ଓଡିଏମ୍‌ର ୩୩ତମ ପ୍ରତିଷ୍ଠା ଦିବସ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଓଡିଏମ୍ ପବ୍ଳିକ୍ ସ୍କୁଲର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ପ୍ରତିଷ୍ଠା ଦିବସକୁ ପିତା-ମାତାଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯିବା ସହ ପିତୃ-ମାତୃ ପୂଜନ ଦିବସ ଭାବେ ଘୋଷଣା କରାଯାଇଥିଲା। ପିଲାଙ୍କ ମଧ୍ୟରେ ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ପାଇଁ ସପ୍ତାହବ୍ୟାପୀ ଅସହାୟ ଲୋକଙ୍କ ସେବା କରିବା ପାଇଁ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯିବା ସହ ‘କ୍ଲିନିକ୍ ଅନ୍ ହୁଇଲ୍‌’ର ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ଅପହଞ୍ଚରେ ଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି।

ଓଡିଏମ୍ ବିଦ୍ୟାଳୟସମୂହ ପକ୍ଷରୁ ସ୍ଥାପିତ ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ବିଶ୍ୱସ୍ତରୀୟ ହୋଇଥିବାରୁ ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ତଥା ରାଜ୍ୟର ପ୍ରଶାସନିକ କ୍ଷେତ୍ରର କର୍ମକର୍ତ୍ତାଙ୍କୁ ଶ୍ରୀ ମୀନକେତନ ଧନ୍ୟବାଦ ଦେଇଥିଲେ। ଦୁଇ ବର୍ଷ ଧରି ଓଡିଏମ୍‌ର ସମସ୍ତ କର୍ମଚାରୀଙ୍କ ପାଇଁ କୋଭିଡ୍ ହାଉସ୍ ଓ ଆଇସିୟୁରେ ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

ମାତୃ-ପିତୃ ପୂଜନ ଦିବସ ଅବସରରେ ପିଲାଙ୍କ ମଧ୍ୟରେ ପିତାମାତାଙ୍କ ପାଇଁ ଉତ୍ସର୍ଗୀକୃତ କବିତା, ଗଳ୍ପ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ତଥା ତାଙ୍କ ପିତାମାତାଙ୍କୁ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଓ ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସତ୍ୟବ୍ରତ ମୀନକେତନଙ୍କ ଲିଖିତ ‘ୟୁ କ୍ୟାନ୍ ଚେଞ୍ଜ୍‌ ୟୋର ଚାଇଲ୍ଡ୍ ଡେଷ୍ଟିନ୍‌’ର ଓଡ଼ିଆ ଅନୁବାଦ ପୁସ୍ତକ ‘ଆପଣ ଆପଣଙ୍କ ପିଲାମାନଙ୍କର ଭାଗ୍ୟ ବଦଳାଇ ପାରିବେ’ ପୁସ୍ତକ ଅଭିଭାବକଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇଥିଲା। ଏହି ଦିବସକୁ ଭାରତୀୟ ସଂସ୍କୃତିରେ ଏକ ଅବିସ୍ମରଣୀୟ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ଘୋଷଣା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମୀନକେତନ କହିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର