୩୩ତମ ପିକ୍‌କ ଶିଶୁମେଳା ଉଦ୍‌ଘାଟିତ

ଭୁବନେଶ୍ବର: ସମସ୍ତେ କହନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ଆଜିର ଶିଶୁ ଆଜିର ଭବିଷ୍ୟତ ବୋଲି ଭାବିଲେ ଶିଶୁମାନଙ୍କର ପ୍ରକୃତ ବିକାଶ ହୋଇପାରିବ। ମା’ ବାପା ଓ ଅଭିଭାବକମାନେ ଶିଶୁପ୍ରତି ସେତିକି ଅଧିକ ଯତ୍ନବାନ୍‌ ହୋଇପାରିବେ। ଶିଶୁମାନଙ୍କ ଭିତରେ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଅଭିଭାବକଙ୍କ ଦାୟିତ୍ବ। ପିପୁଲସ୍‌ କଲ୍ଚରାଲ ସେଣ୍ଟର୍(ପିକ୍‌କ) ପକ୍ଷରୁ ଏକାମ୍ର ହାଟଠାରେ ଆୟୋଜିତ ୩୩ତମ ପିକ୍‌କ ଶିଶୁମେଳା ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଆଜି ଏପରି ମତ ରଖିଛନ୍ତି।

ପିକ୍‌କ ଶିଶୁମେଳା କମିଟି ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ, ଅନେକ ଶିଶୁଙ୍କ ପ୍ରତିଭା ଲୋକଲୋଚନକୁ ଆସିପାରେ ନାହିଁ। ଏଥିପାଇଁ ଅଭିଭାବକମାନେ ସଚେତନ ହେବା ଦରକାର। ଯାହାର ଯେଉଁଥିରେ ରୁଚି ରହିଛି, ଅଭିଭାବକମାନେ ତାକୁ ସେଥିପ୍ରତି ଉତ୍ସାହିତ କରିବା ଆବଶ୍ୟକ। ଅନ୍ୟତମ ଅତିଥି ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର କହିଲେ, ପ୍ରତ୍ୟେକ ଶିଶୁ କିପରି ଭଲ ପାଠ ପଢ଼ି ସତ୍‌ପଥରେ ଯିବ, ସେନେଇ ଆମେ ଚିନ୍ତା କରିବା ଆବଶ୍ୟକ। ଅନ୍ୟତମ ଅତିଥି ବିଏମ୍‌ସି ମେୟର୍‌ ସୁଲୋଚନା ଦାସ କହିଲେ, ପିତାମାତା ଓ ଅଭିଭାବକମାନେ ଶିଶୁମାନଙ୍କ ସହ ଅଧିକ ସମୟ ବିତାଇବା ଆବଶ୍ୟକ। ୟୁନିସେଫ୍‌ର ଅଧିକାରୀ ରାଧିକା ଶ୍ରୀବାସ୍ତବ କହିଲେ, ଆମେ ପ୍ରତିଦିନକୁ ଶିଶୁ ଦିବସ ଭାବେ ପାଳନ କରିବା ଆବଶ୍ୟକ। ଅନ୍ୟତମ ଅତିଥି ପିକ୍‌କର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ଗୁଡୱିଲ୍‌ ଆମ୍ବାସାଡର୍‌ ଅଂଶିକା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୟୁନିସେଫ୍‌ ସହଯୋଗରେ ଶିଶୁ ସାମ୍ବାଦିକମାନଙ୍କ ଦ୍ବାରା ପ୍ରସ୍ତୁତ ‘ମୋ କଥା ଶୁଣ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଲୋକାର୍ପଣ ଉତ୍ସବରେ ଶିଶୁ ସାମ୍ବାଦିକ ଶୁଭେନ୍ଦୁ ଶେଖର ଦାସ ଓ ଇପ୍ସିତା ମହାନ୍ତି ଉପସ୍ଥିତ ଥିଲେ। ଓଡ଼ିଶୀ ନୃତ୍ୟ ସହ ଦଶାବତାର ନାଟ୍ୟଶାଳା ଓ ଜ୍ୟୋତି ସ୍ମୃତି ପୀଠର ଶିଶୁ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପିକ୍‌କର ସଂପାଦକ ରଞ୍ଜନ କୁମାର ମହାନ୍ତି ସ୍ବାଗତଭାଷଣ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ସମର କୁମାର ପଟ୍ଟନାୟକ, ସନ୍ଧ୍ୟାରାଣୀ କାନୁନ୍‌ଗୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର