ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି : ନଜର ରଖିବ ୩୨ ସିସି କ୍ୟାମେରା

୨୦ସୁଦ୍ଧା ସରିବ ରାସ୍ତା କାମ, ଆଜି ଜାରି ହେବ ମହାଶିବରାତ୍ରି ମାର୍ଗଦର୍ଶିକା

ପୁରୁଣା ଭୁବନେଶ୍ୱର: ଆସନ୍ତା୨୧ତାରିଖରେ ମହାଶିବରାତ୍ରି। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ। ମହାଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବାର ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଡିସିପି, ଡିସିପି ଟ୍ରାଫିକ୍‌, ଅତିରିକ୍ତ ଜିଲ୍ଲାପାଳ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ। ସେହିପରି ସେଠାରେ ସୂଚନା କେନ୍ଦ୍ର ମଧ୍ୟ ରହିବ। ଆସନ୍ତା ୨୦ତାରିଖ ସୁଦ୍ଧା ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା କାମ ଶେଷ କରାଯିବ। ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ। ମଙ୍ଗଳବାର ଡିସିପି ସାଗରିକା ନାଥଙ୍କ ଦ୍ବାରା ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ମାର୍ଗଦର୍ଶିକା ଜାରି କରାଯିବ। କେଉଁଠି ପାର୍କିଂ ବ୍ୟବସ୍ଥା କରାଯିବ, କେଉଁଠି ଲୋକ ସୁବିଧାରେ ଯାଇ ପାରିବେ ଏନେଇ ସେ ଅବଗତ କରାଇବେ। ଯାତ୍ରାରେ କୌଣସି ପ୍ରକାର ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଧା ପୋଷାକଧାରୀ ପୁଲିସ ନଜର ରଖିବେ। ଯାନବାହାନ ପାର୍କିଂ ପାଇଁ ୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ତେବେ ବଢ଼େଇବାଙ୍କ ଛକ, ଗ୍ୟା‌ରେଜ୍‌ ଛକ, ସୁଭଦ୍ରା ମହତାବ ହାଇସ୍କୁଲ, ମାଉସୀ ମା’ ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ଲୋକମାନଙ୍କ ସହଯୋଗ କାମନା କରିବା ସହ ଟ୍ରାଫିକ ନିୟମ ମାନିବାକୁ ନିବେଦନ କରିଛନ୍ତି। ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ଡିସିପି ଅନୁପ କୁମାର ସାହୁ, ଡିସିପି (ଟ୍ରାଫିକ୍‌) ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ, ଏସିପି ବିଷ୍ଣୁ ଚରଣ ପ୍ରସାଦ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳା ବଡ଼ୁ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ବିରଞ୍ଚି ନାରାୟଣ ମହାସୂପକାର, ସନତ ମିଶ୍ର, ନୀଳମଣି ମିଶ୍ର, ସରୋଜ ମିଶ୍ର, ଶିବ ପ୍ରସାଦ ବେହେରା, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ତେବେ ବୈଠକରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧି ଅନୁପସ୍ଥିତ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

କାର୍ଯ୍ୟ ନିର୍ବାହୀଙ୍କୁ ନେଇ ତୁଟୁନି ବିବାଦ, ଜିଦ୍‌ରେ ତିନି ନିଯୋଗ ଅଟଳ
ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଭଦ୍ରକ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ସେ ମହାଶିବରାତ୍ରି ପରେ ସେଠାରେ କାର୍ଯ୍ୟରେ ଯୋଗଦେବେ ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଶିବରାତ୍ରି ପୂର୍ବରୁ ଏଠାରୁ ତାଙ୍କୁ ହଟାଇବାକୁ ଏବେ ବି ତିନି ନିଯୋଗ ଜିଦ୍‌ରେ ଅଟଳ ଅଛନ୍ତି। ଶ୍ରୀ ସାହୁ ଏଠାରୁ ନଗଲେ ମହାଶିବରାତ୍ରିରେ କୌଣସି ଯଦି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ନିଯୋଗ ଦାୟୀ ରହିବେ ନାହିଁ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି କିଛି ଦିନହେଲା ବିଭିନ୍ନ ସେବାୟତମାନେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କ ବଦଳି ଦାବି କରି ଆସୁଥିଲେ। ଏନେଇ ଶ୍ରୀ ସାହୁଙ୍କ ପତିକ୍ରିୟା ମିଳିନଥିବା ବେଳେ କାର୍ଯ୍ୟ ତୁଲାଉଥିବା ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ କୁହନ୍ତି ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି।

ସମ୍ବନ୍ଧିତ ଖବର