ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା, ଇଡି ବି କରିବ ତଦନ୍ତ

ଦୁବାଇରେ ଅବିନାଶ!

ଭୁବନେଶ୍ବର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ବର ଷ୍ଟେସନ ସ୍କୋୟାର ଶାଖାରୁ ପ୍ରାୟ ୩୨ କୋଟି ଟଙ୍କା ଋଣ ଠକେଇ ଘଟଣାରେ ସିବିଆଇ ତନାଘନା ପରେ ଏବେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କରିବ ତଦନ୍ତ। ଇଡି ଏ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ଭାବରେ ମାମଲା ରୁଜୁ କରିଛି। ଋଣ ଠକେଇ କରିଥିବା ଖଣିଜଦ୍ରବ୍ୟ ଚାଲାଣକାରୀ ସଂସ୍ଥା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍‌ସ ଲିମିଟେଡ୍, ଏହାର ଏମଡି ଅବିନାଶ ମହାନ୍ତି, ନିର୍ଦ୍ଦେଶକ କୌଶିକ ମହାନ୍ତି, ଅଂଶୁମାନ ସାମନ୍ତରାୟ ଓ ବିଦୁଭୂଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ଇଡି। ଏଥି ସହିତ ସିବିଆଇ ରୁଜୁ କରିଥିବା ମାମଲାର ନକଲ, ଚଢ଼ଉ ସମୟରେ ଜବତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ନକଲ ସଂଗ୍ରହ କରିଛି। କମ୍ପାନି କର୍ତ୍ତୃପକ୍ଷଙ୍କ ସହ ସିବିଆଇ ମାମଲାରେ ଅଭିଯୁକ୍ତ ଥିବା ବ୍ୟାଙ୍କର ତତ୍କାଳୀନ ମୁଖ୍ୟ ମ୍ୟାନେଜର, ପୂର୍ବତନ ଅଧିକାରୀ ଏସ୍.ସି ଶର୍ମା, ମନୋରଞ୍ଜନ ଦାଶ ଓ ପ୍ରିୟତୋଷ ଦାଶ ମଧ୍ୟ ତଦନ୍ତ ପରିସରକୁ ଆସିବେ। ସମସ୍ତ ଅଭିଯୁକ୍ତଙ୍କୁ ଇଡି ନୋଟିସ୍ କରି ଜେରା କରିବ ବୋଲି ଜଣାପଡ଼ିଛି। ଏହା ସହ ଘଟଣାରେ ଯେଉଁମାନେ ଜଡ଼ିତ, କମ୍ପାନିର ଅନ୍ୟ କର୍ମଚାରୀ, ସମ୍ପର୍କୀୟ, ଯେଉଁମାନଙ୍କ ଆକାଉଣ୍ଟକୁ ଗ୍ଲୋବାଲ୍ ଟ୍ରେଡିଂ କମ୍ପାନି ଆକାଉଣ୍ଟକୁ ଟଙ୍କା ଯାଇଥିବ ସମସ୍ତଙ୍କୁ ଜେରା କରାଯିବ ବୋଲି ସୂଚନା ମି​ଳିଛି। ଅନ୍ୟପକ୍ଷରେ ସିବିଆଇ ଘଟଣାର ଛାନଭିନ୍ ଚଳାଇଥିବା ବେଳେ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଜେରା କରି ସାରିଛି। କିନ୍ତୁ କମ୍ପାନିର ଏମଡିଙ୍କ ସମ୍ପର୍କରେ ସିବିଆଇ କୌଣସି ଟେର୍ ପାଇପାରି ନାହିଁ।

ସୂଚନାଯୋଗ୍ୟ, ପ୍ରାୟ ୩୨ କୋଟି ଟଙ୍କା ଠକେଇ ଘଟଣାରେ ପିଏନ୍‌ବି ସର୍କଲ ମୁଖ୍ୟ ଗତ ୯ ତାରିଖରେ ସିବିଆଇ ଭୁବନେଶ୍ବର ଶାଖାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଆଧାର କରି ସିବିଆଇ ମାମଲା ରୁଜୁ କରିବା ସହ ଗତ ୧୦ ତାରିଖରେ ଭୁବନେଶ୍ବର, କଟକ ସମେତ କୋଲକାତା, ବିଶାଖାପାଟଣା ଓ ଜମ୍ମୁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଲକର ଚାବି ଜବତ ହୋଇଥିଲା।

