ଭୁବନେଶ୍ବର: ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସମୟରେ ସ୍ବାଧୀନତା ସଂଗ୍ରାମୀମାନେ କେବଳ ରାଜନୈତିକ ସ୍ବାଧୀନତା ସଂପର୍କରେ ଚିନ୍ତା କରି ନ ଥିଲେ। ସାମାଜିକ ପରିବର୍ତନ ସାଙ୍ଗକୁ ଅନ୍ୟାନ୍ୟ ପରିବର୍ତନ ମଧ୍ୟ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ରହିଥିଲା। ଭାରତର ୧୩୦ କୋଟି ଜନସଂଖ୍ୟା ଭିତରୁ ଯୁବକ/ଯୁବତୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ବୟସ୍କ ଲୋକଙ୍କ ସଂଖ୍ୟା ସ୍ବାଧୀନତା ସମୟରେ ଯେତିକି ରହିଥିଲା, ଏବେ ତାହାଠାରୁ ଅଧିକ ରହିଛି। ତେଣୁ ନୂଆ ଭାରତ ଉଭୟ ଯୁବକ ଓ ବୟସ୍କ ଲୋକଙ୍କ ଆବଶ୍ୟକତାକୁ ନେଇ ଗଠନ ହେବା ଦରକାର। ଜଗତୀକରଣ ଆରମ୍ଭ ହେବା ପରେ ଚୀନ୍‌ ଏହାର ସବୁଠାରୁ ଅଧିକ ଫାଇଦା ନେଇଥିଲା। ଚୀନ୍‌ ବିକାଶ ଦିଗରେ ଆଗକୁ ବଢ଼ିଥିଲା। ତେଣୁ ଅର୍ଥନୈତିକ ବିକାଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦେଶ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେଲେ ଅନ୍ୟ ସମସ୍ତ କ୍ଷେତ୍ରରେ ଆଗକୁ ଯାଇ ପାରିବ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୩୧ତମ ସ୍ମାରକୀ ବକ୍ତୃତା ଦେବା ଅବସରରେ ଆଜି ଏଭଳି ମତ ବ୍ୟକ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ।

Advertisment

ଆଜି ଇଡିକଲ୍‌ ଅଡିଟୋରିୟମ୍‌ରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ୍‌ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ରବି ନାରାୟଣ ସେନାପତି ସଭାପତିତ୍ବ କରିଥିଲେ। ‘ନୂଆ ଭାରତରେ ଭାରତର ଭବିଷ୍ୟତ ଯାତ୍ରା’ ଶୀର୍ଷକ ବିଷୟ ଉପରେ ମତ ରଖି ଶ୍ରୀ ପ୍ରଭୁ କହିଥିଲେ, ପ୍ରଧାନମନ୍ତ୍ରୀ ଦେଶରୁ ୫ ଟ୍ରିଲିଅନ୍‌ ଅର୍ଥନୀତିରେ ପରିଣତ କରିବା କଥା କହୁଛନ୍ତି। ତେବେ ୨୦୩୫ ମସିହା ସୁଦ୍ଧା ଭାରତ ୧୦ ଟ୍ରିଲିଅନ୍‌ ଅର୍ଥନୀତିରେ ପରିଣତ ହେବାର କ୍ଷମତା ରହିଛି। ୫ ଟ୍ରିଲିଅନ୍‌ ଅର୍ଥନୀତିରେ ୧ ଟ୍ରିଲିଅନ୍‌ ଶିଳ୍ପ, ୩ ଟ୍ରିଲିଅନ୍‌ ସେବା କ୍ଷେତ୍ର ଓ ୧ଟ୍ରିଲିଅନ୍‌ କୃଷି କ୍ଷେତ୍ରରେ ଆସିପାରିବ। ଏହି ୩ଟି କ୍ଷେତ୍ର ପରସ୍ପରକୁ ପରସ୍ପରର ବୃଦ୍ଧିରେ ସହାୟତା କରିପାରିବେ। ଏବେ ଦେଶର ଜିଡିପିରେ ୧୬ପ୍ରତିଶତ ଶିଳ୍ପରୁ ଆସୁଥିବା ବେଳେ ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର ପ୍ରତ୍ୟେକ ଜିଲ୍ଲାର ଯଦି ଅଭିବୃଦ୍ଧି ଘଟିବ, ତାହା ଦେଶର ବିକାଶ‌ରେ ସାମିଲ ହୋଇପାରିବ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ଜରୁରୀ। ତେବେ ବୟସ୍କ ଲୋକସଂଖ୍ୟାରେ ବୃଦ୍ଧି ମଧ୍ୟ ଦେଶ ପାଇଁ ଏକ ପ୍ରମୁଖ ଆହ୍ବାନ। ୟୁରୋପ, ଜାପାନ, କୋରିଆ ଓ ଚିଲି ଭଳି ରାଷ୍ଟ୍ରରେ ସାମାଜିକ ସୁରକ୍ଷା ରହିଥିବା ବେଳେ ଭାରତରେ ଏଭଳି ବ୍ୟବସ୍ଥା ନାହିଁ। ତେଣୁ ବୟସ୍କମାନଙ୍କୁ ମଧ୍ୟ ସାମାଜିକ ସୁରକ୍ଷାରେ ସାମିଲ କରିବାର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଓ ଅନ୍ୟାନ୍ୟ ପେନସନ୍ ସ୍କିମ୍ ଲାଗୁ କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ, ନୂତନ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଦେଶକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ। ଦେଶରେ ଡିଜିଟାଲ କାରବାର ବଢ଼ିଥିବା ବେଳେ ଆଗାମୀ ଦିନରେ ଭାରତ ବିଶ୍ବର ଡିଜିଟାଲ ଅର୍ଥନୀତିର ହବ୍ ହେବାକୁ ଯାଉଛି। ତେବେ ଏସବୁ କ୍ଷେତ୍ରରେ ନିଯୁକ୍ତି ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ବେସରକାରୀ କ୍ଷେତ୍ରରେ ନିଯୁକ୍ତିର ଅଧିକ ସୁଯୋଗ ରହିଥିବା ବେଳେ ସରକାର ମଧ୍ୟ ନିଯୁକ୍ତି ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଷ୍ଟାର୍ଟ-ଅପ୍‌ଗୁଡ଼ିକ ହିଁ ଆଗାମୀ ଦିନରେ ନିଯୁକ୍ତିର ଇଞ୍ଜିନ ପାଲଟିବ। ବିଗତ ଦିନରେ ୪୦ହଜାର ଷ୍ଟାର୍ଟ-ଅପ୍‌ ସୃଷ୍ଟି ହୋଇପାରିଛି। ଆଇଟି କ୍ଷେତ୍ରରେ ୪୫ ଲକ୍ଷ ନିଯୁକ୍ତି ସମ୍ଭବ ହୋଇଛି। କେବଳ ବୃହତ ଶିଳ୍ପକୁ ଗୁରୁତ୍ବ ନ ଦେଇ ‌କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ବ ଦିଆଯିବା କଥା କୁହାଯାଉଛି। ମାତ୍ର କ୍ଷୁଦ୍ର ଶିଳ୍ପ ବଞ୍ଚିବାକୁ ହେଲେ ବୃହତ ଶିଳ୍ପ ଜରୁରୀ। ଏସବୁ ସତ୍ତ୍ବେ କୃଷି କ୍ଷେତ୍ରକୁ ଅବହେଳା କରି ଦେଶର ବିକାଶ ସମ୍ଭବ ନୁହେଁ। ତେଣୁ କୃଷିର ବିକାଶ ସହ ଏହି ବିକାଶ ଚାଷୀଙ୍କ ଦୃଷ୍ଟିକୋଣରୁ ହେବା ଉଚିତ। ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେବା ସହିତ ସଂସଦୀୟ ଗଣତନ୍ତ୍ର ରହିବା ମଧ୍ୟ ଜରୁରୀ। ଫଳରେ ଏହା ଜରିଆରେ ନୂତନ ଚିନ୍ତାଧାରା ପରିପୁଷ୍ଟ ହୋଇପାରିବ ବୋଲି ଶ୍ରୀ ପ୍ରଭୁ କହିଥିଲେ। ପ୍ରାରମ୍ଭରେ ସାଂସଦ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ସହିତ ସ୍ମାରକୀ ବକ୍ତୃତା ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ତରୁଣ କୁମାର ସାହୁ ଧନ୍ୟବାଦ ଦେଇଥିଲେ।