୧ ଦିନରେ ୩୧୭ ଆକ୍ରାନ୍ତ, ଆଜି ବାଣୀବିହାରରେ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ବର: ଚଳିତବର୍ଷ ମାର୍ଚ୍ଚ ୧୮ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣରେ ଥିଲା। ହେଲେ ୧୯ତାରିଖରୁ ସ୍ଥିତି ବିଗିଡ଼ିବା ଆରମ୍ଭ ହେଲା। ‌ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହୁଥିବା ରାଜଧାନୀରେ ଗତ ୧୧ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ୧୧ଦିନରେ ୩୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପ୍ରତ୍ୟେକ ଦିନ ଦୁଇ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ ସପ୍ତାହକ ମଧ୍ୟରେ ଦୁଇ ଥର ୫୦ ଟପିଲାଣି। ବିଏମ୍‌ସିର ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୧୦୪ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ଥିଲା। କିନ୍ତୁ ୩୦ତାରିଖ ବେଳକୁ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪୨୧ ଛୁଇଁଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ରେ ପହଞ୍ଚିଛି। ଏହି ସମୟରେ ୩୧୭ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୪୫ଜଣ ସୁସ୍ଥ ହୋଇଛନ୍ତି। ମାର୍ଚ୍ଚ ୨୮ରେ ସର୍ବାଧିକ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୨୭ରେ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଉତ୍ସବରେ ମୁଖ୍ୟଅତିଥି ଭାବେ ‌ଯୋଗଦେବାକୁ ଯାଉଥିବାରୁ କ୍ୟାମ୍ପସରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଉପରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କ ଆରଟି-ପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷା କରାଯିବ। ମଞ୍ଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ୍‌ ଓ ମଞ୍ଚ ଉପରୁ ପ୍ରମାଣପତ୍ର, ମେଡାଲ ଓ ଡିଗ୍ରି ଗ୍ରହଣ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ। ଏହି କ୍ରମରେ ଉତ୍ସବ ପରିଚାଳନା ଦାୟିତ୍ବରେ ରହିଥିବା ବିଭିନ୍ନ ବିଭାଗର ପ୍ରଫେସର, କର୍ମଚାରୀ ଓ ଭ‌ଲ୍ୟୁଣ୍ଟରମାନଙ୍କର ବୁଧବାର ଆଣ୍ଟିଜେନ୍‌ ପରୀକ୍ଷା କରାଯିବ। ବିମାନବନ୍ଦର, ଗସ୍ତକାଳ ଓ ରହଣୀ ସମୟରେ ସେବା ଯୋଗାଇବାକୁ ଥିବା ଅଧିକାରୀ, ଗାଡ଼ିଚାଳକ ଓ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା‌ ହେବ। ଗତ ଏକ ମାସ ମଧ୍ୟରେ ଭୁବନେଶ୍ବରର ଏକ୍ସଆଇଏମ୍‌ବି ଓ ରାଉରକେଲା ଏନ୍‌ଆଇଟିର ସମାବର୍ତନ ଉତ୍ସବ ପରେ ବହୁ କରୋନା ଆକ୍ରାନ୍ତ ବାହାରିଥିଲେ। ତେଣୁ ବାଣୀବିହାର ସମାବର୍ତନ ଉତ୍ସବରେ ବସିବା ସମୟରେ ୬ ଫୁଟ୍‌ ଦୂରତ୍ବ ରଖିବାକୁ ପ୍ରାଥମିକତା ଦିଆଯାଉଛି।

ସମ୍ବନ୍ଧିତ ଖବର