ପିଏନ୍‌ବିରୁ ୩୨ କୋଟି ଟଙ୍କା ଠକେଇ ଘଟଣା, ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ୍ ମୁଖ୍ୟ ଏବେ କେଉଁଠି?

ଭୁବନେଶ୍ବର: ଭୁବନେଶ୍ବର ପଞ୍ଜାବ ନ୍ୟା‌ସନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଷ୍ଟେସନ ସ୍କୋୟାର୍‌ ଶାଖାରୁ ହୋଇଥିବା ୩୨ କୋଟି ଟଙ୍କା ଋଣ ଠକେଇ ମାମଲାର ଛାନଭିନ୍ ଚଳାଇଛି ସିବିଆଇ। ମାତ୍ର ସିବିଆଇ ଏହି ଠକେଇର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ ଲିମିଟେଡ୍‌ର ଏମଡି ଅବିନାଶ ମହାନ୍ତିଙ୍କ ଟେର୍ ପାଇନାହିଁ। ତାଙ୍କୁ ଠାବ କରିବା ପାଇଁ ସିବିଆଇର ଘନଘନ ରେଡ୍ ବିଫଳ ହୋଇଥିବାରୁ ତାଙ୍କ ଫେରାର୍‌କୁ ନେଇ ନାନା କଥା ଚର୍ଚ୍ଚା ହେଉଛି। କରୋନା କଟକଣା ଥିବାରୁ ଅବିନାଶ ବିଦେଶକୁ ଖସି ପଳାଇ ପାରିନଥିବା ଆଲୋଚନା ହେଉଛି। ଅବିନାଶ ଗ୍ଲୋବାଲ୍ ଟ୍ରେଡିଂ କମ୍ପାନିର ପରିଚାଳନା ନିଦ୍ଦେର୍ଶକ ଏବଂ ମାମଲାର ପ୍ରମୁଖ ଅଭିଯୁକ୍ତ ହୋଇଥିବାରୁ ତାଙ୍କ ବୟାନ ସିବିଆଇ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଥିସହିତ କମ୍ପାନିର ଆଉ ଦୁଇ ଜଣ ଅଧିକାରୀଙ୍କୁ ମଧ୍ୟ ସିବିଆଇ ଖୋଜୁଛି। କିନ୍ତୁ ସେମାନଙ୍କ ପତ୍ତା ନ ମିଳିନାହିଁ।

ସୂଚନାନୁସାରେ, ଅବିନାଶ ୨୦୧୦ରେ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନସ୍ ଲିମିଟେଡ୍ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନି ବିଦେଶକୁ ଲୁହାପଥର ରପ୍ତାନି କରୁଥିଲା। ପିଏନ୍‌ବି ଷ୍ଟେସନ୍‌ ସ୍କୋୟାର ଶାଖାରୁ ଋଣ ବାବଦରେ ୩୨ କୋଟି ଟଙ୍କା ଉଠାଇବା ପରେ କମ୍ପାନି ହଠାତ୍ ଅନ୍ତର୍ଧାନ ହୋଇ ଯାଇଥିଲା। ସିବିଆଇ ହାତରେ କମ୍ପାନିର କିଛି ବ୍ୟାଙ୍କ୍‌ ପାସବୁକ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଲକର୍ ଚାବି ଲାଗିଛି। ଲକର୍‌ ଖୋଲାଯାଇନାହିଁ। ସୂଚନାଯୋଗ୍ୟ, ଏହି ଠକେଇ ସଂକ୍ରାନ୍ତରେ ଗତ ୯ ତାରିଖରେ ସିବିଆଇ ଭୁବନେଶ୍ବର ଶାଖାରେ ଭୁବନେଶ୍ବର ପିଏନ୍‌ବି ସର୍କଲ୍‌ ମୁଖ୍ୟ ଗଣପତ ଲାଲ୍ ଅଭିଯୋଗ କରିଥିଲେ। ତେଣୁ ସିବିଆଇ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନସ୍ ଲିମିଟେଡର ୫ ଅଧିକାରୀ ଓ ପିଏନ୍‌ବି ଷ୍ଟେସନ୍‌ ସ୍କୋୟାର ଶାଖାର ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତକାଲି ସିବିଆଇ ଟିମ୍ ଭୁବନେଶ୍ବର ଓ କଟକର ୧୨ଟି ସ୍ଥାନ ସହ କୋଲକାତା ଏବଂ ଜମ୍ମୁରେ ଚଢଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର