ଚନ୍ଦ୍ରଶେଖରପୁର : ବୁଧବାର ଭୋର ୫ଟା ୩୦ ହେବ। ଆଖିରୁ ନିଦ ଛାଡ଼ି ନଥାଏ। କିଏ ମର୍ଣ୍ଣିଂ ୱାକ୍ରେ ଯାଉଥାନ୍ତି ତ ଆଉ କିଏ ଦୋକାନ ଖୋଲିବାକୁ। ଏହି ସମୟରେ ରେଳସଦନ ନିକଟରେ ଥିବା ୩୩ କେଭିର ମିଟରିଂ ୟୁନିଟ୍ ହଠାତ୍ ଫାଟିଗଲା। କେହି କିଛି ବୁଝିବା ପୂର୍ବରୁ ହୁତୁହୁତୁ ହୋଇ ଜଳିଗଲା ସମ୍ପୂର୍ଣ୍ଣ ୟୁନିଟ୍ ଏବଂ ଏଣେତେଣେ ବିଛାଡ଼ି ହୋଇ ପଡ଼ିଲା ନିଆଁ ହୁଳା। ଯାହାର ପ୍ରଭାବରେ ଏହି ମିଟରିଂ ୟୁନିଟ୍ ତଳେ ଥିବା ୩ଟି ଉଠାଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁ ହୁଳା ଛିଟିକି ପଡ଼ିବାରୁ ଜଣେ ଦୋକାନୀ, ତାଙ୍କ ନାବାଳକ ପୁଅ ଓ ୨ ସମ୍ପର୍କୀୟ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବିଜୟ କୁମାର ବେହେରା(୪୨), ତାଙ୍କ ୧୨ ବର୍ଷ ବୟସର ପୁଅ ଆଶୁତୋଷ ବେହେରା(ବଣ୍ଟି), ସମ୍ପର୍କୀୟ ସନ୍ତୋଷ ନାୟକ ଓ ଗୌତମ ନାୟକ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। ପ୍ରାୟ ତିନି ଘଣ୍ଟା ଧରି ସେମାନଙ୍କ ଚିକିତ୍ସା କରାଯିବା ପରେ ମଧ୍ୟ ତିନି ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ସେମାନଙ୍କୁ କଟକସ୍ଥିତ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ପ୍ରତିଦିନ ପରି ଆଜି ସକାଳୁ ବିଜୟଙ୍କ ସମେତ ଅନ୍ୟ ଉଠାଦୋକାନୀମାନେ ସେମାନଙ୍କ ଜଳଖିଆ ଦୋକାନ ଖୋଲିଥିଲେ। ଖାଦ୍ୟ ପ୍ରସ୍ତୁତି ସାରି ଗ୍ରାହକଙ୍କ ଅପେକ୍ଷାରେ ଥିଲେ। କୌଣସି କାରଣରୁ ହଠାତ୍ ମିଟରିଂ ୟୁନିଟ୍ରେ ନିଆଁ ଲାଗି କିଛି ସେକେଣ୍ଡ ମଧ୍ୟରେ ଭୟଙ୍କର ରୂପ ନେଇଥିଲା। ନିକଟରେ ଥିବା ଗଛପତ୍ର ଜଳିବା ସହ ଏହା ତଳେ ବେପାର କରୁଥିବା ଦୁଇଟି ଉଠାଦୋକନରେ ବି ନିଆଁ ଲାଗିଥିଲା। ନିକଟରେ ଥିବା ଓମ୍ଫେଡ୍ର ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଓ ପୁଲିସକୁ ଫୋନ୍ କରିଥିଲେ। ଖବର ପାଇବାର ୫ରୁ ୭ ମିନିଟ୍ ମଧ୍ୟରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସମେତ ପିସିଆର ୨୦ ଓ ୨୧ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ ଅଗ୍ନିଶମ ଗାଡ଼ି ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁଲିସ ଦ୍ବାରା ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବତଟ ରେଲୱେକୁ ଦିଆଯାଇଥିବା ୩୩ କେଭି ବିଦ୍ୟୁତ୍ ସଂଯୋଗକୁ ମାପିବା ଲାଗି ଏହି ମିଟରିଂ ୟୁନିଟ୍ ବସା ଯାଇଛି। ଯାହାର ତଦାରଖ ଦାୟିତ୍ବ ବିଦ୍ୟୁତ୍ ବିଭାଗର ଥିଲା। ତେବେ ମିଟରିଂ ୟୁନିଟ୍ ଫାଟିଥିଲେ ମଧ୍ୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜଣେ ବି ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପୂର୍ବରୁ ମଧ୍ୟ ଇନ୍ଫୋସିଟି ଥାନା ଅଧୀନ ଶିଖରଚଣ୍ଡି ନିକଟରେ ଏଭଳି ଘଟଣା ଘଟିଥିଲା। ଯେଉଁଥିରେ ଦୁଇ ଜଣ ଛାତ୍ର ସାଇକେଲ୍ ନେଇ ରାସ୍ତାରେ ଯାଉଥିବା ବେଳେ ଅଧା ଜଳିଯାଇଥିଲେ।
ଘଟଣା ସମ୍ପର୍କରେ ଟାଟା ପାୱାର ପକ୍ଷରୁ କୁହାଯାଇଛି ଯେ ୩୩ କେଭି ନେଟ୍ୱର୍କରେ ବୈଷୟିକ ତ୍ରୁଟି ଦେଖାଦେବାରୁ ମିଟରିଂ ୟୁନିଟ୍ ଫାଟିଯାଇଥିଲା। କମ୍ପାନି ପକ୍ଷରୁ ଆହତ ୪ ଜଣଙ୍କ ସମସ୍ତ ଚିକିତ୍ସା ଦାୟିତ୍ବ ନିଆଯାଇଛି।