ବଦଳିବ ଖୋର୍ଧା ଜିଲ୍ଲାର ୩୨ ହାଇସ୍କୁଲ ରୂପ, ଭିଜନ୍‌ ଡକ୍ୟୁମେଣ୍ଟ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ (ବିଦ୍ୟାଳୟ ରୂପାନ୍ତରଣ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିଛନ୍ତି। ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ସହ ବିଦ୍ୟାଳୟ ପରିବେଶରେ ସାମଗ୍ରିକ ବିକାଶ ଆଣିବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୨ଟି ବିଦ୍ୟାଳୟରେ ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ଯାଉଛି। ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପଦକ୍ଷେପର ଏକ ଅଂଶ ଭାବେ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ସାଇନ୍ସ ଲାବରୋଟାରି, କ୍ରୀଡ଼ା ତଥା କ୍ରୀଡ଼ା ଉପକରଣ, ବିଶୁଦ୍ଧ ପାନୀୟଜଳ ଆଦି ଆଧୁନିକ ସୁବିଧା ରହିବ। ବିଦ୍ୟାଳୟ ରୂପାନ୍ତରଣ ଶିକ୍ଷଣ ପରିବେଶରେ ଉନ୍ନତି ତଥା ଶିକ୍ଷାର ମାନ ବିକାଶରେ ସହାୟକ ହେବ ବୋଲି ସମସ୍ତ ଅଂଶୀଦାର ମତବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଂଶୀଦାର ସ୍ୱତନ୍ତ୍ର ସ୍ଲୋଗାନ୍‌ ‘ବିଦ୍ୟାଳୟ ରୂପାନ୍ତରଣ-ଆମ ସ୍ବପ୍ନ ପୂରଣ’ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୫-ଟି ସଚିବ ପ୍ରଯତ୍ନ, ପ୍ରକ୍ରିୟା, ପରିବର୍ତ୍ତନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିପାରିବା ବୋଲି କହିଥିଲେ। ଛାତ୍ରଛାତ୍ରୀ ଭଲ ମଣିଷ ହୋଇ ଆଗକୁ ବଢ଼ିବା ପାଇଁ ଇଚ୍ଛା ପ୍ରକଟ କରିବା ସହ ମେଡିକାଲ୍, ଇଞ୍ଜିନିୟରିଂରେ ୧୫%ସଂରକ୍ଷଣ ପାଇଁ ନିଜ ନିଜର ଖୁସିବ୍ୟକ୍ତ କରିଥିଲେ। ଏଥିସହ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ୩୨ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ସରପଞ୍ଚ, ପୂର୍ବତନ ଛାତ୍ରଛାତ୍ରୀ, ଏସଏମସି ସଦସ୍ୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପାଣ୍ଡିଆନ୍‌ କଥାବାର୍ତ୍ତା ହୋଇଥିଲେ।

ସମ୍ବନ୍ଧିତ ଖବର