ଭୁବନେଶ୍ବର: ହାଇକୋର୍ଟଙ୍କ ଭର୍ତ୍ସନା ଓ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ମନୋନୟନ ତାଲିକାକୁ ରଦ୍ଦ କରିବା ପରେ ସଂସ୍କୃତି ବିଭାଗ ଆଜି ସଂଶୋଧିତ ତାଲିକା ଅନୁସାରେ ପୁରସ୍କାର ପ୍ରଦାନ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂସ୍କୃତି ବିଭାଗ ଆଉ ସାନି ତାଲିକା ଘୋଷଣା ନ କରି ସିଧାସଳଖ ପୁରସ୍କାର ପ୍ରଦାନ କରିଥିଲା। ଫଳରେ ନୂଆ ତାଲିକାରେ କିଏ ସ୍ଥାନ ପାଇଲେ ତାହା କାର୍ଯ୍ୟକ୍ରମ ଆରମ୍ଭ ପର୍ଯ୍ୟନ୍ତ ଜଣାପଡ଼ି ନଥିଲା। କପି ଚଳଚ୍ଚିତ୍ର ‘ଖୁସି’ ଓ ଗୋଲ୍ମାଲ୍ ଲଭ୍’କୁ ପୁରସ୍କାର ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ବେଳେ ପୁରସ୍କାର ତାଲିକାରେ ଅନେକ ପରିବର୍ତ୍ତନ କରାଯାଇଛି। ଏପରିକି ଏହି ତାଲିକାରୁ ‘ନାୟକର ନାମ ଦେବଦାସ’ ଓ ‘ବାପା ତୁମେ ଭାରି ଦୁଷ୍ଟ’ ଭଳି ଚଳଚ୍ଚିତ୍ର ବି ବାଦ୍ ପଡ଼ିଛନ୍ତି। ଅଧିକାଂଶ ପୁରସ୍କାର ‘କାଲିର ଅତୀତ’, ‘ଶଲା ବୁଢ଼ାର ବଦ୍ଲା’, ‘କୋଟିଏରେ ଗୋଟିଏ ମନ’ ଓ ‘ବାବୁ ଭାଇଜାନ୍’ ଆଦି ଚଳଚ୍ଚିତ୍ର ହାତେଇ ନେଇଛନ୍ତି। ନୂଆ ପୁରସ୍କାର ତାଲିକାରେ କୌଣସି ପ୍ରକାର କପି ସିନେମା ସ୍ଥାନ ପାଇ ନଥିବା କୁହାଯାଉଛି।
‘ଖୁସି’ ଚଳଚ୍ଚିତ୍ରର ଅଭିନେତା ସରୋଜ ପରିଡ଼ାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ଏହାକୁ ବଦଳାଇ ‘କାଲିର ଅତୀତ’ର ଅଭିନେତା ପୀତବାସ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ‘ଖୁସି’ର ଅଭିନେତ୍ରୀ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ନ ଦିଆଯାଇ ‘ବାବୁ ଭାଇଜାନ୍’ରେ ଅଭିନୟ ପାଇଁ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ‘ନାୟକର ନାମ ଦେବଦାସ’ରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ବୈଦ୍ୟନାଥ ଦାସଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ସମ୍ମାନ) ନ ଦିଆଯାଇ ‘କୋଟିଏରେ ଗୋଟିଏ ମନ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସ୍ବର୍ଗତ ରାଜୁ ମିଶ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ/ ଗାୟିକା ଭାବେ ପୂର୍ବ ଭଳି ସ୍ବୟଂ ପାଢ଼ୀ ଓ ଦୀପ୍ତିରେଖା ପାଢ଼ୀ ପାଇଥିବା ବେଳେ ଗୀତର ନାମ ବଦଳି ଯାଇଛି। ଆଗରୁ ସ୍ବୟଂ ପାଢ଼ୀ ‘ଭିଜା ଭିଜା ପ୍ରେମ ଛିଟା’ ପାଇଁ ଏହି ପୁରସ୍କାର ପାଉଥିବା ବେଳେ ଏବେ ଏହାକୁ ବଦଳାଇ ‘ଦେଖା ହେଲା ପ୍ରେମ ହେଲା... ଗୀତ ପାଇଁ ଏହି ସମ୍ମାନ ପାଇଛନ୍ତି। ପୁଣି ଦୀପ୍ତି ‘ଏ କେଉଁ ଋତୁ ଏ କେଉଁ ରାସ୍ତା’ ପାଇଁ ଏହି ପୁରସ୍କାର ପାଉଥିବା ବେଳେ ଏବେ ‘ଫ୍ରମ୍ ମି ଟୁ ଇଉ... ଗୀତ ପାଇଁ ଏହି ପୁରସ୍କାର ପାଉଛନ୍ତି।
ସେହିଭଳି ‘ଖୁସି’ ଚଳଚ୍ଚିତ୍ର ସମ୍ପାଦନା ପାଇଁ ରାଜେଶ ଦାସଙ୍କୁ ଆଗରୁ ‘ଶ୍ରେଷ୍ଠ ସମ୍ପାଦନା ପୁରସ୍କାର’ ପାଇଁ ମନୋନୀତ କରାଯାଇଥିଲା। କିନ୍ତୁ ଏହାକୁ ଏବେ ବଦଳାଇ ‘କୋଟିଏରେ ଗୋଟିଏ ମନ’ ରେ ସମ୍ପାଦନା ପାଇଁ ପୁନିତ ରାଜ ଆଜି ଗ୍ରହଣ କରିଛନ୍ତି ‘ଶ୍ରେଷ୍ଠ ସମ୍ପାଦନା ପୁରସ୍କାର’। ‘ଭିଜେଇ ଦେଇ ଯା’ ଥରେ... ଗୀତ ପାଇଁ ଆଗରୁ ଅରୁଣ ମନ୍ତ୍ରୀ ‘ଶ୍ରେଷ୍ଠ ଗୀତିକାର’ ଭାବେ ମନୋନୀତ ହୋଇଥିବା ବେଳେ ଏବେ ଏହି ସମ୍ମାନ ପାଇଛନ୍ତି ‘କୋଟିଏରେ ଗୋଟିଏ ମନ..ର ଗୀତିକାର ପ୍ରଦୀପ୍ତ ନନ୍ଦ। ସେହିଭଳି ‘ବାପା ତୁମେ ଭାରି ଦୁଷ୍ଟ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଞ୍ଜନା ଦାଶଙ୍କ ବଦଳରେ ‘ଝରନ୍’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବନିତା ନାଗ ଗ୍ରହଣ କହିଛନ୍ତି ‘ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ସମ୍ମାନ’। ‘ହାସ୍ୟ କଳାକାର ସମ୍ମାନ’ ପାଇଁ ତ୍ରିଭୁବନ ପଣ୍ଡା (‘ଗୋଲ୍ମାଲ୍ ଲଭ୍’ ଚଳଚ୍ଚିତ୍ର) ବଦଳରେ ହରିହର ମହାପାତ୍ରଙ୍କୁ ‘କୋଟିଏରେ ଗୋଟିଏ ମନ’ ଚଳଚ୍ଚିତ୍ର ପାଇଁ ଦିଆଯାଇଛି। ସେହିଭଳି ‘ଖୁସି’ ଚଳଚ୍ଚିତ୍ରର ଐଶ୍ବର୍ଯ୍ୟ ମିଶ୍ରଙ୍କ ବଦଳରେ ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ ଚଳଚ୍ଚିତ୍ର ପାଇଁ ମୟଙ୍କଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର ସମ୍ମାନ’ ପ୍ରଦାନ କରାଯାଇଛି। ଅନ୍ୟପଟେ ଗତ ଥର ‘ଶ୍ରେଷ୍ଠ ପ୍ରମାଣିତ ଚଳଚ୍ଚିତ୍ର ପୁରସ୍କାର’ ପ୍ରଯୋଜନା ଓ ନିର୍ଦ୍ଦେଶନା କ୍ଷେତ୍ରରେ ଦିଆଯିବାକୁ ଘୋଷଣା ହୋଇଥିଲା। ଶ୍ରୀକ୍ଷେତ୍ରରୁ ସାହିଯାତ (ପ୍ରଯୋଜନା) ଓ ରସଗୋଲା (ନିର୍ଦ୍ଦେଶନା) ଏହି ପୁରସ୍କାର ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ ସଂଶୋଧିତ ତାଲିକାରୁ ରସଗୋଲା ଚଳଚ୍ଚିତ୍ର ବାଦ୍ ପଡ଼ିଛି।