ପିଲାଙ୍କ ଇଚ୍ଛା ଓ ରୁଚିକୁ ସମ୍ମାନ ଦିଅନ୍ତୁ ପିତାମାତା

୩୨ତମ ପିକକ୍ ଶିଶୁମେଳା ଉଦ୍‌ଯାପିତ , ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କ ସମେତ ୧୫ ଜଣଙ୍କୁ ସମ୍ବର୍ଧନା

ଚନ୍ଦ୍ରଶେଖରପୁର: ଶିକ୍ଷା ସବୁ ଶିଶୁଙ୍କ ଅଧିକାର। ଶିଶୁମାନଙ୍କୁ ଏମିତି ବଢ଼ାଯାଉ, ଯାହାଦ୍ବାରା ସେମାନେ ଚାକିରି ନ ଖୋଜି ଅନ୍ୟକୁ ଚାକିରି ଦେବାକୁ ଲକ୍ଷ୍ୟ ରଖି‌ବେ। ଜୟଦେବ ବିହାରସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର୍‌ରେ ଆୟୋଜିତ ୩୨ତମ ପିକକ୍‌ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିମଳ ପ୍ରସାଦ ଦାଶ ଏହା କହିଛନ୍ତି।

ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ପିତାମାତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ପିଲାମାନଙ୍କୁ ଆପଣଙ୍କ ସମ୍ପତ୍ତି ବୋଲି ଭାବନ୍ତୁ ନାହିଁ। ସେମାନେ ଈଶ୍ବରଙ୍କ ସନ୍ତାନ, ବାପା ମା’ ମାଧ୍ୟମ ମାତ୍ର। ପିଲାଟିଏ ଭବିଷ୍ୟତରେ କ’ଣ ହେବାକୁ ଚାହୁଛି, ତାହା ବାପା ମା’ଠୁ ଅଧିକ କେହି ଜାଣନ୍ତି ନାହିଁ। ତେଣୁ ପିଲାମାନଙ୍କ ଉପରେ ନିଜ ଇଚ୍ଛାକୁ ଲଦି ନ ଦେଇ ତାଙ୍କ ଇଚ୍ଛା ଓ ରୁଚିକୁ ସମ୍ମାନ ଦିଅନ୍ତୁ। ଲକ୍ଷ୍ୟ ପୂରଣ ପାଇଁ ତାଙ୍କୁ ଯଥେଷ୍ଟ ସ୍ବାଧୀନତା ଦିଅନ୍ତୁ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାକୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାକୁ ଇଚ୍ଛା କରୁଛନ୍ତି। ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ପିଲାଟିର ମାତୃଭାଷାରେ ଦକ୍ଷତା ନଥିଲେ ଅନ୍ୟ ଭାଷାକୁ ଆୟତ୍ତ କରିବା ତା’ ପକ୍ଷେ ସହଜ ହୁଏ ନାହିଁ। ଯିଏ ମାତୃଭାଷାକୁ ଭଲ ପାଇଛି, ସେ ନିଶ୍ଚିତ ଅନ୍ୟ ଭାଷାରେ ଦକ୍ଷ ହୋଇପାରିବ। ସେ ଆହୁରି କହିଥିଲେ ଯେ ଅନ୍ୟ ସମ୍ପର୍କରେ ଅନ୍ୟମନସ୍କ ହେବା ଭଲ ମଣିଷର ପରିଭାଷା। କେବଳ ନିଜ କଥା ନ ଭାବି ଅନ୍ୟ ପାଇଁ ସମସ୍ତେ ଚିନ୍ତା କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟତମ ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଥିଲେ ଯେ ଶିଶୁ ଦେଶର ଭବିଷ୍ୟତ। ତେଣୁ ସରକାର ଶିକ୍ଷା ବଜେଟ୍‌ ବଢ଼ାନ୍ତୁ ଓ ଅଭିଭାବକମାନେ ନିଜ ପିଲାର ଶିକ୍ଷା ପାଇଁ ଅଧିକ ବ୍ୟୟ କରନ୍ତୁ। ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶିଶୁ ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ, କ୍ରୀଡ଼ାବିତ୍‌ ଅଂଶିକା ରାଉତରାୟ ଓ ପିକକ୍‌ର ଶିଶୁ ଅଧିକାର ପ୍ରସାର ଆମ୍ବାସାଡର୍‌ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପିକକ୍‌ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା କୋଭିଡ୍ ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ଅଛି ବୋଲି କହିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିଭାବାନ୍‌ ଶିଶୁଙ୍କୁ ସମ୍ମାନିତ କରାଯାଇଥିଲା। ସାହସିକତା ପାଇଁ ଜଗତସିଂହପୁର ଜିଲ୍ଲା ସଲାଣ୍ଟି ଗ୍ରାମର କାହ୍ନୁ ଚରଣ ମଲ୍ଲିକଙ୍କୁ ‘ବାଜିରାଉତ ସ୍ମାରକୀ ସମ୍ମାନ’, ସମାଜସେବା ପାଇଁ ଭୋଗରାଇର ଗୁଜଡିହା ଗ୍ରାମର ଶୁଭେନ୍ଦୁ ଶେଖର ଦାସଙ୍କୁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ଭୁବନେଶ୍ୱରର ଶୋଭନା ନାୟକଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ’, ଶିଶୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ‘ଡ. ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ବଳିଷ୍ଠ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ଭୁବନେଶ୍ୱରର ମିସ୍‌ କ୍ୱିନି ପଣ୍ଡାଙ୍କୁ ‘ଆଦରମଣୀ ବରାଳ ସ୍ମାରକୀ ସମ୍ମାନ’, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସବିତା ଟପ୍ପୋଙ୍କୁ ‘ସୁଷମା ମହପାତ୍ର ସ୍ମାରକୀ କ୍ରୀଡ଼ାବିତ୍‍ ସମ୍ମାନ’ ଏବଂ ତନ୍ମୟ କୁମାର ସାମନ୍ତରାୟ ଓ ପ୍ରତ୍ୟାଶା ବିଶ୍ୱାଳଙ୍କୁ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ପାଇଁ ‘କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରଯାଇଥିଲା।

