ସରିଲା ଶ୍ରାବଣ ଜଳଲାଗି, ଶେଷ ସୋମବାରରେ ୩୨୦୦ କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଶ୍ରାବଣ ମାସର ଶେ‌ଷ ସୋମବାର। ମାତ୍ର ଲିଙ୍ଗରାଜ ମନ୍ଦିରକୁ କମ୍ ସଂଖ୍ୟକ କାଉଡ଼ିଆ ଆସିଥିବା ଦେଖିବାକୁ ମିଳିଥିଲା। ମାତ୍ର ୩୨ ଶହ କାଉଡ଼ିଆ ଆଜି ଜଳଲାଗି କରିଥିଲେ। ପୂର୍ବ ପାଳିଗୁଡ଼ିକରେ ୧୫ରୁ ୨୦ ହଜାର କାଉଡ଼ିଆ ଜଳଲାଗି କରିଥିବା ବେଳେ ଆଜି ଆଶାଠାରୁ ବହୁ କମ୍ ସଂଖ୍ୟାରେ କାଉଡ଼ିଆଙ୍କୁ ଦେଖିବାକୁ ମିଳିଥିଲା।
ଭୋର୍‌ ପ୍ରାୟ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ହେବା ପରେ ୪ଟା ୧୫ମିନିଟ୍‌ରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସକାଳେ ‌ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ଦିର ଦର୍ଶନ ଥିବାରୁ କାଉଡ଼ିଆମାନେ ତା’ ପୂର୍ବରୁ ଜଳଲାଗି କରିବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ତେଣୁ ଭୋର୍‌ ହେବା ବେଳକୁ କାଉଡ଼ିଆମାନଙ୍କ ଧାଡ଼ି ଲିଙ୍ଗରାଜ ମାର୍କେଟ ପାର୍‌ ହୋଇ ତୀର୍ଥେଶ୍ବର ମନ୍ଦିର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ସାଢ଼େ ୯ଟାରୁ ୧୦.୨୦ ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ଶାହଙ୍କ ଦର୍ଶନ ପାଇଁ କାଉଡ଼ିଆଙ୍କ ଜଳଲାଗି ବନ୍ଦ ରହିଥିଲା। ପରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ଓ ଜଳଲାଗି ଚାଲିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ବାଦ୍ ଆଜି ବି ମେଘେଶ୍ବର ମନ୍ଦିର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦ୍ୟନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରିଥିଲେ।

କାଉଡ଼ିଆଙ୍କୁ ସେବା

ସୂଚନା‌ଯୋଗ୍ୟ ଯେ ପ୍ରଦୀପ ସେବା ଟ୍ର‌ଷ୍ଟ, ଜୟ ଓଡ଼ିଶା, ସେବା ପ୍ରତିନିଧି, ଶକ୍ତି ପ୍ରସାଦ ସୁହୁ ଟିମ୍‌, ଶ୍ରୀ ଜଗନ୍ନାଥ ସେବା ସଂଘ, ମଧୁ ତ୍ରିୱାଲା, ରୋଟାରି ଇଲାଇଟି, ଆଶିଷ ଜୟସ୍ବାଲ ଟିମ୍‌, ଆର୍ଟ ଅଫ୍‌ ଲିଭିଙ୍ଗ୍, ମିସିଂ ଫାଉଣ୍ଡେସନ୍‌, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଛାତ୍ରଛତ୍ରୀ ଓ ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ଭଳି ସଂସ୍ଥାମାନେ କାଉଡ଼ିଆଙ୍କୁ ସେବା ଯୋଗାଇଥିଲେ। ସେହିଭଳି ସେମାନେ ମନ୍ଦିର ଭିତରୁ ଫୁଲ, ବାହୁଙ୍ଗି, ସାଲୁକନା, ପ୍ଲାଷ୍ଟିକ୍ କଳସ, ପଲିଥିନ୍‌, ଚିକିଟାମାଟି, ବେଲପତ୍ର ଆଦି ବର୍ଜ୍ୟବସ୍ତୁକୁ ମନ୍ଦିର ଭିତରୁ ଓ ବାହାରୁ ଉଠାଇଥିଲେ। ତେବେ ବାରଣ ସତ୍ତ୍ବେ କାଉଡ଼ିଆମାନେ ଶିକା ରଶି କାଟିବାକୁ ବ୍ୟବହାର କରୁଥିବା ପୁଳାପୁଳା ବ୍ଲେଡ୍‌ ସାମାଜିକ କର୍ମୀମାନଙ୍କୁ ସମସ୍ୟାରେ ପକାଇଥିଲା।

ସମ୍ବନ୍ଧିତ ଖବର