ଦୁବାଇରେ ଅବିନାଶ!
ଭୁବନେଶ୍ବର: ପିଏନ୍‌ବି ଭୁବନେଶ୍ବର ଷ୍ଟେସନ ସ୍କୋୟାର ଶାଖାରୁ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍‌ସ ଲିମିଟେଡ୍ କମ୍ପାନି ୩୨ କୋଟି ଟଙ୍କା ଠକେଇ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୨୦୧୦ରୁ ୨୦୧୫ ଭିତରେ ହୋଇଥିବା ଠକେଇ ଏବେ ପଦାକୁ ଆସିଛି। କମ୍ପାନି ଯେତେବେଳେ ଋଣ ଟଙ୍କା ଶୁଝି ନ ପାରିଲା ସେତେବେଳେ ସେତେବେଳେ ବ୍ୟାଙ୍କ ଧୀରେ ଧୀରେ ବନ୍ଧକ ଥିବା ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ କଲା। ଗ୍ଲୋବାଲ ଟ୍ରେଡିଂ କମ୍ପାନି ମୁଖ୍ୟ ତଥା ଏମଡି ଅବିନାଶ ମହାନ୍ତି କିଛି ବ୍ୟକ୍ତିଙ୍କ ସମ୍ପତ୍ତି ବ୍ୟାଙ୍କରେ ବନ୍ଧକ ରଖିଥିଲେ। ନିଲାମ ପ୍ରକ୍ରିୟା ଜାଣିବା ପରେ ସେମାନଙ୍କ ଭିତରୁ କିଛି ବ୍ୟକ୍ତି ଅବିନାଶଙ୍କୁ ଖୋଜିବାକୁ ଆରମ୍ଭ କଲେ। ଯେତେବେଳେ ଅବିନାଶ ଏ କଥା ଜାଣିଲେ ସେତେବେଳେ ଭୁବନେଶ୍ବର ଛାଡ଼ିଦେଲେ। ପ୍ରାୟ ବର୍ଷକ ତଳେ ବଡ଼ଗଡ଼ ବିଜେବି ନଗରରେ ରହୁଥିବା ଅବିନାଶଙ୍କ ବାପାଙ୍କ ଘରେ ପହଞ୍ଚିଥିଲେ ଜଣେ ବ୍ୟକ୍ତି। ଏପରିକି ବୃଦ୍ଧ ବାପା ମା’ଙ୍କ ଘରେ ସମ୍ପୃକ୍ତ ବ୍ୟକ୍ତିଙ୍କର କିଛି ସହଯୋଗୀ ହଙ୍ଗାମା କରିଥିଲେ। କିନ୍ତୁ ଅବିନାଶଙ୍କୁ ପାଇ ନ ଥିଲେ। ଗତ ୧୦ ତାରିଖରେ ସିବିଆଇ ଗ୍ଲୋବାଲ ଟ୍ରେଡିଂ କମ୍ପାନୀ ସହ ବିଭିନ୍ନ ଅଧିକାରୀଙ୍କ ଘରେ ଚଢ଼ଉ କରିଥିଲା। କିଛି ନିର୍ଦ୍ଦେଶକଙ୍କ ପତ୍ତା ପାଇଥିଲେ ବି ଅବିନାଶଙ୍କ ସମ୍ପର୍କରେ ଟେର୍ ପାଇ ନ ଥିଲା। ଅବିନାଶ ଏବେ କେଉଁଠି ଆତ୍ମଗୋପନ କରିଛନ୍ତି ତାହା ଖୋଜିବା ସିବିଆଇ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହୋଇ ପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ଲୋବାଲ୍ ଟ୍ରେଡିଂ କମ୍ପାନିର ବିଦେଶରେ ବ୍ୟବସାୟ ରହିଥିଲା। ଖଣିଜଦ୍ରବ୍ୟ ଚାଲାଣ କରୁଥିଲା କମ୍ପାନି। ଦୁବାଇର ମଧ୍ୟ ଅବିନାଶର ବ୍ୟବସାୟ ଚାଲୁଥିଲା। ସେଠାରେ ମଧ୍ୟ ଅବିନାଶର କିଛି ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ଯେତେବେଳେ ବ୍ୟାଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଖୋଳତାଡ଼ ଆରମ୍ଭ ହୋଇଥିଲା ସେବେଠାରୁ ଅବିନାଶ ଫେରାର ହୋଇଯାଇଛି। ସେବେଠାରୁ ଦୁବାଇରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ଅବିନାଶଙ୍କୁ ଠାବ କରିବା ଲାଗି ତନାଘନା ଚଳାଇଛି ସିବିଆଇ।

ସମ୍ବନ୍ଧିତ ଖବର