ଭୁବନେଶ୍ୱର: ଆଜି ବିଏମ୍ସିର ୩୩ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂଆ କମିସନର ଚଞ୍ଚଳ ରାଣାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଧାୟକ ବାବୁ ସିଂ କହିଥିଲେ ଯେ ବିଏମ୍ସିର କଳେବର ବୃଦ୍ଧି ହେବ। ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ନେଇ ଏକ ବଡ଼ ସହରର ପରିକଳ୍ପନା କରାଯାଉଛି। ମେୟର ଶ୍ରୀମତୀ ଦାସ ଭୁବନେଶ୍ବର ମହାନଗର ନିଗମର ବିକାଶ ପାଇଁ ବିଧାୟକ ଓ ନୂଆ କମିସନରଙ୍କ ସହଯୋଗ ଲୋଡ଼ିଥିଲେ। ସେ କହିଥିଲେ ଯେ ଭୁବନେଶ୍ୱରର ବିକାଶ ପାଇଁ ଅର୍ଥ ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ। ପୂର୍ବରୁ ବିଭିନ୍ନ ଯୋଜନାରେ ହୋଇଥିବା କାର୍ଯ୍ୟଗୁଡ଼ିକ ଅର୍ଥ ଅଭାବରୁ ଅଧାପନ୍ତରିଆ ହୋଇପଡ଼ିଛି। ଏ ଦିଗରେ ଉଭୟ ବିଧାୟକ ଓ କମିସନର୍ ସରକାରଙ୍କ ନିକଟରେ ଦାବି କରିବେ ବୋଲି ସେ କହିଥିଲେ।
ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ହେବ
ସେହିଭଳି କମିସନର ଶ୍ରୀ ରାଣା ସ୍ବଚ୍ଛତାରେ ଭୁବନେଶ୍ବରକୁ ୧ ନମ୍ବର କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ବୈଠକରେ ପ୍ରଥମେ କର୍ପୋରେଟର୍ମାନେ ଦେଇଥିବା ପ୍ରସ୍ତାବ ଓ ପରେ ବିଏମ୍ସି ଉପବିଭାଗଗୁଡିକରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସାନିଟାରି ଇନ୍ସପେକ୍ଟରଙ୍କ ବଦଳିକୁ ନେଇ ଗୃହରେ ଆଲୋଚନା ହୋଇଥିଲା। ଏହି ବଦଳିକୁ ସ୍ଥଗିତ ରଖିବା ପାଇଁ କର୍ପୋରେଟରମାନେ ଦାବି କରିଥିଲେ। ଏ ସଂପର୍କରେ ତର୍ଜମା ପରେ ପଦକ୍ଷେପ ନିଆଯିବ ବୋଲି ମେୟର କହିଛନ୍ତି। ବିଏମ୍ସିରେ ହୋଡିଂ ଟେଣ୍ଡର ନେଇଥିବା ୨୫ ଘରୋଇ ଓ ୪ ସରାକାରୀ ସଂସ୍ଥା ଉପରେ ଥିବା ବକେୟା ଅର୍ଥ ଆଦାୟ ଉପରେ ଆଲୋଚନା ହୋଇଥିଲା। ଦୁଇ ମାସ ଭିତରେ ସଂସ୍ଥାମାନେ ବକେୟା ପଇଠ କରିବାକୁ ପ୍ରତିଶ୍ରୁତି ଦେଇଥିବା କମିସନର୍ କହିଥିଲେ। ବିଏମ୍ସିର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। ସମସ୍ତ ସାନିଟାରି ଇନ୍ସପେକ୍ଟର, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, କର୍ମଚାରୀମାନେ ୟୁନିଫର୍ମ ସହ ପରିଚୟପତ୍ର ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିସନର ରତ୍ନାକର ସାହୁ, ସସ୍ମିତା ସାହୁ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।