ସେହିପରି ବହୁପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାଚରଣ ପୃଷ୍ଟିଙ୍କୁ ‘ଅବନୀ ବରାଳ ସ୍ମାରକୀ ସମ୍ମାନ’, ସମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସଙ୍କୁ ‘ସ୍ୱରୂପ ଜେନା ସ୍ମାରକୀ ସମ୍ମାନ’, ଲକ୍ଷ୍ମୀକାନ୍ତ ରାଜଙ୍କୁ ‘ଶିଶୁସାଥୀ ସମ୍ମାନ’, ସମାଜସେବା ପାଇଁ ହୃଷୀକେଶ ପଣ୍ଡାଙ୍କୁ ‘ଡ. ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ’, ମହିଳା ପଞ୍ଚାୟତ ପ୍ରତିନିଧି ତଥା ପୁରୋହିତପୁର ସରପଞ୍ଚ କବିତା ମାଝିଙ୍କୁ ‘ଆରାଧନା ନନ୍ଦ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କୋଭିଡ୍ ସମୟରେ ବୈଷୟିକ ସହାୟତା ପାଇଁ ଶୈଲାନୀ ସୁମନ ଓ ସଞ୍ଜନା ମହାନ୍ତିଙ୍କୁ ବିଶେଷ ଭାବେ ସମ୍ମାନିତ କରଯାଇଥିଲା।

ପିକକ୍‌ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ସନ୍ଧ୍ୟା କାନୁନ୍‌ଗୋ, ବିଶ୍ୱଜିତ, ସତ୍ୟସୁନ୍ଦର, ଅତିଷ୍ଣୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପିକକ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର